ପ୍ରୀତିଙ୍କର ମିଶ୍ରଣ ପର୍ବ; ପ୍ରଦୀପଙ୍କର ରୋଡ଼ ସୋ


 ଦାନଗଦୀ: ବିଜେଡ଼ି ଏବଂ ବିଜେପି ତାର ପ୍ରାର୍ଥୀ ଘୋଷଣା କରିବା ପରେ ସୁକିନ୍ଦା ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ଗରମ ହେବା ଆରମ୍ଭ କଲାଣି । ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ଶକ୍ତି ଯୋଗାଡ଼ରେ ଲାଗିପଡ଼ିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରୀତି ଶକ୍ତି ଯୋଗାଡ଼ କରିବା ପୂର୍ବକ ଅନ୍ୟଦଳର କର୍ମୀଙ୍କୁ ବିଜେଡ଼ିରେ ସାମିଲ କରାଇବାରେ ଲାଗିଛନ୍ତି । ଦୈନିକ ଦଳୀୟ କାର୍ଯାଳୟରେ  ବିଜେପି ଓ କଂଗ୍ରେସ କର୍ମୀଙ୍କୁ ନିଜ ଦଳରେ ମିଶ୍ରଣ କରୁଛନ୍ତି । ପିତା ପ୍ରଫୁଲ୍ଲ ବୁଥ କମିଟି ଗଠନ କରି ଦାୟିତ୍ୱ ଦେଇ ହିସାବର ଅଙ୍କକଷା ଆରମ୍ଭ କରି ଜୋରସୋର ଏକ ବଡ଼ ବ୍ୟବଧାନରେ ପୁଅଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡ଼ିଲେଣି । ପଛରେ ମଧ୍ୟ ପଡ଼ିବାକୁ ଚାହିଁ ନାହାନ୍ତି ବିଜେପିର ପ୍ରଦୀପ ବଳ ସାମନ୍ତ । ଆଜି ତାଙ୍କ ସମର୍ଥକ ଏକ ବିରାଟ ଶୋଭାଯାତ୍ରାରେ ଦାନଗଦୀ ମିଲିଟାରୀ ଛକରୁ ସୁକିନ୍ଦା ପଯ୍ୟନ୍ତ ତାଙ୍କୁ ପାଛୋଟି ନେଇ ଶକ୍ତି ପ୍ରଦର୍ଶନ କରିଥିଲେ ।