ଶ୍ୱେତ ବିପ୍ଳବରେ କଳଙ୍କ


ଏକଦା ଦେଶରେ ଦୁଗ୍ଧ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଗୁଜରାତର ଆନନ୍ଦ ଠାରେ ରହିଥିବା ଦୁଗ୍ଧ ଉତ୍ପାଦନ କେନ୍ଦ୍ର ପ୍ରଥମେ କିଛି ଦୁଗ୍ଧ ଚାଷୀଙ୍କୁ ନେଇ ଆରମ୍ଭ ହୋଇଥିଲା । ସମୟକ୍ରମେ ଏଥିରେ ଗୁଜରାତର ବିଭିନ୍ନ ଜିଲ୍ଲାର ଦୁଗ୍ଧ ଚାଷୀମାନେ ଯୋଗ ଦେଲେ । ଦିନକୁ ଦିନ ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥର ଉତ୍ପାଦନ କ୍ଷେତ୍ରରେ ଆନନ୍ଦସ୍ଥିତ ଦୁଗ୍ଧ ସମବାୟ ସମିତି ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଲା । ୧୯୭୦ ମସିହାରେ ଦେଶରେ ଦୁଗ୍ଧ ଉତ୍ପାଦନ ପାଇଁ ଉଦ୍ୟମ ଆରମ୍ଭ ହେଲା । ଡ଼କ୍ଟର ଭରଗିଜ୍ କୁରିଏନ୍ ଏହି ଦୁଗ୍ଧ ବିପ୍ଳବ ଆରମ୍ଭ କରି ଏକ ସମବାୟ ସମିତି ଭାବରେ ଏହାକୁ ରାଷ୍ଟ୍ରୀୟ ସ୍ତରରେ ସଫଳ କରାଇ ପାରିଥିଲେ । ସେଥିପାଇଁ ତାଙ୍କୁ ଶ୍ୱେତ ବିପ୍ଳବର ଜନକ ବୋଲି କୁହାଯାଏ । ଏ ଶ୍ୱେତ ବିପ୍ଳବ କ୍ରମେ କ୍ରମେ ବିଭିନ୍ନ ରାଜ୍ୟରେ ଆରମ୍ଭ ହେଲା । ଓଡ଼ିଶାରେ ୧୯୮୦ ମସିହାରେ ଓମ୍ଫେଡ୍ ନାମରେ ଓଡ଼ିଶାର ଦୁଗ୍ଧ ଉତ୍ପାଦକମାନଙ୍କର ଏକ ସମବାୟ ସଂସ୍ଥା ପଞ୍ଜୀକରଣ କରାଯାଇ ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯାଇ ଏହାର ବିପଣନ କରାଗଲା । ଓମ୍ଫେଡ୍ ନାମରେ ବଜାରରେ ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥ ବିକ୍ରି କରିବା କ୍ଷେତ୍ରରେ ଓମ୍ଫେଡ୍ର ସୁନାମ ରହିଛି । ତେବେ ସମୟ କ୍ରମେ ରାଜ୍ୟର ତଥା ରାଜ୍ୟ ବାହାରର ଆଉ କିଛି ଦୁଗ୍ଧ ପ୍ରକି୍ରୟାକରଣ ସଂସ୍ଥା ଓଡ଼ିଶାରେ ଆସି ଦୁଗ୍ଧ ଜାତ ପଦର୍ଥର ବିପଣନ ଆରମ୍ଭ କରିଲେ । ଆନ୍ଧ୍ର ପ୍ରଦେଶେର ମଧ୍ୟ କିଛି ଦୁଗ୍ଧ ସମବାୟ ସଂସ୍ଥା ଓଡ଼ିଶାରେ ବିଭିନ୍ନ ଉତ୍ପାଦର ବିପଣନ କରିଛନ୍ତି । ସମୟକ୍ରମେ ଏହି ଶ୍ୱେତ ବିପ୍ଳବରେ ଅପମିଶ୍ରଣ ଏକ ବଡ଼ ସମସ୍ୟା ହୋଇ ଦେଖା ଦେଇଛି । ବର୍ତ୍ତମାନ ରାଜ୍ୟରେ ଯେତିକି ଦୁଗ୍ଧ ଉତ୍ପାଦିତ ହେଉଛି ତାହା ଠାରୁ ଅଧିକ ଦେଢ଼ ଗୁଣା କ୍ଷୀର ବିକ୍ରି ହେଉଛି । ଏବେ ପ୍ରଶ୍ନ ଉଠୁଛି ଉତ୍ପାଦନ ଠାରୁ ଦେଢ଼ ଗୁଣା ବିକ୍ରି ଅଧିକ ହେଲା କେମିତି? 
କିଛି ମାସ ପୂର୍ବରୁ ଭାରତର ଶ୍ୱେତ ବିପ୍ଳବ ସଂକ୍ରାନ୍ତୀୟ ଏକ ରିପୋର୍ଟ୍ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ ଦେଶରେ ଯେତିକି ଦୁଗ୍ଧ ଉତ୍ପାଦନ କରାଯାଉଛି ତାହା ଠାରୁ ଯଥେଷ୍ଟ ଅଧିକ ଦୁଗ୍ଧ ବଜାରରେ ବିକ୍ରି କରାଯାଉଛି । ସବୁଠାରୁ ବଡ଼ କଥା ହେଲା ସିଧାସଳଖ ଏହା ଅପମିଶ୍ରିତ ଦୁଗ୍ଧକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଥିଲେ ମଧ୍ୟ ବଜାରରେ ମିଳୁଥିବା ଦୁଗ୍ଧର ନମୂନା ସଂଗ୍ରହ କରାଯାଇ ଏହାର ଅପମିଶ୍ରଣ କରିବା ଖବରକୁ ସୁନିଶ୍ଚିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ବର୍ତ୍ତମାନ ବଜାରରେ ସିଧାସଳଖ ଦୁଗ୍ଧ, ଛେନା ଏବଂ ଦୁଗ୍ଧଜାତ ପଦାର୍ଥର ବିଭିନ୍ନ ପରିମାଣର ମିଠା ବଜାରରେ ମିଳୁଛି । ଏମିତି ବି ଦେଖିବାକୁ ମିଳୁଛି ଯେ କିଛି ଯାଯାବର ଶ୍ରେଣୀର ଲୋକ ଯେଉଁମାନଙ୍କର ଘର ନାହିଁ ସେମାନେ ବଜାରରେ ବୁଲି ବୁଲି ଦୁଗ୍ଧ, ଦହି, ଘିଅ ଆଦି ବିକ୍ରି କରୁଛନ୍ତି । ଖାଦ୍ୟରେ ଅପମିଶ୍ରଣ କ୍ଷେତ୍ରରେ ଆମ ଦେଶରେ ସରକାରଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ କେହି ସଚେତନ ଥିବା ଭଳି ମନେ ହୁଏ ନାହିଁ । ବଜାରରେ ବିପୁଳ ପରିମାଣର ଗୁଣ୍ଡ ଦୁଗ୍ଧ ଅମୂଲ କମ୍ପାନୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ କମ୍ପାନୀ ବିକ୍ରି କରାଯାଉଛି । କେତେକ ସ୍ଥାନରେ ଏହାକୁ ଗୁଣ୍ଡ ଦୁଗ୍ଧ ବୋଲି ନକହି ଡ଼ାଏରୀ ହ୍ୱାଇଟ୍ନର୍ ବୋଲି କୁହାଯାଉଛି । ଏହି ଶବ୍ଦଟି ସିଧାସଳଖ ସୂଚେଇ ଦେଉଛି ଯେ ଚାହାକୁ ଧଳା କରିବା ପାଇଁ ଡ଼ାଏରୀ ହ୍ୱାଇଟ୍ନର୍ ସହିତ ଆଉ କିଛି ମିଶୁଛି । ଓଡ଼ିଶାରେ ବର୍ତ୍ତମାନ ସରକାରୀ ହିସାବରେ ଗାଈଙ୍କ ସଂଖ୍ୟା ୯୦ ଲକ୍ଷ, ମଇଁଷୀଙ୍କ ସଂଖ୍ୟା ୫ ଲକ୍ଷ । ଏହି ଉଭୟ ପଶୁଙ୍କ ଠାରୁ ଉତ୍ପାଦିତ ହେଉଥିବା କ୍ଷୀର ତୁଳନାରେ ବଜାରରେ ପ୍ୟାକେଟ୍ କ୍ଷୀର, ଘର ଘର ବୁଲି ବିକ୍ରି କରାଯାଉଥିବା କ୍ଷୀର, ଛେନା, ଦହି ଆଦି ଯେତିିିକି ପରିମାଣରେ ବିକ୍ରି କରାଯାଉଛି ଏହା ଉତ୍ପାଦନ ଠାରୁ ଦେଢ଼ ଗୁଣା ଅଧିକା । ଏହା ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା । ସରକାର ନୀରବଦ୍ରଷ୍ଟା ହେବା ଅନୁଚିତ୍ ।