ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର 

 ବ୍ରହ୍ମବରଦା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ମଧ୍ୟାହ୍ନରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଞ୍ଚାୟତ କାକୁଡିକୁଦ ଗ୍ରାମରେ ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣରେ ଶିକାର ହୋଇଥିବା ଯୁବକ ବିବେକାନନ୍ଦ ସାହୁ(୩୭) ହୋଇଥିବା ବେଳେ ଏ ନେଇ ନେଇ ତାଙ୍କ ସ୍ତ୍ରୀ ସରିତା  ସାହୁ ବ୍ରହ୍ମବରଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ଖବର ମତେ ଆଜି ବିବେକାନନ୍ଦ ଘରକୁ ଫେରୁଥିବା ସମୟରେ କାକୁଡିକୁଦ ଗ୍ରାମ ଯାଗୁଳେଇ ପଡିଆ ଠାରେ ସେହି ଗ୍ରାମର ସୁବାସ ସାହୁଙ୍କ ୩ ପୁଅ ପ୍ରଶାନ୍ତ, ନିଶିକାନ୍ତ ଓ ଶଶିକାନ୍ତ ହାତରେ ଖଣ୍ଡା, ଭୁଜାଲି, ଲୁହାରଡ ଭଳି ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ବିବେକାନନ୍ଦଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା  । ତାଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ ନିଆଯାଇଥିଲା  । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସିତ କରାଯାଉଛି । ସେହିପରି ଅପରପକ୍ଷଙ୍କ ପରିବାର ପକ୍ଷରୁ ମଧ୍ୟ ଉକ୍ତ ଘଟଣାକୁ ନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଘଟଣାରେ ବ୍ରହ୍ମବରଦା ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବ୍ରହ୍ମବରଦା ଥାନା ଆଇଆଇସି ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।