ଶେଷକୁ ମାଟି ବି ଅଭାବ


ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରକେ ଗଣେଶ ପୂଜା, ଖୁଦୁରୁକୁଣୀ ପୂଜା, ଦୂର୍ଗାପୂଜା ଭଳି ଅନେକ ପ୍ରକାରର ପୂଜା ନିମିତ୍ତ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥାଏ । ଏହି ମୂର୍ତ୍ତି ନିର୍ମାଣ ପାଇଁ କାରିଗରମାନେ ନିର୍ଦ୍ଦିଷ୍ଟ ମାନର ମାଟି ସଂଗ୍ରହ କରିଆଣି ମୂର୍ତ୍ତି ନିର୍ମାଣ କରନ୍ତି । ଏ କ୍ଷେତ୍ରରେ ବର୍ତ୍ତମାନ ଏକ ସମସ୍ୟା ଦେଖା ଦେଲାଣି । ବିଗତ କେତେବର୍ଷ ହେଲା ରାଜଧାନୀ ଭୁବନେଶ୍ୱର ଏବଂ ରାଜ୍ୟର ଆଉ କେତେକ ସହରାଞ୍ଚଳରେ ମୂର୍ତ୍ତି ନିର୍ମାଣ ନେଇ ଆଉ ମାଟି ମିଳୁନାହିଁ । ମୂର୍ତ୍ତି ନିର୍ମାଣର ମାନ ଥିବା ମାଟି ସଂଗ୍ରହ କରାଯାଉଥିବା ଅଞ୍ଚଳଗୁଡ଼ିକ ଜମି ମାଫିଆମାନଙ୍କ ଦ୍ୱାରା ବିକ୍ରି ହୋଇଗଲାଣି କିମ୍ବା ସେସବୁ ସ୍ଥାନରେ ବଡ଼ ବଡ଼ କୋଠା ଛିଡ଼ା ହୋଇଗଲାଣି । ତେଣୁ କାରିଗରମାନଙ୍କୁ ମାଟି ସଂଗ୍ରହ କରିବା ପାଇଁ ଅନେକ ଦୂରକୁ ଯିବାକୁ ପଡୁଛି । କେବଳ ମୂର୍ତ୍ତି ନିର୍ମାଣ ନୁହେଁ ବିଭିନ୍ନ ମନ୍ଦିରରେ ପ୍ରସାଦ ଏବଂ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ତଥା ବିକ୍ରି କ୍ଷେତ୍ରରେ ମାଟି କୁଡୁଆର ବ୍ୟବହାର ହୋଇଥାଏ । ଏହି ମାଟି କୁଡୁଆଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ମାନର ମାଟିରେ ତିଆରି ହୋଇଥାଏ । ଏ ପ୍ରକାରର ମାଟିଗୁଡ଼ିକ ଦିନକୁ ଦିନ ଆଉ ମିଳୁନାହିଁ । ଏହାର ଅଭାବ ଯୋଗୁଁ ଅନେକ ମନ୍ଦିରରେ କୁମ୍ଭକାରମାନେ କୁଡୁଆ ଯୋଗାଇବା କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଲେଣି । ଏଣେ ବିଭିନ୍ନ ପୂଜା ପାଇଁ ନିର୍ମାଣ କରାଯାଉଥିବା ମୂର୍ତ୍ତିଗୁଡ଼ିକର ଉଚ୍ଚତାକୁ ଛୋଟ କରିବା ପାଇଁ କାରିଗରମାନେ ବାଧ୍ୟ ହେଉଛନ୍ତି । 
ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ମୂର୍ତ୍ତି ଗଢ଼ିବା ପାଇଁ ବ୍ୟବହୃତ ହେଉଥିବା ମାଟି ସାଧାରଣତଃ କୃଷି ଉପଯୋଗୀ ଏବଂ ଏହି ମାଟି ଥିବା ଅଞ୍ଚଳରେ ଫସଲ ଭଲ ହୋଇଥାଏ । ବର୍ଷକୁ ବର୍ଷ ଏଭଳି ମାଟି ବିପୁଳ ପରିମାଣରେ ଉଠେଇ ନେଇ ମୂର୍ତ୍ତି ତିଆରି କାର୍ଯ୍ୟରେ ଲଗାଯାଉଥିବାର କୃଷି ତଥା ପରିବେଶ ଦୃଷ୍ଟିରୁ ମଧ୍ୟ ସମସ୍ୟା ଉପୁଜିଲାଣି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ପ୍ରକୃତିର ଭାରସାମ୍ୟ ଏବଂ ପରିବେଶର କୌଣସି କ୍ଷତି ନହେବା ଭଳି ଉପାୟ ଅବଲମ୍ବନ କରି ମାଟି ଉଠେଇବା କିମ୍ବା ମୂର୍ତ୍ତି ବିସର୍ଜନ କରିବା ଭଳି ବ୍ୟବହାରଗତ ପରିବର୍ତ୍ତନର ଆବଶ୍ୟକତା ଦେଖା ଦେଲାଣି । ତେବେ ମୂର୍ତ୍ତି ଛୋଟ ହେଉ କିମ୍ବା ମୂର୍ତ୍ତିର ଦାମ୍ ଅଧିକ ହେଉ ସେଥିରେ ପରିବେଶଗତ ସମସ୍ୟାର କିଛି ଫରକ୍ ପଡୁନାହିଁ । ଲୋକମାନେ ଯେଭଳି ବିପୁଳ ସଂଖ୍ୟାରେ ମୂର୍ତ୍ତି କିଣୁଛନ୍ତି ତାହା ପରିବେଶ ପ୍ରତି ଆହ୍ୱାନ ସୃଷ୍ଟି କରୁଛି । ମୂର୍ତ୍ତି ନିର୍ମାଣ ଉପଯୋଗୀ ମାଟି ଉଠା ଯାଉଥିବା ସ୍ଥାନ କ୍ରମେ ଗାତରେ ପରିଣତ ହୋଇଗଲାଣି । ଏହି ଗାତଗୁଡ଼ିକ କିଭଳି ଭାବରେ ପୂରଣ ହେବ ସେ ସମ୍ପର୍କରେ କୌଣସି ପଦକ୍ଷେପ ନେବା ଭଳି ଚିନ୍ତା ଏପର୍ଯ୍ୟନ୍ତ କେହି କୌଣସି ମଞ୍ଚରେ କରିନାହାନ୍ତି । ବିଭିନ୍ନ ସରକାରୀ ଜାଗାରୁ ମାଟି, ମୋରମ୍, ବାଲି ଆଦି ଉଠାଇବା ଏକ ବେଆଇନ୍ ବ୍ୟବସାୟରେ ପରିଣତ ହୋଇଗଲାଣି । ଏଭଳି ବେଆଇନ୍ ଚୋରା କାରବାରରେ ସମ୍ପୃକ୍ତ ଥିବା ଅନେକ ଗାଡ଼ି ଏବଂ ଟ୍ରାକ୍ଟର ମଧ୍ୟ ଜବତ୍ କରାଯାଇଛି । ଏହାସତ୍ତ୍ୱେ ମାଟିର ଚୋରା କାରବାର କିମ୍ବା ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ବନ୍ଦ ହେଉନାହିଁ । ଏହା ଉପରେ ମୂର୍ତ୍ତ ତିଆରି ଯୋଗ୍ୟ ମାଟିର ବ୍ୟବହାର ଦିନକୁ ଦିନ ବଢୁଛି । 
ପ୍ରତିବର୍ଷ ବିଭିନ୍ନ ପୂଜା ଏବଂ ପର୍ବପର୍ବାଣୀରେ ବଜାରକୁ ଆସୁଥିବା ମୂର୍ତ୍ତିର ବିକ୍ରି ମଧ୍ୟ ବଢୁଛି । ତେବେ ବିକ୍ରି ହୋଇପାରୁନଥିବା ମୂର୍ତ୍ତିଗୁଡ଼ିକୁ କାରୀଗରମାନେ ଆଉ ଗାଡ଼ି ଭଡ଼ା ଦେଇ ଫେରେଇ ନେଉନାହାନ୍ତି । ପୂଜା ସରିବା ପରେ ସେହିଠାରେ ଛାଡ଼ି ଚାଲି ଯାଉଛନ୍ତି । ଏହା ଫଳରେ ନିର୍ମିତ ହୋଇଥିବା ମୂର୍ତ୍ତିଗୁଡ଼ିକ ସ୍ଥାନୀୟ ମୁ୍ୟନିସିପାଲଟି ପାଇଁ ଆଉ ଏକ ସମସ୍ୟାର କାରଣ ପାଲଟୁଛି । ବର୍ତ୍ତମାନ ପରିବେଶଜନିତ କ୍ଷତିକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଆକାରକୁ ଛୋଟ କରି ଦେଲେ ମଧ୍ୟ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାଗୁଡ଼ିକୁ ଦୃଷ୍ଟି ଦିଆଯିବା ଆବଶ୍ୟକ ।