ସନେ୍ଦହ ଘେରରେ ପ୍ରସିଦ୍ଧ ଝାଡ଼ବନ୍ଧ ଯାତ୍ରା
ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ନିର୍ବାଚନ ମଣ୍ଡଳୀରେ ଗତ ୫ବର୍ଷ ଧରି ବାଲିମି ଥାନା ଅନ୍ତର୍ଗତ ଗାଲପଡା ପଞ୍ଚାୟତର ଝାଡବନ୍ଧ ଗ୍ରାମରେ ଗୋଷ୍ଠୀ ବିବାଦ ଯୋଗୁଁ ମା’କତାମାଶୁଣୀଙ୍କ ଯାତ୍ରା ବନ୍ଦ ରହିଛି । ତେବେ ଅଞ୍ଚଳର ଯୁବଗୋଷ୍ଠୀ ଗ୍ରାମରେ ଶାନ୍ତି ଫେରାଇ ଆଣିବା ଏବଂ ପୌଷ ମହୋତ୍ସବ ଯାତ୍ରା ପୁନଃ କରିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଫଳରେ ଗତ ୯ ତାରିଖ ବାଲିମି ଥାନାର ଅଭ୍ୟର୍ଥନା ଗୃହରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା । ଏଥିରେ ହିନେ୍ଦାଳ ତହସିଲଦାର ଦିଲ୍ଲୀପ ସେଠୀ, ବାଲିମି ଥାନା ଅଧିକାରୀ ଅମିତ ବିଶ୍ୱାଳ, ଗାଲପଡ଼ା ସରପଞ୍ଚ ନର୍ମଦା ସେଠୀ, ଝାଡବନ୍ଧ ଯୁବ ଗୋଷ୍ଠୀ ସଭାପତି ସୁଶାନ୍ତ ସେନାପତି, ଗ୍ରାମରେ ଦୁଇ ଗୋଷ୍ଠୀର ସଭାପତି ଅଥୟ ସାହୁ ଏବଂ ଅନ୍ତର୍ଯ୍ୟାମୀ ସାହୁ ଏବଂ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ମାତ୍ର ଏହି ବୈଠକ ଫେଲ୍ ମାରିଥିଲା । ପୁଣି ଉଭୟ ଯାତ୍ରା ସପକ୍ଷଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀର ଶହଶହ ପୁରୁଷ ଓ ମହିଳା ହିନେ୍ଦାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ବାବଦରେ ଆଲୋଚନା ପାଇଁ ଯାଇଥିଲେ । ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ଅଟଳ ରହିବା ସହ ସପକ୍ଷଗୋଷ୍ଠୀ ଯେମିତି ହେଉ ପ୍ରଶାସନ ସହାୟତାରେ ଯାତ୍ରା ଅନୁଷ୍ଠିତ ହେଉ ଚାହୁଁଥିବାବେଳେ ବିରୋଧୀ ଗୋଷ୍ଠୀଙ୍କ କହିବା କଥା ପ୍ରଥମେ ଠାକୁରାଣୀ ମନ୍ଦିର ସହ ଯାତ୍ରା ପଡିଆରେ ଆନୁସଙ୍ଗିକ ଉନ୍ନତିମୂଳକ କାର୍ଯ୍ୟ ହେଉ ଏବଂ ନୂଆ ପୁରୁଣା ଲୋକଙ୍କୁ ନେଇ ସହମତିରେ ଏକ କମିଟି ଗଠନ ହେଉ ତାପରେ ଯାତ୍ରା ଅନୁଷ୍ଠିତ ହେଉ । ପ୍ରଶାସନ ପକ୍ଷରୁ ଯୁବ ଗୋଷ୍ଠୀ ମଧ୍ୟରେ ମା’ଙ୍କ ପୌଷ ମହୋତ୍ସବ ଓ ଯାତ୍ରା ଏକତ୍ରିତ ହୋଇ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଆଲୋଚନା ସୁଫଳ ହୋଇନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ୯୦ପ୍ରତିଶତ ଲୋକ ଯାତ୍ରା ପାଇଁ ଇଛୁକ ଥିବାରୁ ଯେମିତି ହେଲେ ସେମାନଙ୍କୁ ବୁଝାଯାଇ ସାମୂହିକ ଭାବେ ପୌଷ ମହୋତ୍ସବ ଯାତ୍ରା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଗାଲପଡା ପଂଚାୟତର ଝାଡବନ୍ଧ ଯାତ୍ରା ସମ୍ବନ୍ଧୀୟ ଗାଁର ଗୋଷ୍ଠୀ ବିବାଦ ଆଗକୁ ଏକ ବଡ଼ ଅଘଟଣର ରୂପ ନେବାକୁ ଯାଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଜନ ସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି ।