ଶିକ୍ଷାନୀତିକୁ ନେଇ ଅସନ୍ତୁଷ୍ଟ ଅଭିଭାବକ... ଶହେ ମିଟର ପାଇଁ ବଳି ପଡ଼ିଲା ହିଙ୍ଗୁଳା ପ୍ରାଥମିକ ସ୍କୁଲ

 ଯାଜପୁର : ଏକ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଭାବେ କୋରେଇ କାହିଁକି ଜିଲ୍ଲାରେ ଶଙ୍ଖଚିଲାସ୍ଥ ହିଙ୍ଗୁଳା ପ୍ରାଥମିକ ସ୍କୁଲର ସୁନାମ ରହିଛି । କିନ୍ତୁ ସରକାରଙ୍କ ନୂତନ ଶିକ୍ଷାନିତି ପାଇଁ ଶହେ ବର୍ଷର ହିଙ୍ଗୁଳା ପ୍ରାଥମିକ ସ୍କୁଲ ଶହେ ମିଟର ପାଇଁ ବଳିପଡ଼ିଗଲା । ଶିକ୍ଷାକ୍ଷେତ୍ରରେ କିଛିବର୍ଷ ହେଲା ବୈପ୍ଲବିକ ପରିବର୍ତନ ହୋଇଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏହି ପରିବର୍ତ୍ତନ କିନ୍ତୁ ଶହଶହ ଅଭିଭାବକଙ୍କୁ ଅସନ୍ତୁଷ୍ଟ କରିଛି । ବୈପ୍ଲବିକ ପରିବର୍ତ୍ତନର ଶିକାର ହୋଇଛି କୋରେଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ହିଙ୍ଗୁଳା ପ୍ରାଥମିକ ବିଦ୍ୟାଳୟ । ୧୯୨୬ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରୁ ଶିକ୍ଷା ସମାପ୍ତି କରି ଅନେକ ରାଜ୍ୟ ତଥା ଦେଶରେ ପ୍ରତିଷ୍ଠା ଲାଭ କରିଛନ୍ତି । ଏକଗୁଣାତ୍ମକ ଶିକ୍ଷା ଅନୁଷ୍ଠାନ ଭାବେ କୋରେଇ ତଥା ରାଜ୍ୟରେ ଏହାର ସୁନାମ ରଖିଥିବା ବିଦ୍ୟାଳୟରେ ଅନୁନ୍ୟ ୧୫୦ରୁ ଉର୍ଦ୍ଧ ପିଲା ଶିକ୍ଷା ଦାନ କରୁଥିଲେ । ୧୦୦ବର୍ଷର ଶିକ୍ଷାନୁଷ୍ଠାନ ୧୦୦ମିଟର କମ୍ ଦୂରରେ ଥିବା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇଛି । ନୂତନ ନିୟମ ଆଧାରାରେ ଅନୁଷ୍ଠାନଟି ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରଣ ହୋଇଯିବା ପରେ ପଡ଼ି ରହିଛି ଦୁଇ ମହଲା କୋଠା ସହିତ ଏକ ମହଲା କୋଠା । ଏହି ଗୃହ ଗୁଡ଼ିକ ଶିକ୍ଷା କାର୍ଯ୍ୟ ପାଇଁ କୌଣସି କାମରେ ଆସୁନାହିଁ । କାରଣ ଉକ୍ତ ପରିସରରୁ ଉଚ୍ଚ ବିଦ୍ୟାଳୟ ପରିସରକୁ ଯିବା ପାଇଁ ମଝିରେ ଶଙ୍ଖଚିଲା ହାଟ ଏବଂ ଏହି ହାଟ ପ୍ରତ୍ୟେକ ଦିନ ବସେ । ଭୌଗୋଳିକ ପ୍ରତିବନ୍ଧକ ଯୋଗୁଁ ବାଧ୍ୟ ହୋଇ ପ୍ରଥମରୁ ୧୦ମ ଶ୍ରେଣୀ ପଯ୍ୟନ୍ତ ସମସ୍ତ ଶ୍ରେଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲୁଛି । ଦ୍ୱିତୀୟ ପ୍ରତିବନ୍ଧକ ମଧ୍ୟାହ୍ନ ଭୋଜନ ସାଜିଛି । ପ୍ରାଥମିକ ବିଦ୍ୟାଳୟରୁ କୁନି କୁନି ପିଲା ମାନେ ଗହଳିପୂର୍ଣ୍ଣ ୧୦୦ମିଟର ମାର୍କେଟ ଅତିକ୍ରମ କରି ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ପୁନର୍ବାର ଫେରିବା ଅସମ୍ଭବ । ଏଣୁବାଧ୍ୟ ହୋଇ ଉଚ୍ଚ ବିଦ୍ୟାଳୟର କର୍ତ୍ତୃପକ୍ଷ ସମସ୍ତ କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲୁ ରଖିଛନ୍ତି । ଆହୁ କିଛି ବର୍ଷ ପରେ ସର୍ବଶିକ୍ଷା କାର୍ଯ୍ୟକ୍ରମରେ ନିର୍ମିର୍ତ ପ୍ରାଥମିକ ବିଦ୍ୟାଳୟ କୋଠା ଗୁଡ଼ିକ ମରାମତି ତଥା ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ । ଯଦି ମିଶ୍ରଣ କରାଯିବାର ଥିଲା ତେବେ ପ୍ରାୟ ୩୦ଲକ୍ଷ ଟଙ୍କାର କୋଠା ନିର୍ମାଣ କରାଯାଉ ଥିଲା କାହିଁକି ? ଆଶ୍ଚର୍ଯ୍ୟ ଲାଗେ ଭୌଗୋଳିକ ପ୍ରତିବନ୍ଧକ ସତ୍ୱେ ତତ୍କାଳୀନ ମଣ୍ଡଳ ଶିକ୍ଷାଧିକାରି କିପରି ଦୁଇଟି ବିଦ୍ୟାଳୟ ମିଶ୍ରଣ ପାଇଁ ଓସେପା କର୍ତ୍ତୃପକ୍ଷଙ୍କୁ ସୁପାରିସ କରିଥିଲେ ବୋଲି ପ୍ରଶ୍ନ ଉଠିଛି । ଶଙ୍ଖଚିଲା ଏକ ଅଗ୍ରଣୀ ଅଂଚଳ । ପ୍ରାଥମିକ ଶିକ୍ଷାକୁ ଧୁ୍ୟଂସ କରାଯିବା ପାଇଁ ଯୋଜନାରେ ଅଭିଭାବକ ମାନେ ଅତିଷ୍ଟ । ସରକାରଙ୍କ ବିଚିତ୍ର ନୀତି ଯୋଗୁଁ ଏହିପରି ଘଟିଛି ବୋଲି ଅଭିଯୋଗ କରାଯାଇଛି । ପ୍ରତ୍ୟକ୍ଷ ଭାବେ ଅନୁସନ୍ଧାନ ତଥା ପର୍ଯ୍ୟବେକ୍ଷଣ ପୂର୍ବକ ବିହୀତ ପଦକ୍ଷେପ ନେଇ ହିଙ୍ଗୁଳା ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ଏହା ନ ହୁଏ ତେବେ ଆଗାମୀ ଦିନରେ ଆନେ୍ଦାଳନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।