ମାମଲା ରୁଜୁ କରି ହାତବାନ୍ଧି ବସିଛି ଯଖପୁରା ପୁଲିସ
ାା ପ୍ରଭାନୁ୍ୟଜ ।ା ଯଖପୁରା: ମାଣତୀରା ପଞ୍ଚାୟତର ରାବଣା ଛକ ଠାରେ ସରକାରୀ ଜମି ଜବର ଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସରକାରୀ ଜମି ଜବର ଦଖଲ କରି ତା ମଧ୍ୟରେ ପାଞ୍ଚ ପାଞ୍ଚ ବଖରା ଦୋକାନ ଗୃହ ନିର୍ମାଣକୁ ନେଇ ତୁମୁଳ କାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ଜବର ଦଖଲକାରୀ ଓ ସ୍ଥାନୀୟ କିଛି ଗ୍ରାମର ଲୋକଙ୍କ ମଧ୍ୟରେ ବଚସା ପରେ ପରେ ଗଣ୍ଡଗୋଳ ହୋଇଥିଲା । ସରକାରୀ ଜମିକୁ ଦାଖଲ କରି ତା ମଧ୍ୟରେ ଦୋକାନ ଘର ନିର୍ମାଣ କରି ତାକୁ ଭଡା ସୂତ୍ରରେ ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର କାର୍ଯ୍ୟାନୁଷ୍ଠାନ ବଦଳରେ ନିରବ ରହିଥିଲେ । ପ୍ରଶାସନ ଚୁପ୍ ବସିବାରୁ ସ୍ଥାନୀୟ ରାବଣା, ଦଶମାଣିଆ, ବରପାଳ ଗ୍ରାମର କିଛି ଯୁବକ ଜବର ଦଖଲ କାରୀଙ୍କ ଘର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ । ଏମିତିକି ଘର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ରାବଣା ଛକରେ ଜବର ଦଖଲ ହୋଇପାରିବ ନାହିଁ ବୋଲି କହିଥିଲେ । ଏହାକୁ ନେଇ ଘର ନିର୍ମାଣ କରୁଥିବା ବ୍ୟକ୍ତି ନିଜର କିଛି ଗୁଣ୍ଡା ପଠାଇ ବନ୍ଦ ଥିବା ଘର ନିର୍ମାଣ କାର୍ଯ୍ୟ କରାଉଥିବା ସମୟରେ ଘର ନିର୍ମାଣକୁ ବିରୋଧ କରୁଥିବା ଗ୍ରାମବାସୀ ମଧ୍ୟରେ ଗଣ୍ଡଗୋଳ, ମାଡପିଟ ହୋଇଥିଲା । ଏହି ଖବର ଶୁଣି ମାଣତୀରା ସର୍କଲ ଆରଆଇ ପୁଲିସ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଆରଆଇ କହିଥିଲେ । ମାତ୍ର କଥା ସେତିକିରେ ସରି ନଥିଲା । ପୁଲିସ ବୁଝା ସୁଝା କରି ଗଲା ପରେ ପୁନର୍ବାର ଗଣ୍ଡଗୋଳ ହୋଇଥିଲା । ଜବର ଦଖଲକାରୀ ଫିଲ୍ମ ଷ୍ଟାଇଲରେ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରୁଥିବା କିଛି ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ । ଗୁରୁତରଙ୍କୁ ସ୍ଥାନୀୟ ଦାନଗଦୀ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଜିଲା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଏହାକୁ ନେଇ ଉଭୟପକ୍ଷ ଯଖପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯଖପୁରା ପୁଲିସ ଉଭୟ ପକ୍ଷର ଏତଲା ରଖି କେସ ନମ୍ବର୧୬୮ ଓ ୧୬୯ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି କହିଛନ୍ତି । ମାତ୍ର ଘଟଣା ଘଟିବାର ୮ଦିନ ବିତି ଯାଇଥିଲେ ମଧ୍ୟ ଜଣେ ହେଲେ ଗଣ୍ଡଗୋଳକାରୀଙ୍କୁ ପୁଲିସ ବନ୍ଧିବାକୁ ସକ୍ଷମ ହୋଇନାହିଁ । ଫଳରେ ଗଣ୍ଡଗୋଳ କରିଥିବା ବ୍ୟକ୍ତି ସାଧାରଣରେ ବୁଲୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଗଣ୍ଡଗୋଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଘଣ୍ଟଘୋଡାଉଛି ଆଉ ଅଗ୍ରୀମ ବେଲ ଆଣିବା ପାଇଁ ସମୟ ଦେଉଛି ବୋଲି ଶୁଣିବାକୁ ମିଳୁଛି । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ଅନେକ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ ହେଉଥିବା ବେଳେ ଯଖପୁରା ପୁଲିସ ଚୁପ୍ ବସିବାର କାରଣ ବୁଝାପଡୁନି । ଯଖପୁରା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଯଖପୁରା ପୁଲିସ କାହାର ଚାପରେ ଚେପା ହେଉଛି ସାଧାରଣରେ ପ୍ରଶ୍ନ ଉଠିଛି । ଆଗକୁ ଯଦି ଏମିତି କେବଳ ମାମଲା ରୁଜୁ କରି ପୁଲିସ ହାତ ବାନ୍ଧି ବସିବ ତେବେ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯିବନି କି? ।