ସମ୍ବଲପୁର ନୂଆଁଖାଇ ଭେଟ୍ଘାଟ୍ରେ ମୁଖ୍ୟମନ୍ତ୍ରୀ : ‘ବିଭିନ୍ନ ଜିଲ୍ଲାରେ ହେବ କ୍ୟାବିନେଟ୍ ବୈଠକ’

ଭୁବନେଶ୍ୱର: ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି  । ଏହି ଉସôବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ  । ସେହିପରି ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବି ତାହା ନୁହେଁ, ଯଦି ଆବଶ୍ୟକ ହୁଏ, ମୁଁ କ୍ୟାବିନେଟ୍ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।
ସେ କହିଥିଲେଯେ, ସମ୍ବଲପୁର ହେଉଛି ବୀରତ୍ୱର ମାଟି  । ଏଣୁ ସମ୍ବଲପୁରର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠଗୁଡିକର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା  କରିଥିଲେ  ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ । ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ  । ନୂଆଁଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ । ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ । ସମ୍ବଲପୁର ପଶ୍ଚିମ ଓଡିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ । କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓଡିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି ।  
ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କ ସରକାର । କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ । ଗତ ଏପ୍ରିଲ ୨୧ ତାରିଖ ଦିନ ମୁଁ ପୁରା କ୍ୟାବିନେଟ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ । ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୯୩୭୭ ଅଭିଯୋଗ ମିଳିଥିଲା  । ଯାହା ମଧ୍ୟରୁ ତୁରନ୍ତ ଅନ ଦ ସ୍ପଟ ୮୮% ସମାଧାନ କରାଯାଇଥିଲା  । ତେଣୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବି ତାହା ନୁହେଁ, ଯଦି ଆବଶ୍ୟକ ହୁଏ, ମୁଁ କ୍ୟାବିନେଟ୍ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।
ସେ ପୁଣି କହିଥିଲେଯେ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ । ଏଣୁ ରାଜ୍ୟ ସରକାର ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ-ପାରାଦୀପ-ଚୌଦ୍ୱାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକଶିତ କରିବେ  । ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ୱିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ  । ଆମେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ  । ଏଥିରେ ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ । ହରିଶଙ୍କର-ନୃସିଂହନଥ ପୀଠକୁ ସ୍ୱତନ୍ତ୍ର ଭାବେ ବିକଶିତ କରାଯିବ ।  
ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ, ଆମ ସରକାର ଚଳିତ ବର୍ଷ ନୂଆଖାଇ ପରଦିନକୁ ମଧ୍ୟ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ  । ନୂଆଖାଇ କେବଳ ପର୍ବ ନୁହେଁ—ଏହା ଆମର "ଅସ୍ତିତ୍ୱର ପରିଚୟ’ । 
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ  ମନମୋହନ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବରଗଡ଼, ଅନୁଗୁଳ ଏବଂ ବଲାଙ୍ଗୀରର ବିଧାୟକଗଣ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ରେଙ୍ଗାଲି  ବିଧାୟକ ଶ୍ରୀ ନାଉରି ନାଏକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଧାୟକଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମା ସମଲେଶ୍ୱରୀ ମନ୍ଦିର ଏବଂ ମା ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଥିଲେ ।