ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିଲା ଯୁକ୍ତ ୨ ବିଜ୍ଞାନ
ଚମ୍ପୁଆ : ମାଆ ହେଲେ ପାଠୋଇ, ଦେଶ ଯିବ ଆଗେଇ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ନାରୀଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଆସୁଛନ୍ତି । ଉପାନ୍ତ ଆଦିବାସୀ ବହୁଳ ଚମ୍ପୁଆ ଅଞ୍ଚଳରେ ମହିଳା ମାନଙ୍କ ଶିକ୍ଷାବୃଦ୍ଧିକୁ ନେଇ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲା ଠାରେ ମହିଳାମାନଙ୍କ ନମନ୍ତେ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଠାରେ ଯୁକ୍ତ ୨ ମହିଳା କଲେଜ ଖୋଲାଯାଇଥିଲା । ଏହି କଲେଜରେ କେବଳ କଳା ବିଭାଗ ଖୋଲାଯାଇ ମହିଳାଙ୍କୁ ଶିକ୍ଷା ପ୍ରଦାନ କରାହୋଇ ଆସୁଥିଲା । ଯୁକ୍ତ ୨ ବିଜ୍ଞାନ ଶିକ୍ଷାପାଇଁ ଦିନକୁ ଦିନ ହୋଇଆସୁଥିବା ଦାବୀ ଶେଷରେ ପୂରଣ ହୋଇଛି । ଦିର୍ଘ ୨୭ ବର୍ଷ ପରେ ଚଳିତ ବର୍ଷଠାରୁ ଏହି କଲେଜରେ ୨୦୨୫/୨୬ ବିଜ୍ଞାନ ଶ୍ରେଣୀ ପାଇଁ ଆଡମିଶନ ଆରମ୍ଭ କରାଯାଇଛି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ଦ୍ୱାରା ସିକୃତି ମିଳିବା ପରେ ଚଳିତ ବର୍ଷଠାରୁ ନାମଲେଖା ଆରମ୍ଭ କରାଯାଇଥିବା ବେଳେ ଛାତ୍ରୀ ମାନେ ରସାୟନ ଶାସ୍ତ୍ର, ଜୀବ ବିଜ୍ଞାନ, ଗଣିତ, ପଦାର୍ଥ ବିଜ୍ଞାନ, ଭୂତତ୍ୱ ବିଜ୍ଞାନ ଏବଂ ଇନଫରମେସନ ଟେକନୋଲୋଜି (ଆଇ.ଟି) ବିଭାଗ ନେଇ ଶିକ୍ଷା ଗ୍ରହଣ କରିପାରିବେ ବୋଲି ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି । ଏହି ବିଜ୍ଞାନ ଶ୍ରେଣୀ ଖୋଲିବା ନେଇ ସଭାପତି ତଥା ଉପଜିଲାପାଳ ଉମାକାନ୍ତ ପରିଡା, ପୁର୍ବତନ ସଭାପତି ଧନୁର୍ଜୟ ନାରାୟଣ ସିଂ ଲାଗୁରୀ, ସଂପାଦକ ଯୋଶବନ୍ତ ନାରାୟଣ ସିଂ ଲାଗୁରୀଙ୍କ ସମେତ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଜନସାଧାରଣ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।