ଡ.ଅରୁନ୍ଧତୀ ଦେବୀ : ମାଣବସା ଗୁରୁବାର ଓଡ଼ିଶାର ବା ଓଡ଼ିଆଙ୍କ ଏକାନ୍ତ ନିଜସ୍ୱ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ଝୋଟି, ଧାନଶିଶା, ଆଙ୍ଗୁଠି ଚିତା ଯେଭଳି ଓଡ଼ିଆଙ୍କ ନିଜସ୍ୱ, ପିଠାପଣା, ପୂଜା ରୀତି ନୀତି ସେପରି ଓଡ଼ିଆ ଜାତିର ପୂର୍ବ ସମୃଦ୍ଧି, ପୂର୍ବ ବଡ଼ିମାର ନିଦର୍ଶନ । ଏ ପୂଜାରେ ଜାତି ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ଯାଏଁ ସବୁ ଓଡ଼ିଆ ଘରେ ଏ ପର୍ବ ପାଳନ କରାଯାଏ । ମହାଲକ୍ଷ୍ମୀ ଆମ ହିନ୍ଦୁଘରର ଧନଦାତ୍ରୀ ଦେବୀ ରୂପେ ଅଧିଷ୍ଠିତା । ଲକ୍ଷ୍ମୀପୂଜା ସାରା ଭାରତର ହିନ୍ଦୁ ସମାଜରେ ପ୍ରଚଳିତ । ମାଣବସା ମଧ୍ୟ ଅନ୍ୟ ପ୍ରଦେଶରେ ପ୍ରଚଳିତ ଅଛି; କିନ୍ତୁ ଆମ ମାର୍ଗଶୀର ମାସ ଗୁରୁବାର ମାଣବସା ଭଳି ଚାରି ବା ପାଞ୍ଚପାଳି ମାଣବସା ଓଡ଼ିଆଙ୍କ ବ୍ୟତୀତ ଅନ୍ୟ କେଉଁଠି ହୁଏନାହିଁ ।
ଘରୋଇ ପରିବେଶରେ ଜଣେ ଗୃହିଣୀ ଯେପରି ରାନ୍ଧିବାଢ଼ି ଘରଦ୍ୱାର ସଫା ସୁତରା ରଖି ଚଳିବା କଥା, ସେହି ପରିବେଶ, ସେହିରୂପରେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି । ମାର୍ଗଶିର ମାସ ଆସିବା ମାତ୍ରେ ସହର ମଫସଲ ସର୍ବତ୍ର ସ୍ତ୍ରୀମାନଙ୍କ ଭିତରେ ଗୋଟାଏ ଚହଳ ସୃଷ୍ଟି ହୁଏ । ଅରୁଆ ଚାଉଳ ବଟା ପିଠଉ, ଢ଼ାଉ ହଳଦିଆ ମାଟି ସଂଗ୍ରହ କରି କେତେ ରଙ୍ଗରେ ହାତୀ, ମୟୁର ଓଲଟ ଶୁଆ, ଧାନଶିଶା, ଜାତି ଜାତିକା ଆଙ୍ଗୁଠି ଚିତାମାନ ପକାନ୍ତି ଯେ ଦେଖିଲେ ଆଖି ଲାଖି ରହେ । ପୂର୍ବଦିନ ସନ୍ଧ୍ୟାରୁ ଝୋଟି ଚିତା ପକାଇବା ଆରମ୍ଭ ହୋଇଯାଇଥାଏ । ଗୁରୁବାର ସକାଳେ ବଡ଼ିଭୋରରୁ ସ୍ନାନକର୍ମ ସମାପନ ପରେ ଘରର ସ୍ତ୍ରୀ ଲୋକମାନେ ରନ୍ଧାକାର୍ଯ୍ୟରେ ଲାଗିଯାନ୍ତି । ଅମଳ ହୋଇଥିବା ଫସଲରୁ ଶୁକ୍ଳବର୍ଣ୍ଣ ଧାନ ଆଣି ନୂଆ ଗୌଣି ଧାନ ମାପ ପାତ୍ରରେ ବା ଖଟୁଲିରେ ରଖି ଧାନପେଣ୍ଡା ବା କେଣ୍ଡାକୁ ବେଶି ବା ବେଣ୍ଟିକରି ଥୋଇ ପୂଜା କରାଯାଏ । ରଙ୍ଗୀନ ପାଟଲୁଗାରେ ସେହି ଗୌଣି ବା ଖଟୁଲିକୁ ବୋହୂ ଭଳି ସଜାଇ ଆଖୁ, ମୂଳା, କଦଳୀ, ଛେନା, ନଡ଼ିଆ, ଭୋଗ କରାଯାଏ । ଅରୁଆ ଚାଉଳକୁ ବାଟି ଖଟୁଲି, ଦେବୀ ସ୍ଥାପନ ସ୍ଥାନ ଓ ଘର ଦୁଆରମାନଙ୍କରେ ଝୋଟି ଚିତା ପକାଯାଏ । ଧୂପ, ଦୀପାଦି ସହ ସୁସ୍ୱାଦୁ ବ୍ୟଞ୍ଜନ ନୈବେଦ୍ୟ ବଢ଼ାଯାଏ ।
ଏହି ମାଣବସା ଭୋଗ ଆମ ଓଡ଼ିଆଙ୍କ ନିଜସ୍ୱ ରାନ୍ଧଣାର ନିଦର୍ଶନ । ଓଡ଼ିଆଙ୍କ ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳାଶାଗ, ରାଇ, ସୋରିଷ ଶାଗ ରାଇ, ଚିତଉ ଚକୁଳି, ଖିରିସା ପାଣି, ବିରି ଗେଟେଇ, ଅଟକାଳି, ସରପୁଳି, ଦୁଧପୁଳି, ବଡ଼ି ପକା ମହୁର, ବେସର ନଡ଼ିଆ ପକା ଶାଗ, କର୍ପୂର ମରିଚ ପକା ଛେନା, ନଡ଼ିଆ ଚକଟା, କାକରା ପିଠା, ଆରିସା ପିଠା, ମୁଗ ପୁଳି, ମୁଗ କାନ୍ତି ଏଭଳି ରାନ୍ଧଣା ଓଡ଼ିଆଙ୍କ ଘର ଛଡ଼ା ଅନ୍ୟ ଆଡେ଼ ହୁଏ ନାହିଁ । ମାର୍ଗଶୀର ମାସରେ ପଡ଼ୁଥିବା ଚାରି କି ପାଞ୍ଚପାଳି ଗୁରୁବାର ଯେପରି ନିଷ୍ଠାରେ ପାଳନ କରାଯାଏ ତହିଁରୁ ଓଡ଼ିଆଙ୍କ ସାମାଜିକ ଚାଲିଚଳଣ ଅନ୍ୟମାନଙ୍କ ଠାରୁ ବାରି ହୋଇ ପଡେ଼। ଘରଣୀ ହେଉଛି ଘର । ଘରଣୀ ବିନା ଘରର କଳ୍ପନା କରାଯାଇପାରିବ ନାହିଁ । ଏପରିକି ବଡ଼ ଦେଉଳ ମଧ୍ୟ ଲକ୍ଷ୍ମୀଙ୍କ ବିନା ଛାରଖାର ହୋଇଯାଇଛି । ଜଗନ୍ନାଥ, ବଳଭଦ୍ରଙ୍କ ପରି ଦେବତା ମଧ୍ୟ ଦେହି ଦେହି ହୋଇ ବାରଦ୍ୱାର ତେର ପନ୍ଦାଡ଼ ବୁଲିଛନ୍ତି । ପଦ୍ମପୋଖରୀରୁ ପାଣି ଶୁଖିଯାଇଛି । ସ୍ୱୟଂ ମହାଲକ୍ଷ୍ମୀ ବ୍ରାହ୍ମଣଠାରୁ ଚଣ୍ଡାଳଯାଏଁ ଦୁଆର ଦୁଆର ବୁଲିଛନ୍ତି । ଯେଉଁଠି ନିଷ୍ଠା, ପବିତ୍ରତା ଦେଖିଛନ୍ତି, ସେଇଠି ସନ୍ତୁଷ୍ଟ ହୋଇ ଆପେ ଆପେ ଯାଚି ବରଦାନ କରିଛନ୍ତି । ଏ ବ୍ରତରେ ଜାତିଭେଦ ନାହିଁ । ଲକ୍ଷ୍ମୀ ପୁରାଣର ଏହି ମାର୍ମିକ କାହାଣୀ ପ୍ରତ୍ୟେକ ଘରେ ଏହିଦିନ ପାଠ କରାଯାଏ ।
ମୋ : ୯୯୩୭୧୭୨୮୧୦