ରାସ୍ତା ଜବରଦଖଲ ଉଚ୍ଛେଦ ଘଟଣା: ହାଇକୋର୍ଟଙ୍କ ଆଦେଶକୁ ଆଳି ପ୍ରଶାସନର ଫୁ...
ପଟ୍ଟାମୁଣ୍ଡାଇ : କଟକ-ଚାନ୍ଦବାଲି ରାଜପଥଠାରୁ ଆଳି ତହସିଲ ଅଧିନ ଗୋପାଳପୁର ଗ୍ରାମ ମଧ୍ୟଦେଇ ଦରଘା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ସ୍ଥାନୀୟ ଲୋକମାନେ ଗତ ନଭେମ୍ବର ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଚାରିମାସ ମଧ୍ୟରେ ଲୋକଙ୍କର ଅଭିଯୋଗର ସମାଧାନ କରିବା ପାଇଁ ହାଇକୋର୍ଟ ତାଙ୍କ ଆଦେଶରେ ଦର୍ଶାଇଥିଲେ ମଧ୍ୟ ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏହି ରାସ୍ତା ଉପରେ ଆଖପାଖର ତିରିଶଟି ପଞ୍ଚାୟତ ଲୋକେ ନିର୍ଭର କରୁଥିଲେ ମଧ୍ୟ ରାସ୍ତାକୁ ଅବରୋଧ କରି ସମ୍ପୃକ୍ତ ଜବରଦଖଲ କାରୀମାନେ ମାଡ଼ିବସି ଡ୍ରେନ ଉପରେ ବେଆଇନ ନିର୍ମାଣ କରି ପ୍ରାକୃତିକ ଜଳ ନିଷ୍କାସନ ପଥକୁ ମଧ୍ୟ ମାଟି ପକାଇ ପୋତି ଦେଇଛନ୍ତି । ଫଳରେ ଜଳ ନିଷ୍କାସନ ନହୋଇପାରି ରାସ୍ତା ଅବରୋଧ ହେଉଛି ଏବଂ ରାସ୍ତା ଅଣଓସାରିଆ ହୋଇପଡ଼ିବା ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଏପରିକି ହାଇକୋର୍ଟଙ୍କ ଆଦେଶକୁ ଆଳି ପ୍ରଶାସନ ଫୁ କରିଥିବା ସାଧାରଣରେ ଆଲୋଚନା ହେଉଛି । ବାଧ୍ୟହୋଇ ଗ୍ରାମବାସୀଙ୍କ ତରଫରୁ ଆଳି ପ୍ରଶାସନ ବିରୁଦ୍ଧରେ କୋର୍ଟ ଅବମାନନା ମାମଲା କରିବା ପାଇଁ ଗ୍ରାମବାସୀମାନେ ପ୍ରସ୍ତୁତ ହେଉଛନ୍ତି । ରାସ୍ତାରଦୂରାବସ୍ଥା ସମ୍ପର୍କରେ ପ୍ରଶାସନର ନିରବତା ଲୋକଙ୍କ ସମସ୍ୟା ପ୍ରତି କେତେ ସଚେତନତାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବତନ ବିଚାରପତି ସଂଜୟ କୁମାର ସାହୁ, ହେମନ୍ତ ଦାସ, ଅଭୟ ସାହୁ, କେଶବ ଜେନା, ପ୍ରମୋଦ ମଲ୍ଲିକ, ଭରତ ସାହୁ, ରାଜନ ସାହୁ, ଶରତ ସାମଲ, ବସନ୍ତ ସେଠୀ ଓ ପାଣ୍ଡବ ଜେନା ପ୍ରମୁଖ ରାସ୍ତା ପାଇଁ ଲଢେଇ ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ କୋର୍ଟଙ୍କ ଆଦେଶ ପାଳନ ହୋଇନଥିବାରୁ ହାଇକୋର୍ଟରେ ଅବମାନନା କେସ୍ କରାଯିବ ବୋଲି ଆବେଦନକାରୀମାନେ ସୂଚନା ଦେଇଛନ୍ତି ।