ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ ଧର୍ମେନ୍ଦ୍ର : ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଲେ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ, ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପୃଷ୍ଠଭୂମିରୁ ଆସି ଦେଶର ନେତୃତ୍ୱ ନେଇଛନ୍ତି ଏବଂ ରାଷ୍ଟ୍ରର ମର୍ଯ୍ୟାଦା ବଢାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ମୋଦିଜୀଙ୍କ ନେତୃତ୍ୱ ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି । ମୋଦିଜୀଙ୍କ ୭୫ତମ ଜନ୍ମଦିନ ଅବସରରେ ଆମ ଦଳ ପକ୍ଷରୁ ଦେଶବ୍ୟାପୀ ‘ସେବା ପକ୍ଷ’ ପାଳନ ହେଉଛି । ଏହି ‘ସେବା ପକ୍ଷ’ ଆଜିଠୁ ଅକ୍ଟୋବର ୨ ତାରିଖ ‘ଗାନ୍ଧି ଜୟନ୍ତୀ’ ପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ କରାଯିବ ।
ଶ୍ରୀ ପ୍ରଧାନ ଆଜି ପ୍ରଥମେ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ନାଗରିକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ପରେ ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ସମ୍ବଲପୁର ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର' ଅଭିଯାନରେ ଯୋଗଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ଓ ଟିବି ରୋଗୀଙ୍କୁ ପୁଷ୍ଟି କିଟ୍ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ସୈନିକ ସ୍କୁଲ ପରିସରରେ ଶ୍ରୀ ପ୍ରଧାନ ବୀର ଯବାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେହିପରି ‘ସେବା ପକ୍ଷ’ ଅଧୀନରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀଙ୍କୁ ମା’ ସମଲେଇଶ୍ୱରୀଙ୍କ ଭୂମି ସମ୍ବଲପୁରରୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଆଜିର ସମାବେଶରେ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୧୧୪୧ ଜଣ ଲାଭାର୍ଥୀଙ୍କୁ ସହାୟତା ପ୍ରଦାନ କରିବା ସୌଭାଗ୍ୟ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।