ସଦ୍ଗୁରୁଙ୍କ ଶରଣ 


ଆଦର୍ଶ ମାନେ ସହଜ କଥାରେ ଏଭଳି ଜଣେ ଜୀବନ୍ତ ମନୁଷ୍ୟ ଯିଏ ତାଙ୍କର ପ୍ରିୟପରମଙ୍କର ଅକାଟ୍ୟ ପ୍ରୀତି ଓ ଖାତିରରେ ପାରିପାଶ୍ୱିର୍କର ସେବା ସାହଚର୍ଯ୍ୟ, ସମବେଦନା ସହକାରେ ବଞ୍ଚôବା ଓ ବଢ଼ି ଉଠିବାକୁ ଉଦ୍ଦୀପ୍ତ କରନ୍ତି, ଏକ ସହଜ ଉନ୍ମାଦନା ଓ ଦୁଃଖ କଷ୍ଟକୁ ଭ୍ରୂକ୍ଷେପ ନକରି ତାଙ୍କର ପ୍ରିୟଙ୍କୁ ପ୍ରତିଷ୍ଠା କରନ୍ତି, ଆଉ ତାଙ୍କ ଭିତର ଦେଇ ମନୁଷ୍ୟ ତାର ଜୀବନ ଓ ବୃଦ୍ଧିର ପଥ ପାଏ ଓ ସେ ପଥକୁ ସହଜ ଓ ଅତୁଟ ଭାବରେ ଆଲିଙ୍ଗନ କରେ  । ଆଦର୍ଶମାନେ କୌଣସି ଅମୂର୍ତ୍ତ ଭାବ ନୁହେଁ  । ଆଉ ଯିଏ ଆଦର୍ଶ ବା ଗୁରୁ ହେବେ ତାଙ୍କର ମଧ୍ୟ ଗୁରୁ ଥିବା ଆବଶ୍ୟକ  । ନିଷ୍ଠାର ସହିତ ଗୁରୁଙ୍କୁ ଅନୁସରଣ କରିବାର ଭିତର ଦେଇ ମନୁଷ୍ୟର ବୃତ୍ତି ପ୍ରବୃତ୍ତିଗୁଡ଼ିକ ସୁନିୟନ୍ତ୍ରିତ ହୁଏ ଓ ତା ଭିତରେ ଅଖଣ୍ଡ ବ୍ୟକ୍ତିତ୍ୱର ପ୍ରତିଷ୍ଠା ହୁଏ  । ଆଉ ଏହା ଯାହାର ହୋଇନାହିଁ ସେ କେବେ ଆଦର୍ଶ ବା ଗୁରୁପଦବାଚ୍ୟ ହେବେ ନାହିଁ  । ବିକେନ୍ଦ୍ରିକ ଯିଏ, ସେ ଯେତେ ଗୁଣ ସମ୍ପନ୍ନ ହୁଅନ୍ତୁ ନା କାହିଁକି, ସେ କୌଣସି ସମୟରେ ଅନୁସରଣୀୟ ନୁହଁନ୍ତି  । ଆଦର୍ଶ ହୁଅନ୍ତି ବୈଶିଷ୍ଟ୍ୟପାଳୀ ଓ ଆପୂରୟମାଣ । ପ୍ରତ୍ୟେକଙ୍କର ସହଜାତ ବୈଶିଷ୍ଟ୍ୟକୁ ସେ ପାଳନ ପୋଷଣ କରନ୍ତି  । ପ୍ରତ୍ୟେକଙ୍କର ସ୍ୱଭାବଗତ ସ୍ୱାତନ୍ତ୍ର୍ୟକୁ ସେ ସଂରକ୍ଷଣ କରି ଚଳନ୍ତି  । କୌଣସି ବ୍ୟକ୍ତିଙ୍କ ଭାବରେ ସେ ବ୍ୟାଘାତ କରନ୍ତି ନାହିଁ  । ପୂର୍ବତନ ଋଷି, ମହାପୁରୁଷ, ପ୍ରେରିତ ବା ଅବତାର ପୁରୁଷଙ୍କ ସହିତ ତାଙ୍କର କୌଣସି ବିରୋଧ ନାହିଁ ବରଂ ସେ ସମସ୍ତଙ୍କୁ ପରିପୂରଣ କରନ୍ତି  । ସେ କେବେ ଏକାଦେଶଦର୍ଶୀ ହୁଅନ୍ତି ନାହିଁ  । ବ୍ୟଷ୍ଟିଗତ ଓ ସମଷ୍ଟିଗତ ଜୀବନର ସର୍ବାଙ୍ଗୀନ ଓ ସାମଗ୍ରିକ ପରିପୂରଣ ଓ ଉନ୍ନୟନ ହିଁ ତାଙ୍କର ଲକ୍ଷ୍ୟ  । ସେ କେବେ ଗଣ୍ଡୀସ୍ୱାର୍ଥୀ ହୁଅନ୍ତି ନାହିଁ  । ସେ ସମସ୍ତଙ୍କର ସ୍ୱାର୍ଥରେ ସ୍ୱାର୍ଥାନ୍ୱିତ, ତେଣୁ ସମସ୍ତଙ୍କର ମିଳନ ତୀର୍ଥ  । ପ୍ରତ୍ୟେକଙ୍କର କଲ୍ୟାଣ ହିଁ ତାଙ୍କର ଆତ୍ମ କଲ୍ୟାଣ  ।  କୌଣସି ପ୍ରକାର ସାମ୍ପ୍ରଦାୟିକ ଭେଦବୁଦ୍ଧି ତାଙ୍କ ପାଖରେ ସ୍ଥାନ ପାଏ ନାହିଁ, ବରଂ ବିଭିନ୍ନ ସମ୍ପ୍ରଦାୟ ଓ ଦଳର ଲୋକ ଗୁରୁଙ୍କର ପ୍ରଭାବରେ ଐକ୍ୟବଦ୍ଧ ହେବାର ପ୍ରେରଣା ପାଆନ୍ତି  । ତାଙ୍କ ପାଖକୁ ଗଲେ ପୂର୍ବତନ ଋଷି ମହାପୁରୁଷଙ୍କ ପ୍ରତି ମନୁଷ୍ୟର ଶ୍ରଦ୍ଧା ସଞ୍ଜୀବିତ ହୁଏ  । ପ୍ରତ୍ୟେକଙ୍କର ଧର୍ମନିଷ୍ଠା ଆବେଗପ୍ରବୃଦ୍ଧ ହୁଏ  । ଧର୍ମାନ୍ତରୀକରଣକୁ ସେ ସ୍ଥାନ ଦିଅନ୍ତି ନାହିଁ  । ବରଂ ବୈଶିଷ୍ଟ୍ୟସ୍ଫୁରଣୀ, ଆତ୍ମଶକ୍ତି ଉଦ୍ବୋଧନୀ, ଦକ୍ଷତାଦୀପନୀ ଓ ବିଜ୍ଞାନସମ୍ମତ ଦୀକ୍ଷା ପ୍ରଥା ସେ ପ୍ରବର୍ତ୍ତନ କରନ୍ତି  । ତାଙ୍କର କହିବା, ଭାବିବା ଓ କରିବାର ମଧ୍ୟରେ କୌଣସି ଅମେଳ ନଥାଏ  । ତାଙ୍କର ବାଣୀ, ନୀତି ଓ ଉପଦେଶ ତାଙ୍କର ଜୀବନ ଓ ଆଚରଣରେ ପ୍ରତିଫଳିତ ହୁଏ  । ଏକ କଥାରେ ସେ ହେଉଛନ୍ତି ଆଚରଣ ସିଦ୍ଧ ଆଚାର୍ଯ୍ୟ  । ସ୍ଥୁଳ, ସୂକ୍ଷ୍ମ ଓ କାରଣ-ସତ୍ୟର ଏହି ତିନି ଭୂମି ସମ୍ବନ୍ଧରେ ତାଙ୍କର ସାମଗ୍ରିକ ପ୍ରତ୍ୟକ୍ଷ ଅନୁଭୂତି, ଅଭିଜ୍ଞତା ଓ ଅଧିଗତି ରହିଛି  । ସେ ସତ୍ୟ, ରଜ ଓ ତମଃ - ଏହି ତିନି ଗୁଣର ସାତ୍ୱତ ବିନିଯୋଗ ଓ ବିନ୍ୟାସ କରନ୍ତି  । ସେ ତଥାକଥିତ ଅଲୌକିକତାର ଆଶ୍ରୟ ଗ୍ରହଣ ନକରି ଭକ୍ତି, ଜ୍ଞାନ ଓ କର୍ମଶକ୍ତିର ଉଦ୍ବୋଧନରେ ମନୁଷ୍ୟକୁ ଯୋଗ୍ୟତର ଓ ଉନ୍ନତତର କରି ତୋଳନ୍ତି  ।  ତାଙ୍କର ସମଗ୍ର ଭାବଧାରା ଓ କର୍ମଧାରା ଏକ ସୂତ୍ରସମ୍ମତ ଓ ସତ୍ତାପୋଷଣୀ  । ତାଙ୍କ ଜୀବନର ପ୍ରତିଟି ପଦକ୍ଷେପ ଧାରଣ-ପାଳନ-ପୋଷଣ ସମ୍ବେଗ ପ୍ରବୁଦ୍ଧ  । ସେ ଅଚୁ୍ୟତ ଯୋଗଯୁକ୍ତ, ତ୍ରିକାଳଜ୍ଞ, ତତ୍ତ୍ୱଦର୍ଶୀ ଓ ଅଭ୍ରାନ୍ତ  । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖି ସାତ୍ୱତ ବିବର୍ତ୍ତନକୁ ପ୍ରଗତିଶୀଳ କରି ତୋଳିବାର ପ୍ରୟାସ ସେ କରନ୍ତି  । ସାତ୍ୱତ କୃଷ୍ଟି, ଐତିହ୍ୟ, ସଂସ୍କାର ଓ ପ୍ରଥାକୁ ସେ କେବେ ଅବଜ୍ଞା କରନ୍ତି ନାହିଁ ବରଂ ସେଗୁଡ଼ିକୁ ଆହୁରି ସନ୍ଦୀପ୍ତ କରି ଉଠାନ୍ତି  । ସେ ସହାନୁଭୂତିଶୀଳ, ସେବାନିରତ, ସହଜ ପ୍ରେମିକ ମଣିଷ  । ଭକ୍ତି, ଜ୍ଞାନ ଓ କର୍ମର ସଲୀଳ ସଙ୍ଗତି ଓ ସମନ୍ୱୟ ତାଙ୍କ ଭିତରେ ପରିଲକ୍ଷିତ ହୁଏ  । ଜୀବନକୁ ସେ କେବେ ଅସ୍ୱୀକାର କରନ୍ତି ନାହିଁ, ବରଂ ଜୀବନକୁ ଉତ୍ସମୁଖୀ କରି ଷୋଡ଼କଳାରେ ବର୍ଦ୍ଧନମୁଖୀ କରି ଉଠାଇବା ହିଁ ତାଙ୍କର ଅଦମ୍ୟ ତପସ୍ୟା  । ତାଙ୍କର ଅସତ୍ନିରୋଧୀ ପ୍ରବୃତ୍ତି ତାଙ୍କୁ କ୍ଷୟ ଓ ମୃତୁ୍ୟର ବିରୁଦ୍ଧରେ ଅଭିଯାନ ମୁଖର କରି ଉଠାଏ  । ସେ ସମସ୍ତଙ୍କୁ ଏକାକାର କରନ୍ତି ନାହିଁ, ବା ବଡ଼କୁ ଛୋଟ କରିବାକୁ ଚାହାଁନ୍ତି ନାହିଁ ବରଂ ଛୋଟକୁ ବଡ଼ ଓ ବଡ଼କୁ ଆହୁରି ବଡ଼ କରି ଉଠାନ୍ତି ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାର ବୈଶିଷ୍ଟ୍ୟାନୁଯାୟୀ ବ୍ରାହ୍ମୀ ବିବର୍ତ୍ତନ ପଥରେ ପରିଚାଳିତ କରନ୍ତି  । ପରମପୁରୁଷ ବ୍ୟକ୍ତି ସ୍ୱାର୍ଥକୁ ବାଦ ଦିଅନ୍ତି ନାହିଁ, କିନ୍ତୁ ବ୍ୟକ୍ତିକୁ ଇଷ୍ଟ ଓ ପରିବେଶର ସେବା ମାଧ୍ୟମରେ ବଡ଼ରୁ ଆହୁରି ବଡ଼କୁ ନେଇଯାଆନ୍ତି  । ମନୁଷ୍ୟର ବୃତ୍ତି ପ୍ରବୃତ୍ତିର ଅସ୍ୱୀକାର, ଅବଦମନ ବା ପ୍ରଶ୍ରୟ କୌଣସିଟିକୁ ସେ ପସନ୍ଦ କରନ୍ତି ନାହିଁ, ବରଂ ସେଗୁଡ଼ିକର ସୁକେନ୍ଦ୍ରିକ ସତ୍ତାସମ୍ବର୍ଦ୍ଧନୀ ବିନ୍ୟାସ ଓ ନିୟନ୍ତ୍ରଣ ମାଧ୍ୟମରେ ମନୁଷ୍ୟକୁ ଶୁଦ୍ଧ, ବୁଦ୍ଧ ଓ ମୁକ୍ତ କରି ଉଠାଇବା ହିଁ ତାଙ୍କର ଏକାନ୍ତ ଲକ୍ଷ୍ୟ  । ପ୍ରକୃତ ଆଦର୍ଶ ହିଁ ଈଶ୍ୱରଙ୍କର ବ୍ୟକ୍ତ ପ୍ରତୀକ  । ଯୁଗାବତାର କଳ୍କୀ ବିଗ୍ରହ ଭଗବାନ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଯଥାର୍ଥରେ କହିଛନ୍ତି - ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ ନାମ ମନନ କର, ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର - ମୁଁ ନିଶ୍ଚୟ କହୁଛି, ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବନାହିଁ । 
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ: ୯୪୩୭୦୫୧୯୫୭