ସମ୍ବିଧାନ ପ୍ରତି ବିପଦ ବିଜେପି ସରକାର : କଂଗ୍ରେସ
ଢେଙ୍କାନାଳ : ଆସନ୍ତା ୧୧ ଜୁଲାଇରେ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ସମ୍ବିଧାନ ବଂଚାଅ ସମାବେଶକୁ ସମ୍ବୋଧିତ କରିବେ । ସଭାରେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେବେ । ଏହି ସମାବେଶର ଉଦେ୍ଦଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ପ୍ରତ୍ୟେକ ଜିଲ୍ଲାରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଂଯୋଜକ ଛବିରାଜ ବିଶ୍ୱାଳଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧି ମନ୍ଦିରରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା କମିଟି ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ତୁଷାର କାର୍ତ୍ତି ନାୟକ ଭାରତର ସମ୍ବିଧାନ ପ୍ରତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ବିଜେପି ଦଳର ମୋଦି ସରକାର ପକ୍ଷରୁ କିପରି ବିପଦ ସୃଷ୍ଟି ହୋଇଛି ଏବଂ ଏହାର ସ୍ୱତନ୍ତ୍ର ଅନୁଚ୍ଛେଦ ‘ଧର୍ମନିରପେକ୍ଷତା’, ‘ସମାଜବାଦୀ ଗଣତନ୍ତ୍ର ଆଦି ଶବ୍ଦକୁ ହଟାଇଦେବା ନିମନ୍ତେ ଚକ୍ରାନ୍ତ ଚାଲିଛି ସେ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ପଟ୍ଟନାୟକ ସମ୍ବିଧାନ ବଂଚିଲେ ଗଣତନ୍ତ୍ର ବଂଚିବ ଏବଂ ସମ୍ବିଧାନ ନ ରହିଲେ ଦେଶରେ ଗଣତନ୍ତ୍ର ପରିବର୍ତ୍ତେ ଏକଛତ୍ରବାଦ ଶାସନ ଯାହା ହିଟଲର୍ର ଫାସୀବାଦ ଏବଂ ଭାରତର ମଧ୍ୟଯୁଗୀୟ ମନୁବାଦୀ ବିଚାରଧାରାର ଶାସନ ଆରମ୍ଭ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଏପରି ହେଲେ ଦେଶରେ ଅରାଜକତା ବ୍ୟାପିଯିବା ସହିତ ଗୃହ ଯୁଦ୍ଧ ଆରମ୍ଭ ହେବାର ଭୟ ରହିଛି । ତଥାକଥିତ ଡବଲ ଇଞ୍ଜିନ ସରକାରର ଶାସନରେ ମୁଷ୍ଟିମେୟ ଶିଳ୍ପପତି ଓ କର୍ପୋରେଟ୍ ଦେଶର ସମ୍ପତିକୁ କବ୍ଜା କରିବାରେ ଲାଗିଛନ୍ତି ଏବଂ ଗରୀବ ଅତି ଗରିବ ହୋଇ ଚାଲିଛନ୍ତି ବୋଲି ସେ କହିଥିଲେ । ତେବେ ରାହୁଲ ଗାନ୍ଧିଙ୍କର ଏହି ସମାବେଶକୁ ସଫଳ କରାଇବା ନିମନ୍ତେ ଗଣମାଧ୍ୟମର ପ୍ରତିନିଧିଗଣ ଏହି ସମ୍ବାଦ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଶ୍ରୀ ପଟ୍ଟନାୟକ ପ୍ରତିନିଧିମାନଙ୍କୁ ନିବେଦନ କରିଛନ୍ତି । ସଭାରେ ବରିଷ୍ଠ ନେତା ବିପ୍ରବରସାହୁ, ରାଜୀବ ଲୋଚନ ସିଂହଦେଓ, ବିନୟ କୁମାର ସାହୁ, ରୁଦ୍ର ପ୍ରକାଶ ଶରଣ, ପ୍ରେମ ଶଙ୍କର ମିଶ୍ର, ସରୋଜ ସତପଥ୍, ମହିଳା ନେତ୍ରୀ ସ୍ମିତା ରାଣୀ ସାମଲ, ରୁମେନା ବେଗମ୍, ମହମ୍ମଦ ଏର୍ସାଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।