ସଂସାରେ ଥିବା ଯେତେ ଦିନ


ଭାଗବତରେ ଏକ ଧାଡ଼ି ଏବେ ମନେପଡ଼ିଯାଉଛି - "ସଂସାରେ ଥିବା ଯେତେ ଦିନ, ଆନନ୍ଦରେ ବିତୁଥିବା ଦିନ' । ଆଜିର ଧାଁ ଧଉଡ଼ ବସ୍ତୁସର୍ବସ୍ୱ ସମୟରେ ସତରେ କଣ ଆମ୍ଭେମାନେ ସଂସାରରେ ଆନନ୍ଦରେ ରହି ପାରୁଛେ? ଖୁସି ପାଇବା ଓ ଆନନ୍ଦରେ ରହିବା ଆଜିର ସମୟରେ ନିଶ୍ଚିନ୍ତ ଭାବେ ଏକ ବିରାଟ ବଡ଼ ଆହ୍ୱାନ । ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ଆମ୍ଭେମାନେ ଆମ ତେଲ ଲୁଣର ସଂସାର ଆଉ ବୃତ୍ତିଗତ ଜୀବନକୁ ନେଇ ନିଶ୍ଚିନ୍ତ ଭାବେ ବ୍ୟସ୍ତ ରହିଥାଉ । ପରିବାରରେ ଦାୟିତ୍ୱର ବ୍ୟବସ୍ଥା ସେପଟେ ବୃତ୍ତିଗତ କ୍ଷେତ୍ରରେ ଧାଁ ଧଉଡ ଆଉ ଚାପ ଏସବୁ ଭିତରେ ଖୁସି ଓ ଶାନ୍ତି ନିଶ୍ଚିନ୍ତ ଭାବେ ଏକ ବହୁତ ବଡ଼ ପ୍ରାପ୍ତି । ଅନେକ ଭାବୁଥିବେ ଏ ସମାଜରେ ଯେଉଁମାନେ ତଥା କଥିତ ଭାବେ ଅଜସ୍ର ସମ୍ପତ୍ତିର ମାଲିକ ପ୍ରଭୁତ କ୍ଷମତାର ଡୋରି ତାଙ୍କ ପାଖରେ ଥାଏ ତାଙ୍କ ପାଖରେ, ବାହୁବଳ ବେଶ ସଶକ୍ତ ଥାଏ । ଏ ସବୁ କିନ୍ତୁ ଖୁସି ପାଇଁ ଯଥାର୍ଥ ହୋଇନଥାଏ । ଜୀବନ ନାଟକରେ ସମସ୍ତେ ଯେ ବେଶ ନିଖୁଣ ଭାବରେ ଅଭିନୟ କରିପାରିବେ ତାହା ଏ ସଂସାର ଯିଏ ତିଆରି କରିଛନ୍ତି ତାଙ୍କୁ ହିଁ ଜଣା । କିନ୍ତୁ ପ୍ରତିପତ୍ତି, ଅର୍ଥ, ବାହୁବଳ ଏ ସବୁକୁ ପଛେଇ ଦେଇ ଜୀବନରେ ନିଶ୍ଚିନ୍ତ ଖୁସି ଓ ସୁଖକୁ ଗୁରୁତ୍ୱ ଦେଉଥିବା ଆମ ସମୟରେ କେତେ ଜଣ ଛାତିରେ ହାତ ରଖି କହିପାରିବେ? ଲୋକଙ୍କ ପାଖରେ ପଇସା ଅଛି, ଗାଡ଼ି, ଘୋଡ଼ା, ସୁନା, କ୍ଷମତା, ଉଚ୍ଚପଦବୀ, ବଂଶ ମର୍ଯ୍ୟାଦା, ବିଶାଳ ବନ୍ଧୁ ପରିଜନ ସବୁ କିଛି ଥାଏ ହେଲେ ସେମାନେ ଶାନ୍ତି ପାଇପାରିନଥାନ୍ତି । ଅସଲରେ ଶାନ୍ତି ପାଇବା ପାଇଁ ହେଲେ ମନକୁ ବେଶ ନିର୍ମଳ ଆଉ ଖୋଲା ରଖିବାକୁ ପଡ଼ିବ । ଭାବପ୍ରବଣତା ଅନେକ କ୍ଷେତ୍ରରେ ଆମ ମାନଙ୍କୁ ଭୁଲ ଚିତ୍ର ଦେଖାଇଥାଏ । ଜୀବନରେ ସବୁକିଛି ଯାହା ଦେଖୁ ତାହା ପଛପଟ ଅନେକ କ୍ଷେତ୍ରରେ ସତ ହୋଇନଥାଏ । ସେଇଥିପାଇଁ କଥାରେ ଥାଏ ସବୁ ଚକ ଚକ କରୁଥିବା ଜିନିଷ ସୁନା ହୋଇନଥାଏ । ଜୀବନ ଯାତ୍ରା ପଥରେ ଆହ୍ୱାନ ବହୁତ ଆସିଥାଏ । ଝଡ଼ ମରିଚିକା, ଜୁଆର ଆଉ ଭଟ୍ଟା ଏସବୁକୁ ନେଇ ହିଁ ଜୀବନ । କିନ୍ତୁ ଆମ ମାନଙ୍କର କହିବାକଥା ଓ କରିବା କଥା ଗୋଟିଏ ହେବା ଉଚିତ । ଏକ ସଫେଦ ମନରେ ପରିବାରଟି ସଫେଦ ହୋଇପାରିବ, ପରିବାରଟି ସଫେଦ ହେଲେ ସମାଜ ଏବଂ ସମଗ୍ର ବାତାବରଣ ଆନନ୍ଦମୟ ହୋଇପାରିବ । ସୁଖ ଓ ଶାନ୍ତି ପାଇବା ପାଇଁ ଜୀବନର ଏହି ଆନନ୍ଦ ସମସ୍ତଙ୍କୁ ଭଲ ଜୀବନର ରାସ୍ତା ଦେଖାଉ । 
ରାମଚନ୍ଦ୍ର ପାତ୍ର,ବାଲିଗୁଡ଼ା, କନ୍ଧମାଳ
 ମୋ : ୯୪୩୭୨୪୨୩୦୦