ଶଗଡରେ ଗଲେ ବର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇବା ପ୍ରୟାସ


 ନୂଆପଡା: ଦିନ ଥିଲା ଲୋକେ ଶଗଡ ଗାଡିରେ ଯାତାୟାତ କରୁଥିଲେ । ବରଯାତ୍ରୀ ବି ଯାଉଥିଲେ । ଯୁଗ ବଦଳିବା ସହ ଲୋକଙ୍କ ଚାଲିଚଳଣିରେ ପରିବର୍ତ୍ତନ ହୋଇଛି । ବିବାହ ଭଳି ସାମାଜିକ କାର୍ଯ୍ୟକ୍ରମ ବ୍ୟୟବହୁଳ ହେଲାଣି । ବହୁ ଦାମୀ ଗାଡିରେ ବରଯାତ୍ରୀ ଯାଉଛନ୍ତି । ବାଣ ଫୁଟାଉଛନ୍ତି, ଏଭଳି ସମୟରେ ବିନା ଗାଡିମୋଟର, ବାଜା ବାଣରେ ଶଗଡ ଗାଡ଼ିରେ ବର ଯାଇଛନ୍ତି କନ୍ୟା ଘରକୁ । ପରିବେଶ ପ୍ରଦୂଷଣ ରୋକିବା ଏବଂ ପୁରୁଣା ସଂସ୍କୃତି ପରମ୍ପରା ବଞ୍ଚାଇବା ଉଦେ୍ଦଶ୍ୟରେ ନୂଆପଡା ସହରର ସିରତୋଲବସ୍ତିର ଜୀବନ ଦଣ୍ଡସେନାଙ୍କ ଏଭଳି ପ୍ରୟାସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନୂଆପଡ଼ା ସହର ୱାର୍ଡ ନଂ. ୧୨ ସିରତୋଲ ବସ୍ତିର ବଣ୍ଟୁଲାଲ ଦଣ୍ଡସେନାଙ୍କ ପୁଅ ଜୀବନଙ୍କ ସହ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଭାଲେଶ୍ୱର ଗାଁର ବଂଶୀଲାଲ ସିହ୍ନାଙ୍କ ଝିଅ ଛାୟାଙ୍କ ବିବାହ ଠିକ୍ ହୋଇଥିଲା । ଝିଅ ଘର ଦୂର ହୋଇଥିବାରୁ ନୂଆପଡାରେ ବିବାହ କରାଯିବାକୁ ନିଷ୍ପତି ହୋଇଥିଲା । ଜୀବନ ଓ ଛାୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ରାତିରେ ସିରତୋଲରୁ ବରବେଶରେ ସଜେଇ ହୋଇବାହାରିଥିଲେ ଜୀବନ । କିନ୍ତୁ ବରଯାତ୍ରୀ ଶୋଭାଯାତ୍ରାରେ ନା ଥିଲା ଗାଡ଼ି ନା ରୋଷଣି । ଏମିତି କି ବାଣ ବି ଫୁଟି ନଥିଲା । ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ । ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିବାକୁ ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।