ଦୁର୍ନୀତିରେ ଉବୁଟୁବୁ ପୂର୍ତ୍ତ ବିଭାଗ ଉପ-ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ

 ଦଶରଥପୁର:  ଯାଜପୁର ଜିଲାରେ ଯେଉଁ ବିଭାଗରେ ହାତ ମାରିଲେ ମାଳମାଳ ଦୁର୍ନୀତି ସାମନାକୁ ଆସୁଛି । ସବୁଠାରୁ ବେଶୀ ଦୁର୍ନୀତିରେ ଲିପ୍ତ ଜିଲାର ପୂର୍ତ୍ତବିଭାଗ । ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ଯାଜପୁର ପୂର୍ତ୍ତ ବିଭାଗ ଉପ-ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିରେ ପୁରା ବୁଡ଼ି ରହିଛି । ଗଲା ସାଧାରଣ ନିର୍ବାଚନ ପୂର୍ବରୁ ଏଠାରେ ନିର୍ବାହୀ ଯନ୍ତ୍ରୀଭାବେ କାର୍ଯ୍ୟ କରୁଥିବା ଭଗବାନ ସାହୁ ନିର୍ବାଚନ ପୂର୍ବରୁ ଏହି ଅଫିସ୍ ଅଧିନରେ ପ୍ରାୟ ୫୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଏଫ୍-୨ ମାଧ୍ୟମରେ ୫ ଲକ୍ଷରୁ କମ୍ ଟଙ୍କାର କାର୍ଯ୍ୟ କରି ଅର୍ଥ ଚଳୁ କରାଯାଇଥିବାର ଆଶଙ୍କା ପ୍ରକାଶ ପାଇଛି । ଜିଲାର ହେଡକ୍ୱାର୍ଟରରେ ଥିବା ଦୁଇଜଣ କନିଷ୍ଠଯନ୍ତ୍ରୀ ତାଙ୍କୁ ଏପରି ଦୁର୍ନୀତି କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଯନ୍ତ୍ରୀ ଜଣକ ମୋଟା ଅଙ୍କର ପିସି ଆଦାୟ କରି ନିର୍ବାଚନ ପୂର୍ବରୁ ଏପରି କାର୍ଯ୍ୟ କରି ନିର୍ବାଚନରେ କିଛି ରାଜନୈତିକ ପ୍ରାର୍ଥୀଙ୍କୁ ଅର୍ଥ ଦେଇଥିବାର ଖବର ଜଣାପଡ଼ିଛି । ସାଧାରଣ ଲୋକଙ୍କ ଅର୍ଥକୁ ବେଆଇନଭାବେ ଅତି ଚତୁରତାର ସହ ଲୁଟୁଥିବା ଏପରି ଯନ୍ତ୍ରୀମାନଙ୍କ ବିରୁଦ୍ଧରେ ନୂଆ ସରକାର ଆସିଲା ପରେ କାର୍ଯ୍ୟାନୁଷ୍ଠାନ ତ ହୋଇନି ବରଂ କାର୍ଯ୍ୟାନୁଷ୍ଠାନ ନହେବାରୁ ଏବେ ପୁଣି ଏପରି ଏଫ୍-୨ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟିବାକୁ ୫ ଲକ୍ଷରୁ କମ୍ କାର୍ଯ୍ୟାଦେଶ ଦେଇ ଶାସକ ଦଳର ନେତାଙ୍କୁ ଖୁସି କରୁଥିବାର ଦେଖାଯାଇଛି । ଏପରିକି ବିଭାଗୀୟ ମନ୍ତ୍ରୀଙ୍କ ନାମ ମଧ୍ୟ ଏହି ନିର୍ବାହୀଯନ୍ତ୍ରୀ ଜଣକ ନେଉଥିବାର ଦେଖିବାକୁ ମିଳିଛି । ବେନିୟମ ଭାବେ ଏହି ବିଭାଗରେ କାର୍ଯ୍ୟ କରି କୋଟି କୋଟି ଟଙ୍କାର ଅର୍ଥ ସହ ସମ୍ପତ୍ତି ଏହି ଯନ୍ତ୍ରୀବାବୁ ଜଣକ ଠୁଳ କରିଥିବାବେଳେ ଏହି ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ବିଭାଗୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ କରାଗଲେ ବାବୁଙ୍କର ବେଆଇନ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି । ତୁରନ୍ତ ସରକାର ଯାଜପୁରର ଏହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି ।