ଅବହେଳିତ ଅବସ୍ଥାରେ ଶୈବପୀଠ କପିଳାସ 


ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : ଓଡିଶାର ଐତିହ୍ୟ ସଂପନ୍ନ ପ୍ରସିଦ୍ଧ ଶୈବପୀଠ ଭାବେ ନୈସର୍ଗିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ୮୦୦ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟମାନ । କୋଣାର୍କ ମନ୍ଦିରର ପ୍ରତିଷ୍ଠାତା ଲାଙ୍ଗୁଳା ନରସିଂହ ଦ୍ୱାରା ଲୋକଲୋଚନକୁ ଆସିଥିବା ଏହି କ୍ଷେତ୍ରର ପ୍ରସିଦ୍ଧି କହିଲେ ନସରେ । ପୁରାଣ କଥା ଅନୁସାରେ ଏଠାରେ କପିଳମୁନୀଙ୍କ ଆଶ୍ରମ ଥିଲା । ଏଠାରେ ଭାଗବତର ପ୍ରସିଦ୍ଧ ଟୀକାକାର ଶ୍ରୀଧର ସ୍ୱାମୀ ରହି ନୃସିଂହଦେବଙ୍କର ଆରଧନା କରୁଥିଲେ । ହେଲେ ଐତିହ୍ୟ ସଂପନ୍ନ ପ୍ରସିଦ୍ଧ ଶୈବପୀଠ ଆଜି ସଂପୂର୍ଣ୍ଣ ଅବହେଳିତ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ପୀଠର ଗର୍ଭଗୃହରେ ପାଣି ଗଳୁଛି । ଏପରିକି ନୃସିଂହ ଓ ପାର୍ବତୀଙ୍କ ମନ୍ଦିର ଛାତ ବିପଦ ସଂକୁଳ ଅବସ୍ଥାରେ ରହିଛି । ଛାତ ଫାଟି ରଡ୍ ଦିଶିଲାଣି । ଯାହାଫଳରେ ବର୍ଷା ହେଲେ ଛାତରୁ ପାଣି ଗଳୁଛି । ସେହିପରି ସିଂହଦ୍ୱାରର ସିଂହରେ ଶିଉଳି ଲାଗି ରହିଛି । ନୂତନ ଉକ୍ରୃଷ୍ଟମାନର ରଙ୍ଗ ଦିଆଯାଉ ନାହିଁ । ମନ୍ଦିର ଗାତ୍ରରେ ବି ଆଧୁନିକ ଜଳ ନିରୋଧି ରଙ୍ଗ ବ୍ୟବହୃତ ହେଉନାହିଁ । ମୁଖ୍ୟ ମନ୍ଦିରର ଉତ୍ତର ପାଶ୍ୱର୍ ଅଁଳାବେଢା ତଳକୁ ମନ୍ଦିର ଗାତ୍ରରେ ଫାଟ୍ ଜଳଜଳ ଦେଖାଯାଉଛି । ୧୯୯୦ ମସିହାରେ ତତ୍କାଳୀନ ଜିଲ୍ଲାପାଳ  ଓ କାମାକ୍ଷା ପ୍ରସାଦ ସିଂହଦେଓଙ୍କ କେନ୍ଦ୍ର ମନ୍ତ୍ରୀତ୍ୱ ସମୟରେ ମହାରାଜା ଭଗୀରଥଙ୍କ ଦ୍ୱାରା ନିର୍ମିତ କାଷ୍ଠ ଜଗମୋହନର ପୁନଃନିର୍ମାଣ କାବେରାର କାଷ୍ଠଶିଳ୍ପୀ ଜଗବନ୍ଧୁ ମହାରଣା ଦ୍ୱାରା ଅବିକଳ ଢଙ୍ଗରେ କରାଯାଇଥିଲା । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ସ୍ଥାନେ ସ୍ଥାନେ ଭାଙ୍ଗିରୁଜି ଗଲାଣି । କେନ୍ଦ୍ର ସ୍ଥଳରେ ଥିବା କାଷ୍ଠ ନିର୍ମିତ ପୁଷ୍ପ ଖସିପଡିଲାଣି । ସବା ଉପରେ ନିର୍ମିତ ପାଣିଟାଙ୍କି ଫାଟି ପାଣି ଅନବରତ ବୋହି ଚାଲିଛି । ପ୍ରାୟ ଦେଢବର୍ଷ ତଳେ ତା୧୭.୦୨.୨୦୨୩ରେ ଉଦ୍ଘାଟିତ ଟାଟା ଷ୍ଟିଲ୍ ସହାୟତାରେ ନିର୍ମିତ ଏକ ମୁଗୁନି ପ୍ରସ୍ତରର ଧ୍ୟାନମଗ୍ନ ଶିବମୂର୍ତ୍ତି ସ୍ଥଳ ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । କେତେ ଟଙ୍କାରେ ଏହି ମୂର୍ତ୍ତିସ୍ଥଳ ନିର୍ମିତ ହେଲା ତାହାର ଉଲ୍ଲେଖ ନାହିଁ । ଅତ୍ୟନ୍ତ ଭ୍ରମାତ୍ମକ ଓ ଖାମଖିଆଲ ଭାବେ ମୂର୍ତ୍ତି ତଳ ଫଳକରେ ଶ୍ରୀ ଶ୍ରୀ କପିଳେଶ୍ୱର ବୋଲି ଖୋଦେଇ କରାଗଲା । ପ୍ରତିବାଦ ତୀବ୍ର ହେବାରୁ ତାହାକୁ ଲିଭାଇ ଦିଆଗଲା ଯେ, ଏଯାବତ୍ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବୋଲି ଖୋଦେଇ ହେଲା ନାହିଁ । ଢେଙ୍କାନାଳ ଦେବୋତ୍ତର କିଭଳି ଦାୟିତ୍ୱହୀନ ଓ ଖାମଖିଆଲ ମନୋଭାବ ଯୋଗୁଁ ଏସବୁ ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ କପିଳାସରେ ଅରୁଆ ହୋଟେଲ୍ ନାମରେ ଅନ୍ନ ପ୍ରସାଦ ନିଲାମ ଦିଆଯାଉଛି । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହେଉଥିବାର ଶୁଣାଯାଉଛି । ସେଥିପାଇଁ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ଭୋଗରୁ ଦର୍ଶନାର୍ଥୀ ବଂଚିତ ହେଉଛନ୍ତି । ନିମ୍ନମାନର ଚାଉଳରେ ଶ୍ରୀଜୀଉଙ୍କ ଠାରେ ଅନ୍ନପ୍ରସାଦ ଲାଗି ହେଉଛି । ଡାଲ୍ମାରେ ଅଳ୍ପ ଡାଲି, ବେଶି ପାଣି ଓ ଅଳ୍ପ ପରିବା ପକାଯାଉଛି । ଏପରିକି ବିନା ପରିବାରେ ଖାଲି ଆଳୁ ପଡି ଡାଲ୍ମା ହେଉଛି । ଏସବୁ ସତ୍ତ୍ୱେ ବି ମହାପ୍ରଭୁଙ୍କ କୃପାରୁ ଏହା ସୁସ୍ୱାଦୁ ହେଉଛି ସତ କିନ୍ତୁ ସବୁ ଭକ୍ତଙ୍କୁ ବି ଏହା ଉପଲବ୍ଧ ହୋଇପାରୁ ନାହିଁ । ଏଥିପାଇଁ ମନ୍ଦିର ପରିଚାଳନାର ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ ବୋଲି ବିଭିନ୍ନ ସମୟରେ ବୁଦ୍ଧିଜୀବୀମାନେ ଦାବି କରିଆସୁଛନ୍ତି । ମନ୍ଦିର ପାଇଁ ସ୍ୱତନ୍ତ୍ର ଉନ୍ନୟନ ବୋର୍ଡ କରାଯାଇ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ପୂର୍ଣ୍ଣ କ୍ଷମତା ସହ ଦାୟିତ୍ୱ ଦିଆଯାଉ । ବେସରକାରୀ ଅଭିଜ୍ଞ ବ୍ୟକ୍ତିଙ୍କ ସହ ଶ୍ରୀଜୀଉଙ୍କ ପ୍ରଥମ ସେବକ ଢେଙ୍କାନାଳ ରାଜାଙ୍କୁ ନେଇ ସ୍ୱାଧୀନ ପରିଚାଳନା ବୋର୍ଡ ଗଠନ କରିବା ସହ ୧୯୯୫ ମସିହାରେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ବର୍ମାଙ୍କ ମାର୍ଗ ଦର୍ଶନରେ ପ୍ରସ୍ତୁତ ୮କୋଟି ଟଙ୍କାର "କପିଳାସ ଉନ୍ନୟନ ପ୍ରକଳ୍ପ'କୁ କାର୍ଯ୍ୟକ୍ଷମ କରାଯାଉ । ବର୍ତ୍ତମାନ ଏଥିପାଇଁ ୮୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଉ । ରାସ୍ତାର ୧୦ଟି ବାଙ୍କରେ ଦଶ ଅବତାରର ଭବ୍ୟ ମୂର୍ତ୍ତି ପ୍ରତିଷ୍ଠା ସହ ମନ୍ଦିର ସିଂହଦ୍ୱାର ନିକଟରେ ମହାପ୍ରଭୁ ଶ୍ରୀ ଶଙ୍କରଙ୍କ ସମଗ୍ର ପରିବାର ମା' ପାର୍ବତୀ, ନନ୍ଦି, ଭୃଙ୍ଗୀ, ଗଣେଶ ଓ କାର୍ତ୍ତିକେୟଙ୍କ କୈଳାସ ଗିରି ପୃଷ୍ଠରେ ଉପବେଶନର ପାସାଣ ଭାସ୍କର୍ଯ୍ୟ ନିର୍ମିତ ହେଉ । ପୀଠସ୍ଥ ଆଦ୍ୟାଶକ୍ତି ଭୁବନେଶ୍ୱରୀ ମନ୍ଦିର ନିର୍ମାଣ କରାଯାଉ । ଏ ସମସ୍ତ ବିଷୟକୁ ନେଇ କପିଳାସ ଉନ୍ନୟନ କାର୍ଯ୍ୟ ଆଗେଇ ନେବାକୁ ଖୋଦ୍ ରାଜ୍ୟ ସରକାର ଆଗେଇ ଆସନ୍ତୁ ବୋଲି ଢେଙ୍କାନାଳ ଜିଲ୍ଲା ଶ୍ରୀଜଗନ୍ନାଥ ସେବା ପରିଷଦ ପକ୍ଷରୁ ପରିଷଦର ଉପଦେଷ୍ଟା ଯୁବରାଜ ଅମରଜ୍ୟୋତି ସିଂହଦେଓ, ସଭାପତି ପ୍ରଦୁ୍ୟମ୍ନ ରଥ, ସଂପାଦକ ଅଶୋକ କୁମାର ନନ୍ଦ, ସଭ୍ୟ ବିଜୟ କୁମାର ସାହୁ, କ୍ଷେତ୍ରବାସୀ ସାହୁ, ଜୟକୃଷ୍ଣ ଜେନା, ଅଖିଳ ମହାପାତ୍ର, ପ୍ରେମଶଙ୍କର ମିଶ୍ର, ସୁନିଲ୍ ଦାଶ, ସୁକାନ୍ତ ମିଶ୍ର ଓ ପରେଶ ମିଶ୍ର ପ୍ରମୁଖ ଦୃଢ ଦାବି କରିଛନ୍ତି ।