ସଂଘର୍ଷ ଜୀବନରୁ ସଫଳ ଭାଷ୍ୟକାର ବାବାଜୀ
ଟମକା: ସାହିତ୍ୟ ସମ୍ମିଳନୀ ଠାରୁ ଆରମ୍ଭ କରି ଖେଳ ମଇଦାନ । ବିଦ୍ୟାଳୟ ବାର୍ଷିକ ଉତ୍ସବ ଠାରୁ ଆରମ୍ଭ କରି ରାଜନୈତିକ ସଭା ସମିତି, ସବୁଥିରେ ସେ ଏକ ପରିଚିତ ଚେହେରା । କେତେ ବେଳେ ତାଙ୍କୁ ମଂଚ ଉପସ୍ଥାପକ ଭାବେ ଦେଖାଯାଏ ତ ପୁଣି କେତେ ବେଳେ ତାଙ୍କୁ ଖେଳ ବିବରଣି ପ୍ରଦାନ କରିବାକୁ ଭାଷ୍ୟକାର ଭାବେ ଖୋଜାପଡେ । ଆଉ ସେ ଏସବୁ କାର୍ଯ୍ୟକୁ ଏତେ ନିଖୁଣ ଭାବେ ସମ୍ପାଦନ କରନ୍ତି ଯେ ସାହିତି୍ୟକଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ପର୍ଯ୍ୟନ୍ତ ନେତାଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଏହି କଳାରେ ମୁଗ୍ଧ ହୋଇପଡନ୍ତି । ଖାଲି ଏତିକିରେ ସରିନି ତାଙ୍କର ପରିଚୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରି ସେ ଜଣେ ସଫଳ ଶିକ୍ଷାବିତ୍ ଭାବେ ମଧ୍ୟ ପ୍ରଶଂସାର ପାତ୍ର । ହେଲେ ତାଙ୍କ ଜୀବନର ପଥ ଆରମ୍ଭର ସଂଘର୍ଷମୟ ହୋଇଥିଲେ ମଧ୍ୟ ଏଥିରେ ସେ ହାରି ଯାଇନାହାନ୍ତି । ନିଜ ବଳିଷ୍ଠ ସାଧନା ଓ ଉଦ୍ୟମ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏମିତି ଜଣେ ପ୍ରତିଭାବାନ ମଣିଷ ହେଉଛନ୍ତି ଯାଜପୁର ଜିଲା ଶିଳ୍ପ ସମୃଦ୍ଧ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ବାଙ୍ଗରକୋଟା ପଞ୍ଚାୟତ ଆମ୍ପୋରୋ ଗ୍ରାମର ସ୍ୱର୍ଗତ ଗଙ୍ଗାଧର ଜେନାଙ୍କ ପୁଅ ବାବାଜୀ । ବ୍ଲକ୍ ଅଂଚଳରେ ବାବାଜୀ ସାର୍ ନାମରେ ସେ ବେଶ୍ ପରିଚିତ । ୧୯୭୮ ମସିହାରେ ଜଣେ ଚାଷୀ ପରିବାରରେ ଜନ୍ମଲାଭ କରିଥିବା ବାବାଜୀଙ୍କ ଜୀବନ ଜନ୍ମରୁ ସଂଘର୍ଷମୟ । ଅଭାବ ଅନାଟନ ମଧ୍ୟରେ ପାଠପଢା ଆରମ୍ଭ କରିଥିବା ବାବାଜୀ ଆରମ୍ଭରୁ ଜଣେ ମେଧାବୀ ଛାତ୍ର ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ଗ୍ରାମ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପରେ ବାଙ୍ଗରକୋଟା ଚାରି ସମ୍ପ୍ରଦା ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ୍ ଓ ପରେ ବ୍ୟାସନଗର ସ୍ୱୟଂସାଶିତ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ମଧ୍ୟ ସଫଳତାର ସହ ସମାପନ କରିଛନ୍ତି । ତେବେ ପାଠପଢା ପରେ ବୈଷୟିକ ଶିକ୍ଷା ଗ୍ରହଣ କରି ଜଣେ ଇଂଜିନିୟର ହେବା ଲକ୍ଷ ରଖିଥିବା ବାବାଜୀଙ୍କ ପକ୍ଷେ ସମ୍ବଳ ଅଭାବରୁ ଏହା ସମ୍ଭବ ହୋଇପାରିନଥିଲା । ଏହାପରେ ମଧ୍ୟ ସେ ଜୀବନ ଜିଇଁବାକୁ ହାରିନଥିଲେ । ମେଧାବୀ ଛାତ୍ର ହିସାବରେ ତାଙ୍କର ନାମ ରହିଥିବାରୁ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ସେ ଟିଉସନ କରି ନିଜର ଗୁଜୁରାଣ ଆରମ୍ଭ କରିଥିବାବେଳେ ପରବର୍ତ୍ତିି ସମୟରେ କୋଚିଂ ସେଣ୍ଟରରେ ଶିକ୍ଷକ ହିସାବରେ ଯୋଗଦାନ କରିଥିଲେ । ଯାହା ଅଦ୍ୟାବଧି ବଳବତ୍ତର ରହିଛି । ତେବେ ଏହା ଛଡା ସମୟ ମିଳିଲେ ବିବିନ୍ନ ଯୁବକ ସଂଘ ଦ୍ୱାରା ଅନୁଷ୍ଠିତ ଖେଳକୁଦ କାର୍ଯ୍ୟକ୍ରମ ହେଉ କିମ୍ବା ଟୁର୍ଣ୍ଣାମେଣ୍ଟରେ ସେ ଧାରାବିବରଣି ପ୍ରଦାନ କରନ୍ତି । କାରଣ ଏଥିପ୍ରତି ତାଙ୍କର ଦୁର୍ବଳତା ରହିଥିବା ବେଳେ ଧିରେଧିରେ ଏହା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅନ୍ୟପକ୍ଷେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ହେଉ କିମ୍ବା ବିଦ୍ୟାଳୟ ଅବା ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ହେଉ ସବୁଥିରେ ସେ ମଂଚ ପରିଚାଳନା କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ସେହିପରି ଭାବେ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସେ ମଧ୍ୟ ମଂଚ ଉପସ୍ଥାପକ ଭାବେ ନିଜର ଦକ୍ଷତା ଦେଖାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ମଧ୍ୟ ହୋଇଥିବା ଦେଖାଯାଇଛି । ଦୀର୍ଘ ୨୦ବର୍ଷ ହେବ ଓଡିଆ, ହିନ୍ଦି ଓ ଇଂରାଜୀ ଭାଷାରେ ଖେଳ ବିବରଣୀ ପ୍ରଦାନ ଠାରୁ ଆରମ୍ଭ କରି ମଂଚ ପରିଚାଳନା କରିବାର ଅଭିଜ୍ଞତା ରହିଛି । ଦିନକୁ ଦିନ ନିଜର ଏହି ସଫଳତା ସାଉଁଟି ଚାଲିଥିବା ବେଳେ ବ୍ଲକ୍ ଅଂଚଳରେ ଯେ କୌଣସି କାର୍ଯ୍ୟକ୍ରମ ହେଲେ ସବୁଥିରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳେ । ତେବେ ଅଭାବ ଅନାଟନ କିମ୍ବା ବାଧା ବିଘ୍ନ ଆସିଲେ ମଧ୍ୟ ମଣିଷ ନିଜର ଲକ୍ଷ୍ୟ, ସାଧାନା ଓ ଉଦ୍ୟମ ବଳରେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିବ, ବାବାଜୀ ହେଉଛନ୍ତି ଏହାର ଏକ ବଳିଷ୍ଠ ଉଦାହରଣ । ସଂଘର୍ଷମୟ ଜୀବନରୁ ସଫଳତା ହାସଲ କରିଥିବା ବାବାଜୀଙ୍କୁ ଆଗାମି ଦିନରେ ଆହୁରି ସଫଳତା ମିଳୁ ଏତିକି କାମନା ।