ସମସ୍ୟାରେ ବିଚାରାଧୀନ ବନ୍ଦୀ
ବର୍ତ୍ତମାନ ସମଗ୍ର ଦେଶରେ ଜେଲ୍ ଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ବନ୍ଦୀମାନଙ୍କ ସଂଖ୍ୟା ଠାରୁ ବିଚାରାଧୀନ ଅବସ୍ଥାରେ ରହିଥିବା ବନ୍ଦୀମାନଙ୍କ ସଂଖ୍ୟା ବହୁତ ଅଧିକ । ଏହି ବିଚାରଧୀନ ଅବସ୍ଥାରେ ଥିବା ବନ୍ଦୀମାନଙ୍କ ସଂଖ୍ୟାରୁ ସର୍ବାଧିକ ହେଉଛନ୍ତି ଗରିବ ଶ୍ରେଣୀର । ସେମାନେ ନିଜକୁ ନିଦେ୍ର୍ଦାଷ ପ୍ରମାଣ କରିବା ପାଇଁ ଓକିଲ ଦେବା ଅବସ୍ଥାରେ ନାହାନ୍ତି । ବର୍ତ୍ତମାନର ଜାମିନ୍ ପ୍ରକ୍ରିୟା ଭିତରେ ନିଜ ପାଇଁ ଜାମିନ୍ଦାର ଯୋଗାଡ଼ କରିବା ଅବସ୍ଥାରେ ମଧ୍ୟ ନାହାନ୍ତି । ଅନ୍ୟପକ୍ଷରେ ଦେଖାଯାଉଛି ଯେ ଧନୀକ ଶ୍ରେଣୀ ଏବଂ ପ୍ରଭାବଶାଳୀ ଗୋଷ୍ଠୀର ଲୋକମାନେ ବଡ଼ ବଡ଼ ଅପରାଧ କରି ରାତି ଅଧିଆ ଜାମିନ୍ ପାଇଯାଉଛନ୍ତି । ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏହା ହେଉଛି ସବୁଠାରୁ ବଡ ତ୍ରୁଟି । ବିଚାରଧୀନ ଅବସ୍ଥାରେ ଥିବା ଅନେକ ବ୍ୟକ୍ତି ପ୍ରକୃତରେ ଅପରାଧୀ ନୁହଁନ୍ତି । ଅନ୍ୟ କୌଣସି ଜଣେ ଅପରାଧୀକୁ ବିଚାର ପ୍ରକ୍ରିୟାରୁ ଖସେଇ ନେବା ପାଇଁ ନିଦେ୍ର୍ଦାଷ ବ୍ୟକ୍ତିଙ୍କୁ ଦୋଷୀ ବନେଇ ଦେଉଥିବାର ଅନେକ ଅଭିଯୋଗ ଆସେ । ଏ ପ୍ରକାରର ଅଭିଯୋଗ ଗୁଡ଼ିକ କେତେଦୂର ସତ ବା ମିଛ ତାହା ମଧ୍ୟ ପ୍ରମାଣିତ ହୋଇ ପାରୁନାହିଁ । ଗୋଟିଏ ପକ୍ଷରେ କୁହାଯାଉଛି ଯେ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଏ । ଏକଥା ମଧ୍ୟ କୁହାଯାଏ ଯେ ବରଂ ଶହେ ଜଣ ଦୋଷୀ ଖସିଯାଆନ୍ତୁ କିନ୍ତୁ ନିଦେ୍ର୍ଦାଷ ବ୍ୟକ୍ତି ଜଣେ ବି ଦଣ୍ଡ ନପାଉ । ହେଲେ ବାସ୍ତବ କ୍ଷେତ୍ରରେ ଏପରି ଘଟୁନାହିଁ । ଅନେକ ନିଦେ୍ର୍ଦାଷ ବ୍ୟକ୍ତି ବନ୍ଧା ହେଉଛନ୍ତି ଏବଂ ସେମାନେ ନିଦେ୍ର୍ଦାଷ ବୋଲି ନିଜକୁ ପ୍ରମାଣିତ କରିପାରୁନାହାନ୍ତି । ବର୍ତ୍ତମାନର ବିଚାର ବ୍ୟବସ୍ଥାରେ ଗରିବ ଲୋକଟିଏ ପାଇଁ ନ୍ୟାୟ ପାଇବା ସ୍ୱପ୍ନ ହୋଇପଡୁଛି । ଆଉ ଏଭଳି ପରିସ୍ଥିତିରେ ଏବେ ସରକାର ବିଚାରଧୀନ ବନ୍ଦୀମାନଙ୍କ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ତାହା ହେଲା ସେମାନେ ଯେଉଁ ଅପରାଧରେ ବିଚାରଧୀନ ଅବସ୍ଥାରେ ଜେଲ୍ରେ ଅଛନ୍ତି, ସେହି ଅପରାଧର ସର୍ବୋଚ୍ଚ ଜେଲ୍ ଦଣ୍ଡ ଯାହା ହେବା କଥା ତା’ର ଏକ ତୃତୀୟାଂଶ ସମୟ ଯଦି ବିଚାରଧୀନ ବନ୍ଦୀ ଭାବରେ ଜେଲ୍ରେ କଟାଇଛନ୍ତି ସେମାନଙ୍କୁ ଜେଲ୍ରୁ ମୁକ୍ତ କରି ଦିଆଯିବ ।
ତେବେ ଏ ପ୍ରକାରର ଏକ ବ୍ୟବସ୍ଥାକୁ ଲାଗୁ କରାଯିବା ଏତେ ସହଜ ନୁହେଁ । ସମଗ୍ର ଦେଶରେ ଏ ପ୍ରକାରର ଏକ ଆଇନ୍କୁ ଲାଗୁ କରାଯିବା ପୂର୍ବରୁ ଦେଖାଯାଉଛି ଯେ ଜେଲରେ ଥିବା ମୋଟ୍ କଏଦୀଙ୍କର ୭୫ ପ୍ରତିଶତ ହେଉଛନ୍ତି ବିଚାରାଧୀନ । ଏମାନଙ୍କର ଜେଲ୍ରେ ରହିବା ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ଏଭଳି ଖର୍ଚ୍ଚର ମଧ୍ୟ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ତେବେ ଗୋଟିଏ କାରଣ ଆଖି ଆଗକୁ ଆସୁଛି ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟାୟ ଲଢ଼େଇରେ ଜିତିବା ପାଇଁ ଆର୍ଥôକ ଭାବରେ ସମର୍ଥ ନୁହଁନ୍ତି ।
ବର୍ତ୍ତମାନ ଦେଶର ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି । ଗରିବ ଲୋକମାନଙ୍କ ପାଇଁ ନ୍ୟାୟ ପ୍ରଦାନ ନିମିତ୍ତ ସରକାର ଓକିଲ ମଧ୍ୟ ଦେଉଛନ୍ତି । ଏ ପ୍ରକାରର ଏକ ବ୍ୟବସ୍ଥା ଥିବା ସତ୍ତ୍ୱେ ଗରିବ ଲୋକମାନଙ୍କର ଆଇନ୍ଗତ ଲଢ଼େଇରେ କୌଣସି ସକାରାତ୍ମକ ପ୍ରଭାବ ପଡ଼ିଥିବା ଲକ୍ଷ୍ୟ କରାଯାଉନାହିଁ । ବିଶେଷ କରି ଆର୍ଥôକ ଭାବରେ ଦୃଢ଼ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆର୍ଥôକ ଭାବରେ ଦୁର୍ବଳ ଥିବା ବ୍ୟକ୍ତିମାନେ ଅଭିଯୋଗ ଆଣିଲେ ସେମାନଙ୍କୁ ବିଭିନ୍ନ ପ୍ରକାରର ମିଛ କେସ୍ରେ ଜେଲ୍ ଯିବାକୁ ପଡୁଛି । ଏଭଳି ଅଭିଯୋଗ ଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରି ଦେଇ ହେବ ନାହିଁ । ତେଣୁ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସୁ । କିନ୍ତୁ ଗରିବ ଲୋକଟିଏ ଯେଭଳି ନ୍ୟାୟ ପାଇବ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ତାର ଭରସା ରହିବ ସେହିଭଳି ହେବା ଉଚିତ୍ ।