ଟଙ୍କା ପାଇ ଫେରାଇଲେ ପୁଲିସ କର୍ମଚାରୀ 

ହିଞ୍ଜିଳିକାଟୁ: ରାସ୍ତାରୁ ପାଇଥିବା ଟଙ୍କାକୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ପୁଲିସ କର୍ମଚାରୀ । ଏଭଳି ଏକ ଘଟଣା ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ କାର୍ଯ୍ୟରତ ଏପିଆର କନେଷ୍ଟବଳ ସାଗର ନାହାକ ସ୍ଥାନୀୟ ପରିବା ବଜାରରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ । ଏହି ସମୟରେ ପରିବା ବଜାର ପରିସରରୁ ଏକ ମନିପର୍ସ ଓ ଅନ୍ୟ ଜଣେ ଅବସରପ୍ରାପ୍ତ ସାମରୀକ କର୍ମଚାରୀଙ୍କ ପରିଚୟ ପତ୍ର,  ଏଟିଏମ୍ କାର୍ଡ ସମେତ ବହୁ ଜରୁରୀ କାଗଜପତ୍ର ଥିବା ୱାଲେଟ ପାଇଥିଲେ । ତୁରନ୍ତ ସେ ପାଇଥିବା ସମସ୍ତ ଆବଶ୍ୟକ ଡକୁ୍ୟମେଣ୍ଟ ଓ ମନିପର୍ସ ଆଣି ଥାନା ଏଏସଆଇ ଅନନ୍ତ ଶବରଙ୍କୁ ହସ୍ତାନ୍ତର କରିଥିଲେ । ଏଏସଆଇ ଯାଞ୍ଚ କରି ସଂପୃକ୍ତ ୨ ଯୁବକଙ୍କୁ ଫୋନ୍ କରି ଥାନାକୁ ଡାକି ପରିଚୟ ପତ୍ର ଯାଞ୍ଚ କରିଥିଲେ । ଶେରଗଡ଼ ଥାନା ତାକରଡା ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ହଜିଯାଇଥିବା ମନିପର୍ସ, ଟଙ୍କା, ଏଟିଏମ୍ କାର୍ଡ ପ୍ରଦାନ କରିଥିଲେ । ଅନ୍ୟଜଣଙ୍କ କୋଟିନଡା ଥାନା ଭେଙ୍କଟରାୟପଲ୍ଲୀ ଗ୍ରାମର ଅବସରପ୍ରାପ୍ତ ସାମରୀକ କର୍ମଚାରୀ ତାରିଣୀଶେନ ସ୍ୱାଇଁ ଏକ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ଗୁରୁବାର ତାଙ୍କୁ ତାଙ୍କର ହଜିଯାଇଥିବା ସମସ୍ତ କାଗଜପତ୍ର,ଏଟିଏମ କାର୍ଡ ଓ ଅନ୍ୟାନ୍ୟ ଆବଶ୍ୟକ ଡକୁ୍ୟମେଣ୍ଟ ପ୍ରଦାନ କରାଯିବ ବୋଲି ଏଏସଆଇ ଶବର କହିଛନ୍ତି । ପୁଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।