ନୀଳାଚଳ ଶ୍ରମିକ ମୃତୁ୍ୟ ମାମଲା , ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଫୁଲ 

।ା ପ୍ରଭାନୁ୍ୟଜ ।ା ଯାଜପୁର:କଳିଙ୍ଗନଗରଠାରେ ପ୍ରତିଷ୍ଠିତ ବା ଟାଟା କଂପାନୀ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଯୁବ ଶ୍ରମିକ ସିଲୁ ପ୍ରଧାନକୁ ଯେଉଁ ଭଳି ଭାବରେ ଜୀଅନ୍ତା ପୋତି ମାରିଦିଆ ଗଲା ତାହା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ ଏବଂ ମର୍ମାହତ କରିଛି । ପ୍ରଶ୍ନ ଉଠୁଛି ଏ ଭଳି କାର୍ଯ୍ୟ କରିବା ପାଇଁ ଅପରାଧିମାନେ ସାହସ ପାଇଲେ କେମିତି? ରାଜ୍ୟରୁ କ’ଣ ସତରେ ଆଇନର ଶାସନ ଉଠିଗଲା । ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିବା ଟାଟା କଂପାନୀ କାରଖାନା ପରିସର ମଧ୍ୟରେ କିଭଳି ଏପରି ଏକ ବର୍ବରୋଚିତ କାର୍ଯ୍ୟ କରାଗଲା ଏବଂ କଂପାନୀ କର୍ତୁପକ୍ଷ କାହିଁକି ୩ ଦିନ ଯାଏଁ ଏଭଳି ଏକ ସ୍ପର୍ଶକାତର ଓ ଜଘନ୍ୟ ହତ୍ୟାକାଣ୍ଡକୁ ଲୁଚାଇ ରଖିଲେ? ଶହ ଶହ ସୁରକ୍ଷାକର୍ମୀ, ଶହ ଶହ ସିସି.କ୍ୟାମେରା ଏବଂ ହଜାର ହଜାର କର୍ମଚାରୀ ଥିବାବେଳେ କେହି କ’ଣ ଏଘଟଣା ବିଷୟରେ ଜାଣି ନଥିଲେ? ନାଁ ଏହା ହୁଗୁଳା ଆଇନ ଶାସନକୁ ଆଖିଠାର ମାରିବା ସଦୃଶ । ଏଭଳି ଘୃଣ୍ୟ କାର୍ଯ୍ୟ ରାଜ୍ୟପାଇଁ ଅତ୍ୟନ୍ତ ନିନ୍ଦନୀୟ ଏବଂ ଅଭାବନୀୟ ଅଟେ । ସିଲୁ ପ୍ରଧାନର ମୃତୁ୍ୟ ତା’ ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ଯାହାକୁ କେହି ଭରଣା କରିପାରିବ ନାହିଁ । ତେଣୁ ସିଲୁ ପ୍ରଧାନ ହତ୍ୟା କାଣ୍ଡର ଉପଯୁକ୍ତ ତଦନ୍ତ ପାଇଁ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବୁ୍ୟରେ ସିବିଆଇକୁ ନ୍ୟସ୍ତ କରିବା ସହିତ ମୃତକଙ୍କ ପରିବାରକୁ ଅନୁ୍ୟନ ଏକ କୋଟି ଟଙ୍କା କ୍ଷତି ପୂରଣ, ମୃତକର ପରିବାରରୁ ଜଣକୁ ଟାଟା କମ୍ପାନୀରେ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ଏବଂ ଅପରାଧୀ ମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି କଠୋରରୁ କଠୋରତମ ଦଣ୍ଡ ବିଧାନ କରିବା ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନର ପ୍ରତିଷ୍ଠାତା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି ।