ପହଲଗାମର ଦେବଦୂତ


ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀରର ପହଲଗାମ୍ ଠାରେ ୪ ଜଣ ଆତଙ୍କବାଦୀ ଧର୍ମ ପଚାରି କେବଳ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ଲକ୍ଷ୍ୟ କରି ୨୬ ଜଣଙ୍କୁ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଆଜି ସମଗ୍ର ଦେଶ ଏକ ହୋଇଯାଇଛି । ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ ଓ ସମର୍ଥନ ଜଣାଇଛନ୍ତି । ଭାରତ ଭିତରେ ବର୍ତ୍ତମାନ ଘଟୁଥିବା ପ୍ରତ୍ୟେକଟି ରାଜନୀତିକ ଘଟଣାବଳୀ ପାକିସ୍ତାନ୍ରେ ହୃତ୍କମ୍ପନ ସୃଷ୍ଟି କରି ଦେଉଛି । ଏଭଳି ପରିସ୍ଥିତିରେ ଭିତରେ ଦେଶରେ ଏକତା ମଧ୍ୟ ସୁଦୃଢ଼ ହେବାରେ ଲାଗିଛି । ଆଉ ଧର୍ମ, ସମ୍ପ୍ରଦାୟକୁ ନେଇ ନାନା ବିଭେଦକାରୀ ମତମନ୍ତବ୍ୟ ମଧ୍ୟ ଶୁଣିବାକୁ ମିଳୁଛି ।  ତେବେ ୟାରି ଭିତରେ ସବୁଠାରୁ ବଡ଼କଥା ହେଲା ପହଲଗାମ୍ର ଆତଙ୍କୀ ଗୁଳିକାଣ୍ଡ ଘଟୁଥିବା ବେଳେ ସ୍ଥାନୀୟ ଯୁବକ ସୟଦ ଆଦିଲ୍ ହୁସେନ୍ ଓ ନଜାକତ୍ ଅଲ୍ଲୀ ପର୍ଯ୍ୟଟକମାନଙ୍କ ପାଇଁ ଦେବଦୂତ ସାଜିଥିଲେ । ସୟଦ୍ ଆଦିଲ୍ ହୁସେନ୍ ହେଉଛନ୍ତି ଜଣେ ଘୋଡ଼ାଚାଳକ । ଆତଙ୍କବାଦୀମାନେ ବାଛି ବାଛି ପର୍ଯ୍ୟଟକଙ୍କୁ ଗୁଳି କରୁଥିବା ବେଳେ ସେ ଅନେକ ପର୍ଯ୍ୟଟକଙ୍କର ଜୀବନ ବଞ୍ଚେଇ ଥିଲେ । ଏହି ଘଟଣାରେ ତାଙ୍କ ନିଜ ଜୀବନ ଚାଲିଗଲା । ନଜାକତ୍ ଅଲ୍ଲୀ ହେଉଛନ୍ତି ଟୁରିଷ୍ଟ୍ ମାନଙ୍କର ଗାଇଡ୍ ଭାବରେ ନିଜର ପେଟ ପୋଷୁ ଥିଲେ । 
ଛତିଶଗଡ଼ର ୪ ଦମ୍ପତି ଗତ ୧୭ ତାରିଖରୁ କାଶ୍ମୀରକୁ ବୁଲିବାକୁ ଯାଇଥିଲେ । ସେମାନଙ୍କୁ ଶ୍ରୀନଗର, ଗୁଲ୍ମାର୍ଗ୍ ଆଦି ବୁଲେଇ ଦେଖେଇବା ପରେ ୨୨ ତାରିଖ ଦିନ ପହଲଗାମ୍ ଠାରେ ସେମାନଙ୍କୁ ବୁଲାଇବାର କାର୍ଯ୍ୟକ୍ରମ ଥିଲା । ଦିନ ୨ଟା ସମୟରେ ସମସ୍ତେ ଖାଇ ସାରି ଫଟୋ ଉଠାଇବା ବେଳକୁ ହଠାତ୍ ଗୁଳିର ଶବ୍ଦ ଶୁଭିଲା । ସେତେବେଳକୁ ପ୍ରାୟ ୨ ହଜାର ପର୍ଯ୍ୟଟକ ସେହି ସ୍ଥାନରେ ଥିଲେ । ଗୁଳିର ଶବ୍ଦ ଶୁଣି ଏହି ୪ ଦମ୍ପତିଙ୍କର ୧୧ ଜଣ ସଦସ୍ୟଙ୍କୁ ସଙ୍ଗେ ସଙ୍ଗେ ମାଟି ଉପରେ ଶୋଇ ପଡ଼ିବାକୁ କହି ଦୁଇଟି ଶିଶୁଙ୍କୁ ନିଜ ପେଟ ତଳେ ଧରି ଶୋଇ ରହିଲେ । ଗୁଳିର ଆୱାଜ ବଢ଼ିବାରେ ଲାଗିଥିଲା । ନିକଟରେ ଏକ ଖାଲୁଆ ଅଞ୍ଚଳ ଥିଲା । ସେହି ଅଞ୍ଚଳ ଦେଇ ପିଲା ଦୁହିଁଙ୍କୁ ଧରି ସେ ଗୁଳି ହେଉଥିବା ସ୍ଥାନରୁ ଦଉଡ଼ିଲେ । ତାଙ୍କ ପଛେ ପଛେ ଅନ୍ୟ ସମସ୍ତଙ୍କୁ ଦଉଡ଼ିବା ପାଇଁ ଇସାରା ଦେଲେ । ସେମାନେ ଗୋଟିଏ ଗାଡ଼ି ନିକଟରେ ପହଞ୍ଚିଯିବା ପରେ ପଛରେ ୨ ଜଣ ରହି ଯାଇଥିଲେ । ନିଜ ଜୀବନକୁ ବାଜି ଲଗାଇ ନଜାକତ୍ ଅଲ୍ଲୀ ସେ ୨ ଜଣଙ୍କୁ ମଧ୍ୟ ଭିଡ଼ି ଆଣି ଗାଡ଼ି ନିକଟରେ ପହଞ୍ଚି ସେହି ସ୍ଥାନରୁ ସୁରକ୍ଷିତ ଭାବରେ ଦୂରକୁ ଚାଲି ଯାଇଥିଲେ । 
ଦେଶ ଭିତରେ ବର୍ତ୍ତମାନ ସମୟରେ ଧର୍ମ ଓ ସମ୍ପ୍ରଦାୟର ବିଭେଦକୁ ଭୁଲି ସୟଦ୍ ଆଦିଲ୍ ହୁସେନ୍ ଏବଂ ନଜାକତ୍ ଅଲ୍ଲୀଙ୍କର ତ୍ୟାଗକୁ ଆମେ ସ୍ମରଣ କରିବା ଉଚିତ୍ ଏବଂ ସୟଦ୍ ଆଦିଲ୍ ହୁସେନ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ମଧ୍ୟ ଅର୍ପଣ କରିବା ଉଚିତ୍ । କାଶ୍ମୀରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏଠାକାର ସ୍ଥାନୀୟ ଲୋକଙ୍କ ଦୃଷ୍ଟିରେ କେବଳ ପର୍ଯ୍ୟଟକ ମାତ୍ର । କୌଣସି ଧର୍ମର ପରିଚୟ ଆଉ ସେମାନଙ୍କର ନାହିଁ । ଏଭଳି ଏକ ଦୁର୍ଦ୍ଦିନରେ ସେମାନେ ପର୍ଯ୍ୟଟକମାନଙ୍କ ପାଇଁ ନିଜର ପ୍ରାଣବଳି ଦେଇପାରନ୍ତି ତାହା ପ୍ରମାଣିତ ହୋଇଗଲା । ଆଜି କେବଳ କାଶ୍ମୀରବାସୀ ନୁହଁନ୍ତି, ସମଗ୍ର ଦେଶବାସୀ ସୟଦ୍ ଆଦିଲ୍ ହୁସେନ୍ ଏବଂ ନଜାକତ୍ ଅଲ୍ଲୀଙ୍କ ଆଗରେ ମୁଣ୍ଡ ନୁଆଁଇଁ ସେମାନଙ୍କର ସାହସର ପ୍ରଶଂସା କରୁଛନ୍ତି । 
ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ କାଶ୍ମୀରକୁ ସମସ୍ତ ଭାରତବାସୀ ଗ୍ରହଣ କରି ନେଇଛନ୍ତି । କାଶ୍ମୀରର କିଛି ଅଞ୍ଚଳକୁ ପାକିସ୍ତାନ୍ ବଳପୂର୍ବକ ଅଧିକୃତ କରି ନେଇଥିବା ବେଳେ ଭାରତର ମାନଚ୍ଚିତ୍ରରେ ଏହି ଅଞ୍ଚଳ ଏବେ ବି ରହିଛି । ଏହି ଅଞ୍ଚଳ ଭାରତର ରହିବ ଏବଂ ଏଥିପାଇଁ ଯଦି କୌଣସି ପ୍ରକାରର ଯୁଦ୍ଧର ଆବଶ୍ୟକତା ପଡ଼େ ସେଥିପାଇଁ ଭାରତ କେବେ ହେଲେ ପଛଘୁଞ୍ଚା ଦେବ ନାହିଁ । ବର୍ତ୍ତମାନର ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ରୂପେ ପାକିସ୍ତାନ୍ ଦାୟୀ ଏବଂ ଭବିଷ୍ୟତରେ ଯାବା ବି କିଛି ହେବ ସେଥିପାଇଁ ପାକିସ୍ତାନ୍ ହିଁ ଦାୟୀ ରହିବ ।