ବାଟବଣା ମନରେଗା ଯୋଜନା


ନୂଆପଡାରୁ ପରମେଶ୍ୱର ବାରିକ୍  : ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳରେ ମାଲେମାଲ ସରକାରୀ ବାବୁ ଓ ସ୍ଥାନୀୟ ଜନପ୍ରତିନିଧି । କେଉଁଠି ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ ତ କେଉଁଠି ବିନା କାମରେ ସରକାରୀ ବାବୁମାନେ ଲକ୍ଷାଧିକ ଟଙ୍କା ବିଲ କରି ହଡ଼ପ କରୁଥିବା ନଜରକୁ ଆସୁଛି । ଯାହା ଦ୍ୱାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ସ୍ତରରେ ହେଉଥିବା ଏହି ମନରେଗା ଅନିୟମିତତା ବ୍ଲକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବଡବଡ ବାବୁଙ୍କ ଇସାରାରେ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଖଡ଼ିଆଳ ବ୍ଲକ ଲାଞ୍ଜି ପଞ୍ଚାୟତ ଉପରପିଟା ଗାଁର ତେନ୍ତୁଲିବନ୍ଦ ଉନ୍ନତି କାର୍ଯ୍ୟରେ । ବିନା କାମରେ ଲକ୍ଷାଧିକ ଟଙ୍କା ଉଠି ସାରିଥିବା ଅଭିଯୋଗ ହୋଇଥିଲେ ହେଁ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟନୁଷ୍ଠାନ । ନୂଆପଡ଼ା ଜିଲ୍ଲାର ବିଶେଷ କରି ଖଡ଼ିଆଳ ବ୍ଲକରେ ମନରେଗାର ମହାଦୁର୍ନୀତି ଖବର ବାରମ୍ବାର ହେଉଥିଲେ ହେଁ ଏହାର ଚେର ତଳୁ ଉପରକୁ ଲାଗିଥିବାରୁ ଏହା କମିବା ବଦଳରେ ବଢ଼ିବଢ଼ି ଚାଲିଛି । ବିଶେଷ କରି ଖଡ଼ିଆଳ ବ୍ଲକର ଅଧିକ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ ହୋଇଆସୁଛି । ରାସ୍ତା ଘାଟ, ପୋଖରୀ ଖନନରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ଏହାର ପୃଷ୍ଠପୋଷକ ସାଜିଛନ୍ତି ବ୍ଲକର ସରକାରୀ ବାବୁ ଓ ପଞ୍ଚାୟତର ଜନପ୍ରତିନିଧି । ବିଶେଷ କରି ଦୀର୍ଘ ଦିନ ଧରି ସ୍ଥାୟୀ ଭାବେ ଥିବା ଏପିଓ ଇଙ୍ଗିତରେ ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି  । ଏଠି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ୱାର ଅଭିଯୋଗ ସତ୍ତ୍ୱେ ପ୍ରଶାସନରେ କେଉଁ ସ୍ୱାର୍ଥରେ ଦୀର୍ଘ ବର୍ଷ ଧରି ଜଣେ ଏପିଓ ଖଡିଆଳ ବ୍ଲକରେ କାର୍ଯ୍ୟରତ ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲା ପ୍ରଶାସନ ଏହାର ବିଚାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଖଡିଆଳ ବ୍ଲକ ମନରେଗା ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ, ଅଭିଯୋଗ ଓ ଖବର ଏକ ଅଭ୍ୟାସରେ ପରିଣତ ହୋଇଛି । ବର୍ତ୍ତମାନ ଲାଞ୍ଜୀ ପଞ୍ଚାୟତ ଉପରପିଟା ତେନ୍ତୁଲିବନ୍ଦ ମନରେଗା ଦୁର୍ନୀତି ସମସ୍ତଙ୍କୁ ଚକିତ କରିଛି । କାମ ନକରି ହାରାହାରି ତିନିଲକ୍ଷ ଟଙ୍କା ଉଠାଣ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ୍ କ୍ଷେତ୍ରରେ ଛନକା ଖେଳିଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ତେନ୍ତୁଲିବନ୍ଦ୍ ଉନ୍ନତିକରଣ ନାଁରେ ବିନା କାମରେ ତିନିଲକ୍ଷ୍ ଟଙ୍କା ଉଠାଣ ହୋଇଛି । ଉକ୍ତ ପୋଖରୀରେ ବର୍ତ୍ତମାନ ପାଣି ଭର୍ତ୍ତି ଥିବା ବେଳେ ମାଟି କାମ କେମିତି ହେଲା, ସେଠି ସୂଚନା ଫଳକ ଲାଗି ନାହିଁ, ଗାଁର ଶ୍ରମିକ ଜାଣି ନାହାନ୍ତି, ଏତେ ସବୁ କାର୍ଯ୍ୟରେ ବିଏଫ୍ଟି ଠାରୁ ଆରମ୍ଭ କରି ସରପଞ୍ଚ ଜିଆରଏସ୍, ଯନ୍ତ୍ରୀ ଓ ଏପିଓ କେମିତି ବିଲ କଲେ ତାହା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଏପିଓଙ୍କ ଇଙ୍ଗିତରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସବୁଠୁ ବଡ଼କଥା ସ୍ଥାନୀୟ ଶ୍ରମିକଙ୍କ ବଦଳରେ ଅନ୍ୟ ଗାଁର ଶ୍ରମିକଙ୍କ ଖାତାକୁ ଟଙ୍କା ପଠା ଯାଇଥିବା ଜାଣିବାକୁ ମିଳିଛି । ଏବାବଦରେ ଗ୍ରାମବାସୀ ବ୍ଲକ ବିଡ଼ିଓଙ୍କ ଠାରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  । ଅପରପକ୍ଷରେ ଆମେ ଖଡ଼ିଆଳ ବିଡ଼ିଓଙ୍କୁ ଏ ବାବଦରେ ପଚାରିବାରୁ ଘଟଣାକୁ ହାଲୁକାର ସହ ନେଇ, ଅଭିଯୋଗ ହୋଇଛି ତଦନ୍ତ କରାଯାଇ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହିଛନନ୍ତି ।