ରୁଷରୁ ତେଲ କିଣିବା ଜାରି ରହିବ: ସୀତାରମଣ

 ନୂଆଦିଲ୍ଲୀ  : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ କହିଛନ୍ତି ଯେ ଆମେରିକାର ଚାପ ବୃଦ୍ଧି ଓ ନୂତନ ଭାବରେ ଲାଗୁ ହୋଇଥିବା ଶୁଳ୍କ ସତ୍ତ୍ୱେ ଭାରତ ରୁଷରୁ ଅଶୋଧିତ ତୈଳ ଆମଦାନି ଜାରି ରଖିବ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ଶକ୍ତି ନିଷ୍ପତ୍ତି ବାହ୍ୟ ଚାହିଦା ନୁହେଁ, ଜାତୀୟ ସ୍ୱାର୍ଥ ଓ ଅର୍ଥନୈତିକ ନୀତି ଉପରେ ଆଧାରିତ । ସେ କହିଛନ୍ତି ଯେ, ରୁଷ ତେଲ ହେଉ ବା ଅନ୍ୟ କିଛି, ମୂଲ୍ୟ, ଲଜିଷ୍ଟିକ୍ସ ଓ ଯୋଗାଣ ସୁରକ୍ଷା ଦୃଷ୍ଟିରୁ ଆମର ଆବଶ୍ୟକତା ଅନୁଯାୟୀ ଆମେ ଯେଉଁଠାରୁ ଚାହିଁବୁ ସେଠାରୁ କିଣିବୁ । ତେଲ ଏକ ପ୍ରମୁଖ ବୈଦେଶିକ ମୁଦ୍ରା ବିନିମୟ ସାମଗ୍ରୀ ଓ ଆମେ ଆମର ସର୍ବୋତ୍ତମ ସ୍ୱାର୍ଥରେ କାର୍ଯ୍ୟ କରିବୁ । ତେଣୁ ଏହା ନିସନେ୍ଦହ ଯେ, ଆମେ ରୁଷରୁ ତେଲ କିଣିବା ଜାରି ରଖିବୁ । ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବାର ପ୍ରତିକ୍ରିୟାରେ ଏପରି କହିଛନ୍ତି ସୀତାରମଣ ।  ସୀତାରମଣ ଆହୁରି କହିଛନ୍ତି ଯେ ପରୋକ୍ଷ ଟିକସ ହାରକୁ ସରଳୀକରଣ ଓ ହ୍ରାସ କରିବା ଲକ୍ଷ୍ୟରେ ଭାରତର ସଦ୍ୟତମ ଜିଏସଟି ସଂସ୍କାର ଏହି ଶୁଳ୍କର ଚାପକୁ କମ କରିବାରେ ସାହାଯ୍ୟ କରିବ । ସରକାର ସର୍ବାଧିକ ପ୍ରଭାବିତ କ୍ଷେତ୍ରଗୁଡ଼ିକ ପାଇଁ ଲକ୍ଷ୍ୟଭୁକ୍ତ ସମର୍ଥନ ପଦକ୍ଷେପ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।