ଶାନ୍ତିର ସ୍ଥାନ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ଜୀବନରେ ଶାନ୍ତିର ସ୍ଥାନ କେଉଁଠି ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତି ଯାହା ବି କରେ ତାରି ମୂଳରେ ରହିଛି ଦୁଇଟି ଅକ୍ଷର । ସେଇଟି ହେଲା ଶାନ୍ତି । ଶାନ୍ତି ପାଇବା ପାଇଁ ସମସ୍ତେ ଅହରହ ବ୍ୟାକୁଳ । କିନ୍ତୁ ଏହି ଶାନ୍ତି ଏତେ ସହଜରେ କାହାରିକୁ ଧରା ଦିଏ ନାହିଁ । ପ୍ରକୃତ ଶାନ୍ତି ଆଜି ମଣିଷଠୁ ଖୁବ୍ ଦୂରରେ । ଏ ଦୁଇଟି ଅକ୍ଷର ଶାନ୍ତି ନିଜ ଭିତରେ ହିଁ ଥାଏ । ତାକୁ ଖୋଜିଲେ ମିଳେନାହିଁ । ଯିଏ ୟାକୁ ଖୋଜିବସିବ ତାଠାରୁ ବଳି ଅଶାନ୍ତ ଜୀବନ ଆଉ କାହାର ନାହିଁ । ଯିଏ ଯେଉଁ ପରିସ୍ଥିତିରେ ଯେମିତିବି ଅଛି ସେଇଟାକୁ ଭଲ ପରିସ୍ଥିତି ବୋଲି ଭାବିନେଲେ ମଣିଷ ଜୀବନରେ ଆଉ ଅଶାନ୍ତି ରହିବ ନାହିଁ । କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଯିଏ ଅଛି ସେହି ପରିସ୍ଥିତିକୁ ଯଦି ଖରାପବୋଲିଜଣେ କହିବ ତାହେଲେ ତାହାଠାରୁ ଆଉ ଭଲ ପରିସ୍ଥିତି ଆସିବ ନାହିଁ । ଏହା ଫଳରେ ଜୀବନଟା ଯାକ ଅଶାନ୍ତିରେ କଟିବ । ସୁନ୍ଦର ଫୁଲଟି ମଧ୍ୟ ଅସୁନ୍ଦର ଦିଶିବ । କାରଣ ନିଜେ ଯେତିିକି ପାଇଛ ସେତିକିରେ ସନ୍ତୁଷ୍ଟ ନହେଲେ ସୁନ୍ଦର ଫୁଲଟିଏ ଦେଖି ତାହାଠାରୁ ଆହୁରି ସୁନ୍ଦର ଫୁଲଟିଏ ଅଛି ବୋଲି ଭାବିନେଇ ସେ ତାକୁ ଖୋଜିବସିବ । ଶେଷରେ ସଅଁବାଳୁଆ ପାଖୁଡାତକ ଖାଇଯାଇଥିବା ଖଣ୍ଡିଆ ଫୁଲଟିଏ ସିନା ମିଳିବ । କିନ୍ତୁ ସୁନ୍ଦର ଫୁଲ ବୋଲି କିଛି ମିଳିବ ନାହିଁ । ସୁନ୍ଦରତା ନିଜ ଭିତରେ ହିଁ ଅଛି । ନିଜର ପରିସ୍ଥିତିକୁ ସବୁବେଳେ ସନେ୍ଦହ କରି ଅନ୍ୟ ସହିତ ତୁଳନା କରିଲେ ଯେତେବି ପରିଶ୍ରମ କର ସେହି ଶ୍ରମ ଅର୍ଜିତ ଧନ କାର୍ଯ୍ୟରେ ଲାଗିବ ନାହିଁ କିମ୍ବା ସେହି ଶ୍ରମ ଅର୍ଜିତ ଧନରେ ଶାନ୍ତି ଖୋଜି ଖୋଜି ଅଶାନ୍ତିର ନିଆଁରେ ଜଳିଯିବ । ତେଣୁ ଶାନ୍ତି ପାଇବା ପାଇଁ ଯାହାକୁ କର୍ମ କରୁଛ ତାହାରି ଉପରେ ନିଷ୍ଠା ରଖ ଏବଂ ଯାହା ମିଳିଲା ସେଇଟା ହିଁ ଶାନ୍ତି ବୋଲି ଗ୍ରହଣ କରିନେଲେ ମଣିଷ ସବୁଠାରୁ ସୁଖୀ ହୋଇପାରିବ ।
ହଉ ତାହା ହେଲେ, ଆଜି ପାଇଁ ରହୁଛି । ଆପଣ ଭଲରେ ଥାଆନ୍ତୁ, ନମସ୍କାର ।