ସମୁଦ୍ର ଗର୍ଭରେ ଲୀନ ହେଲା ୩ଟି ଜନବସତି 

ସମୁଦ୍ର ଗର୍ଭରେ ଲୀନ ହେଲା ୩ଟି ଜନବସତି 
  • ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା
  • ଦୁଇ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

 ଗଞ୍ଜାମ : ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର । ଆଉ ସମୁଦ୍ର ଅଶାନ୍ତ ଯୋଗୁଁ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମରେ ଥିବା ୩ ଟି ଜନବସତି ଶୁନ୍ୟ ଘର । ମଙ୍ଗଳବାର ପୂର୍ବାହ୍ନ ରେ ଗ୍ରାମରେ ଥିବା ୩ ଟି ଜନସତି ଶୁନ୍ୟ ଘର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ବହୁ ବର୍ଷ ତଳେ ଏଠାରେ ବସବାସ କରୁଥିବା ଲୋକଙ୍କୁ ଦୂରରେ ଏକ ଓଡିଆରପି କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ଘର ମାନଙ୍କରେ କେହି ରହୁନଥିବାରୁ କାହାର କିଛି କ୍ଷତି ଘଟିନାହିଁ । କିନ୍ତୁ ଧିରେ ଧିରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନି କୂଳ ଲଙ୍ଘିଥିବା ସ୍ଥାନରେ ପହଁଞ୍ଚ ସ୍ଥିତି ସମୀକ୍ଷା କରିଛନ୍ତି । ଅନ୍ୟପଟେ ସମୁଦ୍ର ନିକଟକୁ ଯିବାକୁ ଲୋକଙ୍କୁ ମନା କରାଯାଇଛି ଆଉ ଏବେ ମଧ୍ୟ ମାଇକ ଯୋଗେ ପୁଣି ପ୍ରଚାର କରି ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । 

   ସେହିପରି ବାତ୍ୟା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଥିବା ବେଳେ ବିନା ଅନୁମତିରେ କୌଣସି ଅଧିକାରୀ ହେଡକ୍ୱାର୍ଟର ନ ଛାଡିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୁଲି ଗଞ୍ଜାମ ଜିଲ୍ଲାପାଳ ନିଜେ ସେଠାକାର ସ୍ଥିତି ପରଖିଥିଲେ । ବାତ୍ୟା ମୁକାବିଲା କାର୍ଯ୍ୟରେ ଅବହେଳା କରିଥିବାରୁ ଜିଲ୍ଲାରେ ଦୁଇ ଜଣ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଏବିଡ଼ିଓ ସୁଶାନ୍ତ କୁମାର ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବେଳେ ଶେରଗଡ ବ୍ଲକର ବରିଷ୍ଠ କିରାଣୀ ସଦାନନ୍ଦ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଉଭୟ ଅଧିକାରୀ ବାତ୍ୟା ମୁକାବିଲା କାର୍ଯ୍ୟରେ ସହଯୋଗ ନ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।