ଲେବର୍ ମୋବିଲିଟି କନଫରେନ୍ସ ଉଦ୍ଘାଟିତ : ଆର୍ଥିକ ଅଭିବୃଦ୍ଧିକୁ ପ୍ରଭାବିତ କରେ ମାଇଗ୍ରେସନ: ସିଂଦେଓ
ଭୁବନେଶ୍ୱର : ଭୁଟାନ ସରକାର ଓ ବିଶ୍ୱବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକ ବିସ୍ଥାପନ ନିମନ୍ତେ ଗଠିତ ଟାସ୍କଫୋର୍ସର ଚେୟାରମ୍ୟାନ କନକ ବର୍ଦ୍ଧନ ସିଂହଦେଓ ଭାରତରୁ ଅଂଶଗ୍ରହଣ କରିଛନ୍ତି । ବିଶ୍ୱବ୍ୟାଙ୍କ ସମେତ ଦକ୍ଷିଣ ଏସିଆର ପ୍ରମୁଖ ଅର୍ଥନୈତିଜ୍ଞମାନେ ଏହି ସମ୍ମିଳନୀରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ଯୋଗଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ଭୁଟାନର ପ୍ରଧାନମନ୍ତ୍ରୀ ଲିୟନଚୟେନ ସେରିଙ୍ଗ ଟୋବଗେଙ୍କ ସହିତ ଦୁଇ ଦେଶ ସହଭାଗୀତାର ସହ ସମସ୍ତ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ ।
ଲୋକଙ୍କ ମଧ୍ୟରେ ସ୍ଥାନାନ୍ତର ବା ମାଇଗ୍ରେସନ ଏକ ବହୁମୁଖୀ ବାସ୍ତବତା, ଯାହା ଜୀବନର ଗୁଣବତ୍ତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ବହୁମାତ୍ରାରେ ପ୍ରଭାବିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । ଭାରତରେ, ପ୍ରାୟ ୧୦ କୋଟି ପ୍ରବାସୀ ଶ୍ରମିକ ପ୍ରତିବର୍ଷ ସାଧାରଣତଃ ଏକ ରୁ ଛଅ ମାସ ନିମନ୍ତେ କାମ ପାଇଁ ସ୍ଥାନାନ୍ତରିତ ହୁଅନ୍ତି । ଜନଗଣନା ତଥ୍ୟ ଅନୁଯାୟୀ ପ୍ରାୟ ୧୩ କୋଟି ୯୦ ଲକ୍ଷ ଭାରତ ଭିତରେ ହିଁ ସ୍ଥାନାନ୍ତର ହୋଇଛନ୍ତି । ପ୍ରବାସ କାରଣରୁ ଅଧିକାଂଶ ନିଜ ଅଞ୍ଚଳର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଏବଂ ପ୍ରବାସ ସ୍ଥାନରେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧାର ନିରାକରଣ ନିମନ୍ତେ ୧୯୭୯ ମସିହାରୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ତିଆରି ହୋଇ କାର୍ଯ୍ୟକାରୀ ହେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ ।