ସମସ୍ୟା ଘେରରେ ଯଯାତି କେଶରୀ ମେଡିକାଲ କଲେଜ : ମିଳୁନି ଉପଯୁକ୍ତ ଚିକିତ୍ସା ସୁବିଧା, ହନ୍ତସନ୍ତ ରୋଗୀ

ଯାଜପୁର ସଦର : ଯାଜପୁର ଜିଲା ରେ ଏକ ସର୍ବପୁରାତନ ସରକାରୀ ଡ଼ାକ୍ତରଖାନା ଉପରେ ଜିଲ୍ଲ ସମେତ ଏହାର ଆଖାପାଖ ଅଞ୍ଚଳ ସହିତ ବିଭିନ୍ନ ଜିଲାରୁ ରୋଗୀ ମାନେ ନିର୍ଭର କରି ଆସୁଛନ୍ତି । ମାତ୍ର ଏବେ ଡାକ୍ତରଖାନାରେ ଡାକ୍ତର ସହିତ ଆନୁସାଙ୍ଗିକ ଭିତ୍ତିଭୂମି ଅଭାବରୁ ଏଠାରୁ ରୋଗୀମାନେ ମୁହଁ ଫେରାଇ ନେଉଥିବା ଦେଖୁବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଉଛି । ଦୈନିକ ୪ଶହରୁ ୫ ଶହ ରୋଗୀ ପ୍ରତ୍ୟେକ ଦିନ ଏହି ଡ଼ାକ୍ତରଖାନାରେ ଚିକତ୍ସା ହେବାକୁ ଆସିଥାନ୍ତି । କିନ୍ତୁ କାର୍ଯ୍ୟରତ ଡ଼ାକ୍ତର  ରୋଗୀଙ୍କୁ ଅନ୍ୟ ମେଡ଼ିକାଲକୁ ରେଫର କରିବାରେ ନିଜର ଦାୟିତ୍ୱ ତୁଲାଇ ଚୁପ୍ଚାପ ବସି ପଡୁଥିବା ଅଭିଯୋଗ ହେଉଛି । ରୋଗୀମାନେ ଡାକ୍ତରଙ୍କୁ ଖୋଜିଲେ ମଧ୍ୟ ତାଙ୍କ ଦେଖା ପାଇ ନଥାନ୍ତି । ଏସବୁ ସମସ୍ୟାକୁ ଦୂରେଇବା ପାଇଁ ପୂର୍ବ ସରକାରଙ୍କ ସମୟରେ ଯାଜପୁର ଜିଲ୍ଲାରେ ଯାଜପୁର ସହର ମଧ୍ୟରେ ଯଯାତି କେଶରୀ ମେଡିକାଲ କଲେଜ ଭିତିପ୍ରସ୍ତର ପକାଇଥିଲେ । ନୂତନ ସରକାର ଆସିବାର କିଛି ମାସ ପରେ ଯଯାତି କେଶରୀ ମେଡିକାଲ କଲେଜଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।
ସରକାର ବଦଳିଲା, ନୂତନ ସରକାରକୁ ୧ବର୍ଷ ପୂର୍ତି ଉପଲକ୍ଷେ ଲୋକଙ୍କୁ ଜନପ୍ରତିନିଧି ମାନେ ବିଭିନ୍ନ କାର୍ଯ୍ୟକ୍ରମ କରି ବାହାବାହା ନେଉଥିବା ବେଳେ, ଯଯାତି କେଶରୀ ମେଡିକାଲ କଲେଜ ପ୍ରତି ଏଭଳି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଏହାକୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏଠିକାର ପ୍ରଶାସନ ଓ ରାଜନେତା ଉପରୁ ଭରଷା ତୁଟେଇ ଦେଲେଣି । ବର୍ଷାଦିନ ଆଗମନରେ ବର୍ତମାନ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ରୋଗୀ ଉକ୍ତ ମେଡିକାଲ କଲେଜକୁ ଆସୁଛନ୍ତି । ମାତ୍ର ଡାକ୍ତର ଚିକତ୍ସା କରିବା ପରିବର୍ତେ ବିଭିନ୍ନ ଚିକତ୍ସାଳୟକୁ ପଠାଇ ଦେଉଛନ୍ତି । ଯାହା ଶୁଣିବାକୁ ମିଳେ ଏଠାରେ କୋଟି କୋଟି ଟଙ୍କା ବିନିମୟରେ ରୋଗୀଙ୍କ ଉନ୍ନତ ସେବା ଓ ୨୪ ଘଣ୍ଟା ଅକ୍ସିଜେନ୍ ଭଣ୍ଡାର ନିର୍ମାଣ କରାଯାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହି ସେବା ଉପଲବ୍ଧ କରାଯାଉନି । ରୋଗୀମାନଙ୍କୁ ଅକ୍ସିଜେନ୍ ଦେବା ସମ୍ଭବପର ହେଉନାହିଁ ବୋଲି କୁହାଯାଉଛି । ଯାଜପୁର ବଡ ମେଡିକାଲରେ ଥିବା ଆଇସିୟୁଟି କେବଳ ନାମକୁ ମାତ୍ର । ଏହା କୈାଣସି କାର୍ଯ୍ୟରେ ଲାଗୁନଥିବା ଶୁଣାଯାଏ । ଯଯାତି କେଶରୀ ମେଡିକାଲ କଲେଜରେ ପୂର୍ବରୁ ବହୁ ଅଭିଜ୍ଞ ଡାକ୍ତର କାର୍ଯ୍ୟ କରୁଥିଲେ । ମାତ୍ର କିଛି ଦିନ ହେବ ଏହି ଡାକ୍ତରଖାନାରେ ହାତଗଣତି ଦୁଇ ଜଣ ଡାକ୍ତର ଦୁଇଟି (ଚର୍ମରୋଗ, ସାଇଟିକା) ବିଭାଗର କାର୍ଯ୍ୟ ତୁଲାଉଥିବା ବେଳେ, କିଛି ଡାକ୍ତର ଦୀର୍ଘଦିନ କଟକରେ ରହୁଥିବାରୁ ରୋଗୀସେବା କିପରି ହେଉଛି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଯାଜପୁର ଜିଲ୍ଲା ସହିତ ପାଖାପାଖି ଲାଗିରହିଥିବା ୨-୩ ଜିଲ୍ଲାରୁ ରୋଗୀସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ହୃଦ୍ଘାତ, କିଡ୍ନୀଜନିତ, କର୍କଟ ରୋଗ, ଶ୍ୱାସ ଭଳି ବହୁ ମରାତ୍ମକ ରୋଗରେ ପୀଡିତ ରୋଗୀ ଆସୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ତାଳମେଳ ଠିକ୍ ନ ରହୁଥିବାରୁ ରୋଗୀ ସେବାରେ ସାଜୁଛି ବାଧାପ୍ରାପ୍ତ । ଠିକ୍ ଚିକିତ୍ସା ନମିଳିବାରୁ ରୋଗୀ ଜର୍ଜରିତ ହୋଇ ବାହାର ରାଜ୍ୟର ଘରୋଇ ଚିକତ୍ସାଳୟରେ ଚିକିତ୍ସିତ ହୋଇ ନିଜର ସର୍ବସ୍ୱ ବିକ୍ରି କରି ତଳିତଳାନ୍ତ ହେଉଛନ୍ତି । ଯଯାତି କେଶରୀ ମେଡିକାଲ କଲେଜରେ କାହିଁକି ଡାକ୍ତର ଓ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଉ ନାହିଁ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି । କୋଟି କୋଟି ଟଙ୍କା ବିନିମୟରେ ମେଡିକାଲ କଲେଜ ପରିସର ମଧ୍ୟରେ ରୋଗୀଙ୍କ ପାଇଁ ବିରାଟ ବିରାଟ ଅଟ୍ଟାଳିକା ନିର୍ମାଣ କରାଯାଇଥିଲେ ମଧ୍ୟ ଏଗୁଡ଼ିକ କାର୍ଯ୍ୟରେ ଲାଗୁନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସର୍ବୋପରି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।