ରାସନ୍ କାର୍ଡ୍ ଜାଲିଆତି
ରାଜ୍ୟରେ ପଡ଼ିକାର୍ଡ୍ ମାଧ୍ୟମରେ ଗରିବ ଲୋକମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ଉଦେ୍ଦଶ୍ୟରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । ସେସବୁ ସତ୍ତ୍ୱେ ପଡ଼ିକାଡର୍୍ ଯୋଗାଣରେ ବିଭିନ୍ନ ପ୍ରକାରର ଅନିୟମିତତା ହେଉଥିବାର ଅଭିଯୋଗ ସବୁବେଳେ ଆସୁଛି । ରାଜ୍ୟରେ ବିଜେଡ଼ି ସରକାର ହଟିବା ପରେ ବିଜେପି ସରକାର ପଡ଼ିକାର୍ଡ୍ ଯାଞ୍ଚ୍ କରିବା ପାଇଁ ଇ-କେୱାଇସି ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ଇ-କେୱାଇସି ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ନିକଟରେ ରହିଥିବା ରାସନ୍ କାର୍ଡ୍ର ଯାଞ୍ଚ୍ କରାଯାଉଛି ଏବଂ ଏହି ପ୍ରକ୍ରିୟା ଶେଷ କରିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାର ସମୟସୀମାକୁ ପାଞ୍ଚ ଥର ବଢ଼ାଗଲାଣି । ତେବେ ସର୍ବଶେଷ ଥର ପାଇଁ ଇ-କେୱାଇସି ଅପ୍ଡ଼େଟ୍ କରାଯିବାର ସମୟସୀମା ବୃଦ୍ଧି କରାଯିବା ନେଇ କାରଣ ଦର୍ଶାଯାଇଛି ଯେ ଶହ ଶହ ପଞ୍ଚାୟତରେ ଇ-କେୱାଇସି ଅପ୍ଡ଼େଟ୍ କରିବା ପାଇଁ ଲୋକଙ୍କ ନିକଟରେ ସୁବିଧା କିମ୍ବା ସାଧନ ନାହିଁ । ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ନେଟ୍ୱାର୍କ୍ ନାହିଁ । ତେଣୁ ପୁର୍ନବାର ଇ-କେୱାଇସିର ସମୟସୀମାକୁ ବୃଦ୍ଧି କରାଗଲା । ମାର୍ଚ୍ଚ୍ ୩୧ ତାରିଖ ମଧ୍ୟରେ ସମସ୍ତ ରାସନ୍ କାର୍ଡ୍ର ଯାଞ୍ଚ୍ ପ୍ରକ୍ରିୟା ଶେଷ ହେବ ବୋଲି ଏବେ ସମୟ ଧାର୍ଯ୍ୟ ହୋଇଛି । ହେଲେ ତାହା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିଲାଣି ଯେ ପ୍ରାୟ ୩ ଲକ୍ଷ ରାସନ୍ କାର୍ଡ୍ଧାରୀଙ୍କର ବାସ୍ତବ ଅବସ୍ଥିତି ନାହିଁ । ଅନ୍ୟ ଅର୍ଥରେ କହିିବାକୁ ଗଲେ ସେସବୁ ରାସନ୍ କାର୍ଡ୍ ହେଉଛି ଭୂତ ରାସନ୍ କାର୍ଡ୍ । ଏ କ୍ଷେତ୍ରରେ ଗୋଟିଏ କଥା କୁହାଯାଉଛି ଯେ ବର୍ଷ ବର୍ଷ ଧରି ଏହି ୩ ଲକ୍ଷ ଭୂତ ରାସନ୍ କାର୍ଡ୍ରେ ଉଠା ଯାଉଥିବା ଖାଦ୍ୟଶସ୍ୟ କିଏ ନେଇଛନ୍ତି? କଣ୍ଟ୍ରୋଲ୍ ଦୋକାନୀମାନେ କହୁଛନ୍ତି ଯେ ଏହି ରାସନ୍ କାର୍ଡ୍ର ଅଧିକାରୀ ବା ଏହି ରାସନ୍ କାର୍ଡ୍ ଯାହା ପାଖରେ ଅଛି ସେମାନେ ଏହାକୁ ନେଇଛନ୍ତି । ତେବେ ସମୀକ୍ଷକମାନଙ୍କ ମତ ହେଲା ଏଭଳି ରାସନ୍ କାର୍ଡ୍ଧାରୀ ନଥିବାରୁ ଏ ବାବଦରେ ଆସିଥିବା ଖାଦ୍ୟଶସ୍ୟକୁ ରାସନ୍ ଦୋକାନୀମାନେ ହିଁ ଖାଇଛନ୍ତି । ଅତୀତରେ ବିଭିନ୍ନ ସମୟରେ ଅଯୋଗ୍ୟ ରାସନ୍କାର୍ଡଧାରୀ ରହିଥିବା କଥା ବାରମ୍ବାର ଅଭିଯୋଗ ହେଉଥିଲା । ରାସନ୍ କାଡର୍୍ ତିଆରି କରିବା ସମୟରେ ପ୍ରକୃତ ହିତାଧିକାରୀମାନଙ୍କ ପାଇଁ ଏହା ହେଉଛି କି ନାହିଁ ତାହା ଯାଞ୍ଚ୍ କରାଯାଉନଥିଲା । ଏପରିକି ମରିଯାଇଥିବା ଲୋକେ, ଓଡ଼ିଶାରେ ରହୁନଥିବା ଲୋକେ ଏଭଳି ରାସନ୍ କାର୍ଡ୍ର ଅଧିକାରୀ ହୋଇଥିବା ଅଭିଯୋଗ ଆସୁଥିଲା । ପ୍ରକୃତ କଥା ହେଲା ରାସନ୍ କାର୍ଡ୍ ଗୁଡ଼ିକ ତିଆରି କରିବା ସମୟରେ ଗାଁ ସରପଞ୍ଚ ଏବଂ ରାଜନୀତିକ ନେତାମାନଙ୍କର ହସ୍ତକ୍ଷେପ ରହିଛି । କାରଣ ଏହା ମାଧ୍ୟମରେ ସେମାନେ ନିଜର ଭୋଟ୍ ବ୍ୟାଙ୍କ୍ ତିଆରି କରୁଥିଲେ । ଆହୁରି ମଧ୍ୟ ଯାଞ୍ଚ୍ କରାଗଲେ ଜଣାପଡ଼ିବ ଯେ ପ୍ରକୃତରେ ପରିବାରର ସଦସ୍ୟ ଯେତିକି ରାସନ୍ କାର୍ଡ୍ରେ ସେତିକି ଜଣଙ୍କର ନାଁ ରହିଛି କି ନାହିଁ? ବର୍ତ୍ତମାନ ଇ-କେୱାଇସି ବ୍ୟବସ୍ଥାରେ ରାସନ୍ କାର୍ଡ୍ ଗୁଡ଼ିକର ନବୀକରଣ କରାଯିବା ସମୟରେ ଅନେକ ଚାଞ୍ଚଲ୍ୟକର ତଥା ଅଦ୍ଭୂତ ତଥ୍ୟ ସବୁ ପଦାକୁ ଆସୁଛି । ବଡ଼ ବଡ଼ ସରକାରୀ ଚାକିରିଆ, ପ୍ରଥମ ଶ୍ରେଣୀର ସରକାରୀ ଚାକିରିଆ, ଧନୀକ ବ୍ୟକ୍ତିଙ୍କ ନାଁରେ ରାସନ୍ କାର୍ଡ୍ ହୋଇଥିବା ଜଣାପଡ଼ିଲାଣି । ଆଉ କେତେକ କ୍ଷେତ୍ରରେ ପ୍ରକୃତ ସରକାରୀ ଚାକିରିଆ ରାସନ୍ କାର୍ଡ୍ ନେଇଥିବାରୁ ସେମାନେ ଏହାକୁ ଫେରେଇ ଦେଇଛନ୍ତି ।
ଆଉ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ହେଲା ଇ-କେୱାଇସି ମାଧ୍ୟମରେ ରାସନ୍ କାର୍ଡ୍ ଅପ୍ଡେଟ୍ ହେଉ କି ନହେଉ ପୁରୁଣା ରାସନ୍ କାର୍ଡ୍ ଫେରାଇବାକୁ ପଡ଼ିବ । ତେଣୁ ଅପ୍ଡ଼େଟ୍ ନହେଲେ ମଧ୍ୟ ପୁରୁଣା ରାସନ୍ କାର୍ଡ୍ ଗୁଡ଼ିକ ରାସନ୍ ଦୋକାନୀଙ୍କ ନିକଟରେ ଦାଖଲ କରାଯିବାର ବ୍ୟବସ୍ଥା କରାଯାଉଛି । ଏହା ଫଳରେ ଅଯୋଗ୍ୟ ହିତାଧିକାରୀମାନେ ଲୋକଲୋଚନକୁ ଆସିବେ । ହେଲେ ପ୍ରକୃତରେ ଅଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ୍କୁ ଫେରାଇବାକୁ ଦୋକାନକୁ ଆସିବେ ତ?