ଶ୍ରେଷ୍ଠଜନଙ୍କ ମିତ୍ରତା


ଆମେ ବେଳେବେଳେ ପ୍ରାୟ ଶୁଣିଥାଉ ଯେ ଜଣଙ୍କର କୌଣସି ଭଲ ପରିବର୍ତ୍ତନ ହେଉ ବା ଖରାପ ପରିବର୍ତ୍ତନ ହେଉ ଏଥିରେ ସଙ୍ଗ ଦୋଷ ବା ସଙ୍ଗର ପ୍ରଭାବ ରହିଛି । ତେବେ ବାସ୍ତବରେ ସଙ୍ଗ କିଏ ? ଏବଂ ସଙ୍ଗର ପ୍ରଭାବ କିପରି ଅନ୍ୟ ଜଣଙ୍କ ଉପରେ ପଡ଼ିଥାଏ ଆସନ୍ତୁ ଏହାରି ଉପରେ ଏକ ଆଲୋଚନାଟି ରଖିବା । ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀଙ୍କ ମଧ୍ୟରୁ ମାନବ ହେଉଛି ଶ୍ରେଷ୍ଠ । କାରଣ ମାନବ ମଧ୍ୟରେ ଚିନ୍ତନ କ୍ଷମତା ଓ ଉଚିତ ଅନୁଚିତ ନିର୍ଣ୍ଣୟ କରିବାର କ୍ଷମତା ରହିଛି । ଅନ୍ୟ ପ୍ରାଣୀମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତା'ର ପରିଣାମ ସମ୍ବନ୍ଧରେ ବିଚାର କରିବାରେ ଅସମର୍ଥ ହୋଇଥାଆନ୍ତି । ମାତ୍ର ସମାଜ ଆଶ୍ଚର୍ଯ୍ୟ ସେତେବେଳେ ହୋଇଥାଏ ଯେତେବେଳେ ମାନବ ଶିକ୍ଷିତ ହୋଇ ମଧ୍ୟ ନିଜ ବ୍ୟବହାର ଓ ଅକୁଶଳତା ଯୋଗୁଁ ଶ୍ରେଷ୍ଠରୁ ନିମ୍ନଗାମୀ ହୋଇଥାଏ । ସମାଜରେ ଏଭଳି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସାମାନ୍ୟ ପଦରୁ ଉଚ୍ଚକୁ ଯିବା ପରେ କର୍ତ୍ତବ୍ୟକୁ ଭୁଲି ଅବାଟରେ ଚାଲିଯାଇ ଅହଙ୍କାରୀ ପାଲଟି ଯାନ୍ତି । କାରଣ ମଣିଷ ସମଗ୍ର ସୁଖ ଓ ବିଳାସପୂର୍ଣ୍ଣ ଆଶାରେ ନିଜର ପ୍ରକୃତ ଅସ୍ଥିତ୍ୱ ଭୁଲିଯାଏ । ଯାହାଦ୍ୱାରା ସେ କରିବସେ ଅନେକଗୁଡ଼ିଏ ପାପ କର୍ମ । ଏହା ବ୍ୟତୀତ ମଣିଷର ବ୍ୟବହାରରେ ୭୦ ପ୍ରତିଶତ ପ୍ରଭାବ ପରିବେଶରେ ବିଚ୍ଛୁରିତ ହୋଇଥାଏ । ଯଦି ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ଆମ ଆଖପାଖ ପରିବେଶରେ ବୃଦ୍ଧି ପାଇଥାଏ, ତେବେ ବ୍ୟକ୍ତି ନିଜ ଜୀବନରେ କେବେ ସୁଖଶାନ୍ତି ପାଇନଥାଏ । ଏକତ୍ର ମିଳିମିଶି ରହିବାର ଆଶା ମଧ୍ୟ କେବେ ପୂର୍ଣ୍ଣ ହୋଇନଥାଏ ତା'ର । ଏଭଳି ବ୍ୟକ୍ତିଙ୍କ ପ୍ରକୃତି ଓ ମନ୍ଦ ବୁଦ୍ଧି ପରିବେଶକୁ କଳୁଷିତ କରିଥାଏ । କାରଣ ଦୁର୍ଗୁଣ ଶୀଘ୍ର ପ୍ରକାଶିତ ହୋଇଥାଏ । ଏମାନଙ୍କ ସହ ମିଶିଲେ ଜଣେ ଉତ୍ତମ ମଣିଷ ବି କୁକର୍ମ କରିବାକୁ ପଛାଇନଥାଏ । ଈର୍ଷା, କ୍ରୋଧ, ଅଭିମାନ, ପରିବର୍ତ୍ତନର ଭାବନା, ତିରସ୍କାର ଭାବନା ଆଦି ଗୁଣମାନ ଧୀରେ ଧୀରେ ଉତ୍ତମ ଚରିତ୍ର ବ୍ୟକ୍ତିଙ୍କ ମଧ୍ୟରେ ପ୍ରବେଶ କରେ । କୁସଙ୍ଗରେ ମିଶି ଭଲ ବ୍ୟକ୍ତି ନିଜର ନୈତିକ ମୂଲ୍ୟକୁ ହରାଇଦିଏ । ଅମୃତର ଏକ ବୁନ୍ଦା ଯେତେବେଳେ କଦଳୀରେ ପଡ଼ିଥାଏ ସେତେବେଳେ କଦଳୀ କର୍ପୂର ପାଲଟିଯାଏ । ଯେତେବେଳେ ସେହି ବୁନ୍ଦ ପାଣିରେ ପଡ଼େ ତାହା ଅମୃତ ହୋଇଯାଏ । କିନ୍ତୁ ଯେତେବେଳେ ଏହି ବୁନ୍ଦା ଏକ ସାପ ମୁହଁରେ ପଡ଼େ ତେବେ ସେ ବିଷ ପାଲଟିଯାଏ । ଏହାର ଅର୍ଥ ଯେମିତି ସଙ୍ଗ ସେମିତି ଫଳ । ଶ୍ରେଷ୍ଠଜନଙ୍କ ସହିତ ବନ୍ଧୁତ୍ୱ କରିବା ଦ୍ୱାରା ଜଣେ ଦୁଷ୍ଟ ତଥା ଦୁର୍ଜନ ବ୍ୟକ୍ତି ବି ସଜ୍ଜନ ପାଲଟିଯାଏ । ଏହାର ଉଦାହରଣ ଅଧିକାଂଶ ସମୟରେ ମିଳିଥାଏ । ଯେପରି ତରଭୁଜକୁ ଦେଖିକରି ତରଭୁଜ ରଙ୍ଗ ପରିବର୍ତ୍ତିତ କରିଥାଏ । ସେହିପରି ବ୍ୟକ୍ତିତ୍ୱ ଉପରେ ସଙ୍ଗତର ପ୍ରଭାବ ପଡ଼ିଥାଏ ।  ଆଜି ସମାଜରେ ଯେଉଁସବୁ ଭଲ ଓ ଖରାପ ପ୍ରଭାବ ଦେଖିବାକୁ ମିଳୁଛି ସେ ସବୁ କେବଳ ସଙ୍ଗ ପ୍ରଭାବ । ଏଣୁ ଉତ୍ତମ ବ୍ୟକ୍ତିଙ୍କ ସହ ମିତ୍ରତା ଆମକୁ ବହୁ ଉଚ୍ଚକୁ ନେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଦେଇଥାଏ । ଏହାର ତାତ୍ପର୍ଯ୍ୟ, ଯଦି ସଙ୍ଗ ଭଲ ହୋଇଥାଏ ତେବେ ବ୍ୟକ୍ତିର ଜୀବନ ସରସ ସୁନ୍ଦର ହୁଏ । ଯଦି କୁସଙ୍ଗର ପ୍ରଭାବ ପଡ଼େ ତେବେ ବ୍ୟକ୍ତି ମନ୍ଦ ପ୍ରକୃତିର ହୋଇଥାଏ । ତେଣୁ ସର୍ବଦା ସତସଙ୍ଗରେ ରହିବା ସହ ଉତ୍ତମ ଓ ଗୁଣୀଜନଙ୍କ ସହ ସଦଭାବ ରଖିଲେ ଜୀବନ ମହତ୍ୱପୂର୍ଣ୍ଣ ଓ ଆଧ୍ୟାତ୍ମିକମୟ ହୋଇପାରିବ । 
ଦେବଦତ୍ତ ବିଶ୍ୱାଳ,ମୋ : ୯୮୬୧୯୪୪୫୯୪