ସଂଗ୍ରାମ ସମିତିର ଚେତାବନୀ; ମାସେ ଭିତରେ ମଞ୍ଜୁରୀ ନଦେଲେ ଆନେ୍ଦାଳନ

ବ୍ୟାସନଗର: ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡ଼, ଭଦ୍ରକ ଓ ଧାମରା ରେଳ ଷ୍ଟେସନରେ ବିକ୍ଷୋଭ ସଂଗଠିତ କରାଯାଇ ତୁରନ୍ତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ସହ ବ୍ୟୟ ବରାଦ ପାଇଁ ଦାବି କରାଯାଇଛି । ଚୂଡାନ୍ତ ସର୍ଭେ,ଡିପିଆର୍ ପ୍ରସ୍ତୁତି ଓ ରେଳବାଇ ବୋର୍ଡର ତର୍ଜମା ପାଇଁ ଦେଢ଼ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଥିଲେ ମଧ୍ୟ କାହିଁକି ମଞ୍ଜୁରୀ ପ୍ରଦାନ ପ୍ରକ୍ରିୟାକୁ ବିଳମ୍ବିତ କରାଯାଇଛି ବୋଲି ପ୍ରଶ୍ନ କରାଯାଇଛି । ରେଳମନ୍ତ୍ରୀ ତାହାର ସ୍ପଷ୍ଟୀକରଣ ଦେବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି । ଗତବର୍ଷ ନିର୍ବାଚନ ପୂର୍ବରୁ ରେଳମନ୍ତ୍ରୀ ଘୋଷଣା କରିଥିଲେ ଯେ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ରେ ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରାଯିବ । ମାତ୍ର ୨୦୨୫-୨୬ର ବଜେଟରେ ମଧ୍ୟ ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ ନ କରାଯିବା ଦ୍ୱାରା ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ବାସୀଙ୍କୁ ପ୍ରତାରିତ କରାଯାଇଛି । ଆଗାମୀ ମାସକ ମଧ୍ୟରେ ଏହି ୧୦୧.୨୬ କିଲୋମିଟର ରେଳପଥକୁ ମଞ୍ଜୁରୀ ପ୍ରଦାନ ପାଇଁ ଦାବି କରାଯାଇଛି । ଯାଜପୁର ରୋଡ଼ର ଗୋପବନ୍ଧୁ ଛକ ପାଖରୁ ପଟୁଆର ବାହାରି ରେଳଷ୍ଟେସନ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ସଂଗ୍ରାମ ସମିତିର ଯୁଗ୍ମ ଆବାହକ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ସମେତ ମଳୟ ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଦିଲ୍ଲୀପ ଦଳେଇ, ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ବାବୁଲାଲ ଗୁରୁ, ବିଜୟ ପରିଡା, ସୁରେନ୍ଦ୍ର ରାୟ, ବିଷ୍ଣୁ ଚରଣ ଧଳ, ପ୍ରଫୁଲ୍ଲ ନାୟକ, ସୁବାସ ଧଳ, ରାକେଶ ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ,ସୁଷମା ବଳ, ସତ୍ୟବାନ୍ ଦାସ, ଅଭୟ ପଣ୍ଡା, ବିଜୟ ନାୟକ, ଅମୂଲ୍ୟ ସାମଲ, ନିର୍ମଳ ରଥ, ଗଣେଶ ସାହୁ, ଲାଲ୍ମଣି ମୁଣ୍ଡା, ସୁରେଶ ସାହୁ, ଆଭାମୟୀ ମହାନ୍ତି, ତ୍ରିଲୋଚନ ରାଉତ, ଗୋପବନ୍ଧୁ ସାହୁ, ମାଳତୀ ହାଂସଦା, କାହ୍ନୁ ମୁଖି, ମନ୍ମଥ କୁମାର ରାୟ, ପ୍ରଦିପ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ଆନେ୍ଦାଳନକୁ ଶକ୍ତିଶାଳୀ କରିବା ପାଇଁଁ ଆହ୍ୱାନ ଦେଇଥିଲେ ।