ରାସ୍ତା ଜବରଦଖଲ ; ଯାତାୟାତରେ ସମସ୍ୟା
ଧର୍ମଶାଳା : ଜାରକା ଓଭରବ୍ରିଜ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ କେତେକ ବ୍ୟବସାୟୀ ରାସ୍ତା କଡରେ ଜିନିଷ ପତ୍ର ରଖି ବ୍ୟବସାୟ କରୁଥିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ଉକ୍ତ ରାସ୍ତାଦେଇ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଗୁଡ଼ିକୁ ଅନେକ ସମୟରେ ଛିଡ଼ା ହେବାକୁ ପଡ଼ିଥାଏ ଏବଂ ରାସ୍ତା ଫାଙ୍କା କରାଯିବା ପରେ ଆମ୍ବୁଲାନ୍ସ ଯାଇଥାଏ । ଜାରକା ବଜାର ଉପରେ ସ୍ଥାନୀୟ ଅଞ୍ଚଳ ବାସୀ ସଦାସର୍ବଦା ନିର୍ଭର କରିଥାଆନ୍ତି । ସକାଳ ହେଲେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ନିଜ କାମରେ ଏଠାକୁ ଆସିଥାନ୍ତି । ସେହିପରି ଜାରକା ଓଭର ବ୍ରିଜ ପାଶ୍ୱରୁ ଧର୍ମଶାଳା ଥାନା, ମେଡିକାଲ, ତହସିଲ ଭଳି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟାଳୟକୁ ଯିବା ପାଇଁ ଉକ୍ତ ରାସ୍ତା ଦେଇଯିବାକୁ ପଡିଥାଏ । ହେଲେ ଏହି ରାସ୍ତାର ପାଶ୍ୱର୍ରେ ବସରହଣି ନିକଟରେ କିଛି ବ୍ୟବସାୟୀ ନିଜ ଜିନିଷ ପତ୍ର ରାସ୍ତା ଉପରେ ରଖି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ କୌଣସି ଗ୍ରାହକ ସେହି ବ୍ୟବସାୟଙ୍କ ଠାରୁ ଜିନିଷ କିଣିବା ପାଇଁ ନିଜର ବାଇକ ରାସ୍ତା ଉପରେ ରଖି ଦେଉଛନ୍ତି । ଯାହାଦ୍ୱାରା ଜରୁରୀ କାଳୀନ ସେବା ପାଇଁ ଯାଉଥିବା ଗାଡ଼ି ଗୁଡ଼ିକୁ ଭିଡ଼ ମଧ୍ୟରେ ଫସି ରହୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଆମିଷ ବାର ଗୁଡ଼ିକରେ ମଧ୍ୟ ଏହି ରାସ୍ତା ଉପରେ ଆମିଷ ବ୍ୟବସାୟଙ୍କ ପାଇଁ ଗ୍ରାହକ ମାନେ ଗାଡି ଗୁଡ଼ିକ ରାସ୍ତା ଉପରେ ପାର୍କିଂ କରି ବା ଦ୍ୱାରା ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ । ତେଣୁ କିଛି ଅସାଧୁ ବ୍ୟବସାୟ ମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ଅଭିଯୋଗ ହୋଇଛି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ ନିମନ୍ତେ ଦାବି ହୋଇଛି । ଏସମ୍ପର୍କରେ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି ଏଭଳି ବେଆନ ଭାବେ ରାସ୍ତା ଅବରୋଧ କରି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ବାରମ୍ବାର କୁହାଯିବା ସତ୍ୱେ ସେମାନେ ସତର୍କ ହେଉ ନାହାନ୍ତି,ଆଗାମୀ ଦିନରେ ଏଭଳି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।