ସମସ୍ୟା ଘେରରେ ତାଳଚେର ଡାକ୍ତରଖାନା

 ତାଳଚେର  : ତାଳଚେର ଭଳି ଏକ ଶିଳ୍ପାଞ୍ଚଳରେ ଏକମାତ୍ର ନିର୍ଭର ଯୋଗ୍ୟ ବହୁପୁରାତନ ମଣ୍ଡପାଳ ସରକାରୀ ଡ଼ାକ୍ତରଖାନା ଉପରେ ପୂର୍ବରୁ ତାଳଚେର ସମେତ ଏହାର ଆଖାପାଖ ଅଞ୍ଚଳ ରୋଗୀମାନେ ନିର୍ଭର କରି ଆସୁଥିଲେ । ମାତ୍ର ଏବେ ଡ଼ାକ୍ତରଖାନାରେ ଡ଼ାକ୍ତର ସହିତ ଆନୁସାଙ୍ଗିକ ଭିତ୍ତିଭୂମି ଅଭାବରୁ ଏଠାରୁ ରୋଗୀମାନେ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଉଛି ।
ଦୈନିକ ୨ଶହରୁ ୪ଶହ ରୋଗୀ ପ୍ରତ୍ୟେକ ଦିନ ଏହି ଡ଼ାକ୍ତରଖାନାରେ ଚିକତ୍ସା ହେବାକୁ ଆସିଥାନ୍ତି, କିନ୍ତୁ କାର୍ଯ୍ୟରତ ଡ଼ାକ୍ତରମାନେ ରେଫର୍ ରେଫର୍ରେ ନିଜର ଦାୟିତ୍ୱ ତୁଲାଇ ଚୁପ୍ଚାପ ବସି ପଡୁଥିବା ଅଭିଯୋଗ ହେଉଛି । ରୋଗୀମାନେ ଡ଼ାକ୍ତରଙ୍କୁ ଖୋଜିଲେ ମଧ୍ୟ ଡ଼ାକ୍ତରଙ୍କ ଦେଖା ପାଇନଥାନ୍ତି । ସରକାର ବଦଳିଲା, ନୂତନ ସରକାରକୁ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକମାନଙ୍କୁ ଜନପ୍ରତିନିଧିମାନେ ବିଭିନ୍ନ କାର୍ଯ୍ୟକ୍ରମ କରି ବାହାବାହା ନେଉଥିବା ବେଳେ ତାଳଚେର ଡ଼ାକ୍ତରଖାନା ପ୍ରତି ଏଭଳି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଏହାକୁ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହିତ ଏଠିକାର ପ୍ରଶାାସନ ଓ ରାଜନେତା ଉପରୁ ଭରଷା ତୁଟେଇ ଦେଲେଣି । ବର୍ଷାଦିନ ଆଗମନରେ ବର୍ତ୍ତମାନ ହଇଜା, ଝାଡ଼ା, ବାନ୍ତି, ଜ୍ୱରରେ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ସେମାନେ ଉକ୍ତ ଡ଼ାକ୍ତରଖାନାକୁ ଗଲେ ଡ଼ାକ୍ତର ଚିକତ୍ସା କରିବା ପରିବେର୍ତ୍ତ ବିଭିନ୍ନ ଚିକତ୍ସାଳୟକୁ ପଠାଇ ଦେଇଥାନ୍ତି । ଏପରିକି ଏଠାରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ରୋଗୀଙ୍କ ଉନ୍ନତସେବା ଓ ୨୪ଘଣ୍ଟା ଅକ୍ସିଜେନ୍ ଭଣ୍ଡାର ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କୌଣସି କାରଣରୁ ପାଇପ୍ ଫାଟି ଯାଇଥିବାରୁ ରୋଗୀମାନଙ୍କୁ ଅକ୍ସିଜେନ୍ ଦେବା ସମ୍ଭବପର ହେଉନାହିଁ ବୋଲି କୁହାଯାଇଥାଏ । ଡ଼ାକ୍ତରଖାନାରେ ପୂର୍ବରୁ ୧୭ରୁ ୧୮ଜଣ ଅଭିଜ୍ଞ ଡ଼ାକ୍ତର କାର୍ଯ୍ୟ କରୁଥିଲେ । ମାତ୍ର ୩ଦଶନ୍ଧି ହେବ ଏହି ଡ଼ାକ୍ତରଖାନାରେ ହାତଗଣତି ୫ରୁ ୭ଜଣ ଡ଼ାକ୍ତର କାର୍ଯ୍ୟ ତୁଲାଉଥିବା ବେଳେ ସେଥିରୁ କିଛି ଦୀର୍ଘଦିନ ଛୁଟିରେ ରହୁଥିବାରୁ ରୋଗୀସେବା କିପରି ହେଉଛି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏଠାରେ କଳକାରଖାନା ବହୁଳ ମାତ୍ରାରେ ରହିଥିବାରୁ ରୋଗୀସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପ୍ରଦୁ୍ୟଷଣ ଯୋଗୁଁ ହୃଘାତ, କିଡ଼ନୀଜନିତ, କର୍କଟ ରୋଗ, ଶ୍ୱାସ ଭଳି ବହୁ ମରାତ୍ମକ ରୋଗରେ ଏଠିକାର ଅଧିବାସୀମାନେ ଜର୍ଜରିତ ହୋଇ ବାହାର ରାଜ୍ୟର ଘରୋଇ ଚିକତ୍ସାଳୟରେ ଚିକତ୍ସିତ ହୋଇ ନିଜର ଭିଟ୍ଟମାଟି ବିିକି୍ର କରି ତଳିତଳାନ୍ତ ହେଉଥିବା ବେଳେ ଉକ୍ତ ପୁରାତନ ଡ଼ାକ୍ତରଖାନାଟିକୁ କାହିଁକି ଡ଼ାକ୍ତର ଓ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଉ ନାହିଁ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି । କୋଟି କୋଟି ଟଙ୍କା ବିନିମୟରେ ଏହି ଡ଼ାକ୍ତରଖାନା ପରିସର ମଧ୍ୟରେ ରୋଗୀଙ୍କ ପାଇଁ ବିରାଟ ବିରାଟ ଅଟ୍ଟାଳିକା ନିର୍ମାଣ କରାଯାଇଥିଲେ ମଧ୍ୟ ଏଗୁଡ଼ିକ କାର୍ଯ୍ୟରେ ଲାଗୁନଥିବାରୁ କେଉଁଠାରେ ଗାଈ ଗୁହାଳ ତ ଆଉ କେଉଁଠାରେ ଏହା ଭାଙ୍ଗିରୁଜି ଚୁରମାର ହେବାକୁ ବସିଲାଣି । ତେଣୁ ତୁରନ୍ତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।