ଲାଲକିଲ୍ଲା ବିସ୍ଫୋରଣ : ମାଟିରେ ମିଶିଲା ଉମରର ପୁଲୱାମା ଘର
ଶ୍ରୀନଗର : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ଡାକ୍ତର ଉମର ନବୀର ପୁଲୱାମା ଘର ଆଜି ସୁରକ୍ଷା ବାହିନୀ ମାଟିରେ ମିଶାଇ ଦେଇଛନ୍ତି । କର୍ତ୍ତୃପକ୍ଷ କହିଛନ୍ତି ଯେ ତଦନ୍ତର ଅଂଶ ସ୍ୱରୂପ ଘରଟି ଏକ ଆଇଇଡି ଦ୍ୱାରା ଧ୍ୱଂସ କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଘରକୁ ଭାଙ୍ଗିବା ପୂର୍ବରୁ ପରିବାର ସଦସ୍ୟଙ୍କୁ କାଢି ନିଆଯାଇଥିଲା । ଅଧିକାରୀମାନେ ସୋମବାର ଲାଲକିଲ୍ଲା ବିସ୍ଫୋରଣରେ ଜଡିତ ହୁଣ୍ଡାଇ ଆଇ-୨୦ କୁ କାଶ୍ମୀରର ଡାକ୍ତର ଉମର-ଉନ-ନବିଙ୍କ ସହ ଯୋଡିଛନ୍ତି, ଯିଏକି କାର ଚଳାଉଥିଲା ବୋଲି ବିଶ୍ୱାସ କରାଯାଏ । ଆକ୍ରମଣରେ ତାଙ୍କର ସଠିକ୍ ଭୂମିକା ତଦନ୍ତାଧୀନ ଅଛି ।
ବିସ୍ଫୋରଣ ପରେ ଜମ୍ମୁ ଓ କାଶ୍ମୀର ପୁଲିସ ରାତାରାତି ଉମରର ଘର ଉପରେ ଚଢାଉ କରିଥିଲା । ତାଙ୍କ ପରିବାରର ତିନି ଜଣ ସଦସ୍ୟଙ୍କ ସମେତ ଛଅ ଜଣଙ୍କୁ ଗିରଫ କରିଥିଲା । ଅଧିକାରୀମାନେ କହିଛନ୍ତି ଯେ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ପର୍ଦ୍ଦାଫାସ୍ ପରେ ଅଟକ ଥିବା ଉମର କାଶ୍ମୀରର ଅନ୍ୟ ଦୁଇ ଡାକ୍ତରଙ୍କ ସହିତ ଯୋଗାଯୋଗ ବଜାୟ ରଖିଥିଲା । ଉମରଙ୍କ ଫରିଦାବାଦ ଭଡା ଘରୁ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା । ବିସ୍ଫୋରଣ ସ୍ଥଳରୁ ସଂଗୃହିତ ଡିଏନଏ ନମୁନା ତାଙ୍କ ମାଆଙ୍କ ସହ ମେଳ ଖାଇବା ପରେ ଉମରଙ୍କ ପରିଚୟ ନିଶ୍ଚିତ ହୋଇଥିଲା । ଜମ୍ମୁ କାଶ୍ମୀର ପୁଲିସ ୟୁପି ଓ ହରିୟାଣା ପୁଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ମିଶି "ହ୍ୱାଇଟ କଲାର ଆତଙ୍କବାଦୀ ନେଟୱାର୍କ’ ରେ ସାମିଲ ଡାକ୍ତରମାନଙ୍କୁ ଧରିବା ପାଇଁ ଗଭୀର ତଦନ୍ତ ଚଳାଇଛି ।
ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ତଦନ୍ତ ଏଜେନ୍ସିଗୁଡ଼ିକ ୟୁପିର ପାଞ୍ଚ ଜଣ ଡାକ୍ତର ଆଦିଲ ଅହମ୍ମଦ ରାଥେର, ଡକ୍ଟର ଶାହିନ ଶାହିଦ, ଡକ୍ଟର ପରଭେଜ ଅନସାରି, ଡକ୍ଟର ଫାରୁକ ଏବଂ ଡକ୍ଟର ମହମ୍ମଦ ଆରିଫଙ୍କୁ ଗିରଫ କିମ୍ବା ଅଟକ ରଖିଛି । ଅକ୍ଟୋବର ୧୯ ତାରିଖରେ ଶ୍ରୀନଗର ଉପକଣ୍ଠ ନୌଗାମ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍) ପୋଷ୍ଟର ଲାଗିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ତଦନ୍ତ ଜମ୍ମୁ କାଶ୍ମୀର ଓ ଦେଶର ଅନ୍ୟାନ୍ୟ ସ୍ଥାନର ଡାକ୍ତରୀ ବୃତ୍ତିଗତମାନଙ୍କୁ ସାମିଲ କରି ଆନ୍ତଃରାଜ୍ୟ "ହ୍ୱାଇଟ କଲାର ଆତଙ୍କବାଦୀ ନେଟୱାର୍କ’ର ପର୍ଦ୍ଦାଫାଶ କରିଥିଲା । ପୁଲିସ ଆଫଗାନିସ୍ତାନରେ ଲୁଚି ରହିଥିବା ସନ୍ଦେହ କରାଯାଉଥିବା ପୁଲୱାମା ବାସିନ୍ଦା ଡକ୍ଟର ମୁଜାଫର ଅହମ୍ମଦ ରାଥେରଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା ପାଇଁ ଇଣ୍ଟରପୋଲ ସହିତ ମଧ୍ୟ ଯୋଗାଯୋଗ କରିଛି । ମାମଲାର ତଦନ୍ତ ସମୟରେ ତାଙ୍କ ନାମ ସାମ୍ନାକୁ ଆସିଥିଲା । ଡକ୍ଟର ମୁଜାଫର ହେଉଛନ୍ତି ଡକ୍ଟର ଆଦିଲ ଅହମ୍ମଦ ରାଥେରଙ୍କ ଭାଇ ଯିଏ ହ୍ୱାଇଟ୍ କଲାର ଆତଙ୍କବାଦୀ ନେଟୱାର୍କରେ ପୁଲିସ ଦ୍ୱାରା ଗିରଫ ହୋଇଥିବା ପ୍ରଥମ ଡାକ୍ତର ଥିଲେ ।