ଲିଜ୍ ଆଳରେ ରାହାଡପୁର ଖଣିରୁ କଳାପଥର ଲୁଟ୍
ଯାଜପୁର : ଯାଜପୁର ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ଅଧିନସ୍ତ ଧର୍ମଶାଳା ତହସିଲ ଚର୍ଚିତ ରାହାଡ଼ପୁର ଖଣିରୁ କଳାପଥର ଲୁଟ୍ ଖୁଲମ ଖୁଲା ବୃଦ୍ଧି ପାଇବାରେ ଲାଗିଛି । ଲିଜ୍ ଆଳକରି ଲୁଟ୍ ଚାଲିଛି କଳାପଥର । କଳାପଥର ଖାଦାନ ଗୁଡିକ ଉପରେ ଅଙ୍କୁଶ ଲାଗିପାରୁନାହିଁ । ଅନୁମତି ଠାରୁ ଶତାଧିକ ଗୁଣ ଅଧିକ କଳାପଥର ଉତୋଳନ ହେଉଥିବାରୁ ଖାଦାନଗୁଡିକ ଏବେ ପୋଖରୀର ରୂପ ନେଇଛି । ଲୁଟିଆ ଲୁଟ୍ରେ, ଅସାଧୁ ପ୍ରଶାସନନୀକ ଅଧିକାରୀଙ୍କ ମିଲିଭଗତରେ ଚାଲିଛି ଖଣି ଲୁଟ୍ ବୋଲି ଅଭିଯୋଗ ହେଉଛି । ଏଭଳି ଚୋରା କାରବାରକୁ ରୋକିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଏସ୍ପି, ଡିଏଫ୍ଓ, ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଟାକ୍ସଫୋର୍ସ ଗଠନ କରାଯାଇଥିଲେ ହେଁ ବାସ୍ତବରେ ତାହା ସ୍ଥାଣୁ ପାଲଟିଯାଇଛି । ଖଣି ଚୋରିଉପରେ ରୋକ ୍ ଲଗାଇବାକୁ ସରକାରୀ ସ୍ତରରେ ସ୍ୱଛତା ଆଣିବାକୁ କହୁଥିଲେ ହେଁ ତାହା ରୋକ ଲାଗିପାରୁନାହିଁ । ଯେତିକି ଖଣି ଅନୁମତି ମିଳିଛି ତାଠାରୁ ବେଆଇନ ଭାବରେ ଢେର ପଥର ଉତୋଳନ ହେଉଛି । ପଥର ଲୁଟିବା ପାଇଁ ଏବେ ଏଠାରେ ମାଫିଆଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି ।
ବେଆଇନ ଭାବେ ଖଣିରେ ବିସ୍ଫୋରଣ କରି ବଡବଡ ମେସିନ ଲଗାଇ ଶତାଧିକ ହାଇୱା ଟ୍ରକରେ ଦୈନିକ କିଏ କେତେ ପଥର ଲୁଟ୍ପାଟ କରିବ ତାହାହିଁ ଲୁଟେରାଙ୍କର ପ୍ରଥମ କାମ ହୋଇଛି । ଏହି ଘଟଣାକୁ ଖଣି ବିଭାଗ, ଜେନାପୁର ଥାନା ପୁଲିସ, ଧର୍ମଶାଳା ତହସିଲ କର୍ତୃପକ୍ଷ ସବୁକିଛି ଦେଖୁଥିଲା ବେଳେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଏବେ ଦୈନିକ ଏହି ଖଣିରୁ ୫ କୋଟିରୁ ଉର୍ଦ୍ଧ ଟଙ୍କାର ଲଘୁ ଖଣିଜ ସମ୍ପଦ ଚୋରି ହେଉଛି । ସେ ବାବଦରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡୁଛି । ତେବେ ଏଠାରେ ରାଜସ୍ୱ ଆତ୍ମସାତ ଚାଲିଥିଲେ ବି ପ୍ରଶାସନ କେଉଁ କାରଣରୁ ନିରବଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲଘୁଖଣିଜ ବିଭାଗ ପକ୍ଷରୁ ହାତ ଗଣତି କେତେ ଗୋଟି ସୈରାତକୁ ଅନୁମତି ମିଳିଛି । ଯେତିକି ପରିମାଣର ଅନୁମତି ମିଳିଛି ତା ଠାରୁ କ୍ରସର ୟୁନିଟ ମାନଙ୍କରେ ଢେର କଳାପଥର ଗଛିତ ଥିବା ଜଣାପଡିଛି । ପରିବେଶ ଆଇନକୁ ଫାଙ୍କି ଲିଜଧାରୀ ବେଶ ମୁନାଫା ନେବାରେ ବ୍ୟସ୍ତ । ତେବେ ଉଚ୍ଚାସ୍ତରୀୟ ପ୍ରଶାସନିକ ଅଧିକାରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।