ଶପଥ ନେଲେନି ଏମଭିଏ ବିଧାୟକ ମେଣ୍ଟରୁ ଓହରିଗଲା ସପା
ମୁମ୍ବାଇ : ବିଧାନସଭାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଏମଭିଏ ଦଳଗୁଡିକ ଇଭିଏମକୁ ଦୋଷ ଦେଇ ବୟକଟ କରିଛନ୍ତି । ହେଲେ ସପାର ରାଜ୍ୟ ସଭାପତି ତଥା ବିଧାୟକ ଅବୁ ଅସିମ ଅଜମି ଓ ବିଧାୟକ ରୈସ ଶେଖ ଏମଭିଏ ନିଷ୍ପତ୍ତିକୁ ଖାତିର ନ କରି ବିଧାୟକ ଭାବେ ଶପଥ ନେଇଛନ୍ତି । ଅଜିମ ଗୋଟିଏ ବିବୃତିରେ କହିଛନ୍ତି, ସାଂପ୍ରଦାୟିକ ବିଚାରଧାରା ସହ ସପା କେବେ ହେଲେ ରହିପାରିବ ନାହିଁ । ତେଣୁ ଆମେ ମହା ବିକାଶ ଅଘାଡି (ଏମଭିଏ)ରୁ ନିଜକୁ ପୃଥକ କରୁଛୁ । ମୁଁ ସମାଜବାଦୀ ସଭାପତି ଅଖିଲେଶ ଯାଦବଙ୍କ ସହ ଏ ବିୟେରେ କଥାହୋଇ ସହମତି ଆଣିସାରିଛି ।
ଏମ୍ଭିଏ ସଭାପତି ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ଏହାର ମୁଖ୍ୟକାରଣ ପାଲଟିଛି । ବାବ୍ରୀ ମସଜିଦ ଭଙ୍ଗା ଘଟଣାକୁ ୩୨ ବର୍ଷ ପୂରିଥିବା ବେଳେ ଏ ଅବସରରେ ବରିଷ୍ଠ ନେତା ମିଲିନ୍ଦ ନରଭେକର ସୋଶାଲ ମିଡିଆରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଉକ୍ତି (ଏହାକୁ ଯେଉଁମାନେ ଭାଙ୍ଗିଛନ୍ତି ସେମାନଙ୍କ ପାଇଁ ମୁଁ ଗର୍ବିତ) ସମ୍ବଳିତ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହାସହ ଏହି ଫଟୋରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ନରଭେକରଙ୍କ ଫଟୋ ମଧ୍ୟ ରହିଛି । କିନ୍ତୁ ଏମଭିଏରେ ଥିବା ସପାର ୨ ବିଧାୟକ ଆଗକୁ କୌଣସି ଅସହଯୋଗ ପରିସ୍ଥିତି ଉପୁଜିବା ଆଶଙ୍କା କରି ଏହି ମେଣ୍ଟରୁ ଓହରି ଯାଇଛନ୍ତି । ସପା ବିଧାୟକ ଅବୁ ଅସିମ ଅଜମି କହିଛନ୍ତି ଯେ, ଶିବସେନା (ୟୁବିଟି) ପକ୍ଷରୁ ଖବରକାଗଜରେ ବିଜ୍ଞାପନ ଦିଆଯାଇ ବାବ୍ରୀ ମସଜିଦକୁ ଧ୍ୱଂସ କରିଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଯାଉଛି । ତାଙ୍କ (ଉଦ୍ଧବ ଠାକରେ) ସହଯୋଗୀ ମଧ୍ୟ ଏକ୍ସରେ ପୋଷ୍ଟ କରି ମସଜିଦ ଭଙ୍ଗା ଘଟଣାକୁ ପ୍ରଶଂସା କରୁଛନ୍ତି । ଏମଭିଏରେ ଥିବା କେହି ଯଦି ଏମିତି ଭାଷା କହିବେ, ତା’ହେଲେ ବିଜେପି ଓ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? କାହିଁକି ଆମେ ସେମାନଙ୍କ ସହ ରହିବୁ ବୋଲି ପ୍ରଶ୍ନ କରିଛନ୍ତି ।