ଶିଶୁସ୍ୱାସ୍ଥ୍ୟ ଓ ଶ୍ୱାସପଥ ପ୍ରଦାହ
ଡ.ଜ୍ୟୋତିରଞ୍ଜନ ଚମ୍ପତ୍ତିରାୟ : ପିଲାମାନଙ୍କ ଶ୍ୱାସନଳୀର ଶାରୀରିକ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପିଲାଟିର ଶାରୀରିକ, ମାନସିକ ବୃଦ୍ଧିରେ କେବଳ ପ୍ରତିକୂଳ ପ୍ରଭାବ ପକାଇନଥାଏ ବରଂ ପିଲାଟି ପାଇଁ ଅତ୍ୟନ୍ତ ଘାତକ ଓ ଯନ୍ତ୍ରଣାଦାୟକ ପରିପାଶ୍ୱର୍ିକ ଓ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଥାଏ । ଏମିତିରେ କହିବା ପାଇଁ ଗଲେ ଅଧିକାଂଶ ପିଲାଙ୍କର ଶ୍ୱାସପଥ ପ୍ରଦାହ ରହିଥାଏ ବା କେତେକ ପିଲାଙ୍କର ଜନ୍ମରୁ ଶ୍ୱାସପଥ ଦୁର୍ବଳ ଥିବାରୁ ଅଣନିଶ୍ୱାସୀ ପରିସ୍ଥିତି ସାମ୍ନା କରିଥାନ୍ତି । ସେହିପରି ଆଜିକା ସମୟରେ ପିଲାମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା କୁହାଯାଉଥିବା ବ୍ରଙ୍କୋସ୍କୋପି ଚିକିତ୍ସା କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ସ୍ନାତକୋତ୍ତର ପ୍ରତିଷ୍ଠାନ ଶିଶୁ ଭବନରେ ଉପଲବ୍ଧ ହୋଇ ଏହି ଅତ୍ୟାଧୁନିକ ଓ ପିଲାମାନଙ୍କ ସଙ୍କଟାପନ୍ନ ଜୀବନକୁ ଫେରାଇ ପାରୁଥିବପା ବ୍ରଙ୍କୋସ୍କୋପି ସୁବିଧା ଅନେକ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରୁଛି ।
ସାଧାରଣତଃ ଦେଖାଯାଏ ଶିଶୁମାନେ ଖେଳିବା ବେଳେ ଖେଳଣାରୁ ବାହାରୁଥିବା ଏଲଇଡ଼ି ବଲବ, ଫିରିକ କଣ୍ଟା, ମୁଦି, ହୁଇସିଲ, ଲକେଟ ଆଦି କଠିନ ପଦାର୍ଥ ସମେତ ବାଦାମ, କାଜୁ ଆଦି ବିଭିନ୍ନ ମଞ୍ଜି ଜାତୀୟ ଖାଦ୍ୟକୁ ପାଟିରେ ପୁରାଇବା ମାତ୍ରେ ତାହା ତଣ୍ଟି ଭିତର ଦେଇ ଶ୍ୱାସନଳୀରୁ ତଳକୁ ଖସିଯାଏ । ଏଥିରେ ଅତି ଛୋଟ ପିଲାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଏପରିସ୍ଥିତିରେ ପିଲାଙ୍କୁ ଏହି ବିପଦପୂର୍ଣ୍ଣ ସ୍ଥିତିରୁ ରକ୍ଷା କରିବା ବହୁ କଷ୍ଟସାଧ୍ୟ ହୋଇଥାଏ । ତେବେ ଶିଶୁ ଭବନରେ ବ୍ରଙ୍କୋସ୍କୋପି ଦ୍ୱାରା ଜଟିଳ ସ୍ଥିତିରେ ଥିôବା ଶିଶୁ ମାନଙ୍କ ଜୀବନ ବଞ୍ଚାଇବାରେ ବିଶେଷଜ୍ଞମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।କାହାର ଶ୍ୱାସନଳୀରୁ ଏଲଇଡ଼ି ବଲବ ତ ଆଉ କାହାର ଖୁଚୁରା ପଇସା, ଫିରିକି କଣ୍ଟ, ଆଲପିନ୍, ଲିଚୁ ଲାଇଟ ଆଦି ପଦାର୍ଥ ବ୍ରଙ୍କୋସ୍କୋପି ମାଧ୍ୟମରେ ବାହାର କରିବାରେ ସକ୍ଷମ ହୋଇଛି । ଗତବର୍ଷ ସେପ୍ଟେମ୍ବରରୁ ଅଦ୍ୟାବଧି ପ୍ରାୟ ୯୧ରୁ ଅଧିକ ସଙ୍କଟାପନ୍ନ ଅବସ୍ଥାରେ ଥିବା ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରିଛି ।
ଶିଶୁମାନେ କୌଣସି କଠିନ ଧାତୁ କିମ୍ବା ପଦାର୍ଥ ନାକ ଏବଂ ପାଟିରେ ପୂରେଇ ଦେଇଥାନ୍ତି । ଫଳରେ ତାହା ଶ୍ୱାସନଳୀ ଭିତରକୁ ସହଜରେ ଚାଲିଯାଇଥାଏ । ଏହା ପିଲାଟିର ଶ୍ୱାସ ନଳୀରେ ଅଟକି ଶ୍ୱାସରୁଦ୍ଧ ସହ ଫୁସଫୁସକୁ ବହୁଭାବେ କ୍ଷତିଗ୍ରସ୍ତ କରାଇଥାଏ । ଫଳରେ ଅନେକ କ୍ଷେତ୍ରରେ ଶିଶୁଙ୍କ ସଙ୍କଟାପନ୍ନ ଜୀବନ ଘାତକ ପରିସ୍ଥିତି ସୃଷ୍ଟି ହୋଇଥାଏ ଏବଂ କେତେକ କ୍ଷେତ୍ରରେ ମୃତ୍ୟୁ ହେବାର ଆଶଙ୍କା ଥାଏ । ତଣ୍ଟି ଓ ଛାତି ଏକ୍ସରେ ବା ସ୍କାନିଂରୁ ଶ୍ୱାସନଳୀରେ କୌଣସି ପଦାର୍ଥ ଥିବା ଜଣାପଡ଼ିଥାଏ । ତେଣୁ ବ୍ରଙ୍କୋସ୍କୋପି ପଦ୍ଧତିରେ ଫ୍ଲେକ୍ସିବୁଲ ଫାଇବର ଅପଟିକ୍ସ ଦ୍ୱାରା ଶ୍ୱାସନଳୀରେ ଥିବା ବାହ୍ୟ ବସ୍ତୁକୁ ଠିକ ଭାବେ ଠାବ କରାଯାଏ । ପରେ ନିର୍ଦ୍ଧାରିତ ପଦ୍ଧତି ଅନୁସରଣ କରି ଡର୍ମିଆ ବାସ୍କେଟ ଦ୍ୱାରା ସମ୍ପୃକ୍ତ ଶିଶୁ ଶ୍ୱାସନଳୀରେ ପଶି ରହିଥିବା ପଦାର୍ଥକୁ ବାହାର କରାଯାଇଥାଏ । ବିନା ଅସ୍ତ୍ରୋପଚାରରେ ଜଟିଳ ସ୍ଥିତିରେ ପିଲାର ଶ୍ୱାସନଳୀରେ ଥିବା ପଦାକୁ ବାହାର କରାଯାଇଥାଏ । ଏହି ଚିକିତ୍ସା କ୍ଷେତ୍ରରେ ଇଏନଟି ବିଶେଷଜ୍ଞ ଓ ନିଶ୍ଚେତକ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଇଥାଏ । ଓଡ଼ିଶା ପାଇଁ ବଡ଼ଖୁସିର କଥା ଗତ ୧୦ ମାସରେ ଶିଶୁ ଭବନରେ ୯୧ରୁ ଅଧିକ ଶିଶୁଙ୍କୁ ବ୍ରଙ୍କୋସ୍କୋପି ଚିକିତ୍ସା ପଦ୍ଧତିରେ ଡାକ୍ତରମାନେ ମରଣ ମୁହଁରୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଛନ୍ତି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ବିନା ମୂଲ୍ୟରେ ପରୀକ୍ଷା, ଡାକ୍ତରୀ ପରାମର୍ଶ ଓ ଔଷଧ ପ୍ରଦାନ କରୁଛନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ପିଲାଟିର ଶ୍ୱାସନଳୀ ଭିତରକୁ ଚାଲିଯାଇଥିବା କୌଣସି ଜିନିଷକୁ ପ୍ରାୟତଃ ଅଭିଭାବକ ବା ତା ନିକଟ ସମ୍ପର୍କୀୟମାନେ ପ୍ରଥମେ ଦେଶୀୟ ଚିକିତ୍ସା ଆରମ୍ଭ କରିଥାନ୍ତି । ଅନ୍ୟମାନଙ୍କ କାନକୁହା କଥା ଶୁଣି ଏଣୁତେଣୁ ଚିକିତ୍ସା ଆରମ୍ଭ କରି ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଲାବେଳକୁ ଯଥେଷ୍ଟ ବିଳମ୍ବ ହୋଇସାରିଥାଏ । ତେଣୁ ଏପରି ସ୍ଥିତିରେ ସର୍ବପ୍ରଥମେ ଧୈର୍ଯ୍ୟହରା ନହୋଇ ପିଲାଟିକୁ ଆଶ୍ୱସ୍ତ ପ୍ରଦାନ କରି ତତକ୍ଷଣାତ୍ ନିକଟସ୍ଥ ଡାକ୍ତରଖାନା, ବଡ଼ ଡାକ୍ତରଖାନା କିମ୍ବା ଶିଶୁଭବନର ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ବାଲେଶ୍ୱର
E-mail : drjyotiranjanchampatray123@gmail.com