ଶେଷରେ ସତ ମାନିଲା ଜୈଶ: ଅପରେସନ ସିନ୍ଦୂରରେ ମାସୁଦ ଆଝାରର ପରିବାର ଧ୍ୱଂସ ପାଇଥିଲା  

ନୂଆଦିଲ୍ଲୀ: ଶେଷରେ ସତ ମାନିଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂରରେ ପାକିସ୍ତାନ ଭିତରେ  ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲା । ଯେଉଁଥିରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ପ୍ରଭୁତ କ୍ଷତି ହୋଇଥିଲା । ଅପରେସନ୍ ସିନ୍ଦୂର ଅଧୀନରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବାର ମାସକ ପରେ ଜୈଶ-ଇ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ମାସୁଦ ଇଲିଆସ କାଶ୍ମୀର ସ୍ୱୀକାର କରିଛି ଯେ ବାହାବଲପୁରରେ ଭାରତ ଆକ୍ରମଣରେ ମାସୁଦ ଆଝାରର ପରିବାର ନିଶ୍ଚିହ୍ନ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା । 
ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜୈଶ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀ ଭାରତୀୟ ସଶସ୍ତ୍ର ବାହିନୀ ତାଙ୍କ ଆଡ୍ଡାରେ କିପରି ପ୍ରବେଶ କରି ତାଙ୍କ ଉପରେ ଆକ୍ରମଣ କରିଥିଲେ ତାହା କହୁଥିବାର ଶୁଣିବାକୁ ମିଳୁଛି । 
କାଶ୍ମୀରୀ ଉର୍ଦ୍ଦୁରେ କହୁଥିବାର ଶୁଣିବାକୁ ମିଳୁଛି, ଆତଙ୍କବାଦକୁ ଆଲିଙ୍ଗନ କରି ଆମେ ଏହି ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଦିଲ୍ଲୀ, କାବୁଲ ଏବଂ କାନ୍ଦାହାରରୁ ଲଢ଼ିଥିଲୁ । ସର୍ବସ୍ୱ ବଳିଦାନ ଦେବା ପରେ ମୌଲାନା ମାସୁଦ ଆଝାରଙ୍କ ପରିବାରକୁ ମେ ୭ ତାରିଖରେ ବାହାବଲପୁରରେ ଖଣ୍ଡ     ଖଣ୍ଡ କରି ନିଶ୍ଚିହ୍ନ କରି ଦିଆଯାଇଥିଲା ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତୁ୍ୟର କିଛି ସପ୍ତାହ ପରେ ଭାରତୀୟ ସଶସ୍ତ୍ର ବାହିନୀ ‘ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା । ଏଥିରେ ପାକିସ୍ତାନ ଏବଂ ପିଓକେ ଭିତରେ ଥିବା ନଅଟି ଆତଙ୍କବାଦୀ ଶିବିର ଉପରେ ଏକକାଳୀନ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଜୈଶ-ଇ-ମହମ୍ମଦ (ଜେଇଏମ) ଓ ଲସ୍କର-ଇ-ତୈବା (ଏଲଇଟି) ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା । ପରେ ପାକିସ୍ତାନ ସ୍ୱୀକାର କରିଥିଲା ଯେ ଏହି ଆକ୍ରମଣରେ ନଅଟି ସ୍ଥାନରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ବାହାବଲପୁର, କୋଟଲି ଏବଂ ମୁରିଦକେ ସ୍ଥାନ ଅନ୍ତର୍ଭୁକ୍ତ । ଯାହା ଉଗ୍ରବାଦୀ ଆତଙ୍କବାଦୀ କାର୍ଯ୍ୟକଳାପର ଜଣାଶୁଣା କେନ୍ଦ୍ର ଥିଲା । ପାକିସ୍ତାନର ୧୨ତମ ବୃହତ୍ତମ ସହର ବାହାବଲପୁରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା କାରଣ ଏହା ଜୈଶ-ଇ-ମହମ୍ମଦର ମୁଖ୍ୟ କେନ୍ଦ୍ର । ଲାହୋରରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଜାମିଆ ମସଜିଦ ସୁଭାନ ଆଲ୍ଲାହରେ ଜୈଶ-ଇ-ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ ଥିଲା, ଯାହାକୁ ଉସମାନ-ଓ-ଅଲି କ୍ୟାମ୍ପସ ମଧ୍ୟ କୁହାଯାଏ ।