ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଆସ୍ଥା ବଢ଼ିଛି : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୧ତମ ପାଳି ଶେଷହୋଇଛି। ଭୁବନେଶ୍ୱର ୟୁନିଟ୍-୨ସ୍ଥିତ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା, ଦୁଃଖ ଶୁଣିବା ସହ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି। ହଜାରେ ଅଭିଯୋଗକାରୀ ଅନ୍ଲାଇନ ମାଧ୍ୟମରେ ନାମ ପଞ୍ଜୀକୃତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଆପତ୍ତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୁରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଚିକିତ୍ସା ଖର୍ଚ୍ଚ ପାଇଁ ମୋଟ୍ ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ସେମାନେ ବିଭିନ୍ନ ସମସ୍ୟା ନେଇ ଆମପାଖକୁ ଆସୁଛନ୍ତି। ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ ପାଇଁ ଆମେ ଏହି କାର୍ଯ୍ୟକ୍ରମ ଜାରି ରଖିଛୁ। ଆଗାମୀ ଦିନରେ ଆଞ୍ଚଳିକସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦଶମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ମଧ୍ୟରୁ ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି, ଯାହା ଶତକଡ଼ା ୮୫%। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ସମ୍ପଦ ଚନ୍ଦ୍ର ସ୍ବାଇଁ, ପ୍ରଦୀପ ବଳ ସାମନ୍ତ, ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଛନ୍ତି।