ସହରୀ ପରିବହନ କେତେ ଭଲ?


୨୦୧୮ ମସିହାରେ ରାଜ୍ୟରେ ବିଜୁ ଜନତା ଦଳ ଶାସନରେ ଥିବା ସମୟରେ ରାଜଧାନୀ ଭୁବନେଶ୍ୱର, କଟକ ଏବଂ ପୁରୀ ସହରାଞ୍ଚଳରେ ଲୋକମାନଙ୍କର ଯାତାୟତ ପାଇଁ ପରିବହନର ଏକ ବ୍ୟବସ୍ଥା କରିଥିଲେ । ଏହି ବ୍ୟବସ୍ଥା କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ୍ ବା କ୍ରୁଟ୍ ନାମରେ ପରିଚିତ । ମୁଖ୍ୟତଃ ଭୁବନେଶ୍ୱର ଏବଂ ପୁରୀକୁ ନେଇ ପରିବହନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ପରବର୍ତ୍ତୀ ସମୟରେ କଟକ, ଖୋର୍ଦ୍ଦା, ପିପିଲି, କୋଣାର୍କ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ପ୍ରଚଳନ କରାଯାଇଥିଲା । ଏହି ବ୍ୟବସ୍ଥା ସହରାଞ୍ଚଳର ଲୋକମାନଙ୍କ ପାଇଁ ଶସ୍ତା ଏବଂ ଆରାମଦାୟକ ପରିବହନ ବ୍ୟବସ୍ଥା ଯୋଗାଇଥିଲା । ତେବେ ନିର୍ଦ୍ଦିଷ୍ଟ ଭାବେ ରାଜଧାନୀ ଭୁବନେଶ୍ୱର କ୍ଷେତ୍ରରେ ଅନେକ ଗୁଡ଼ିଏ ଦୁର୍ଘଟଣା ଘଟିଗଲାଣି । ଏସବୁ ଦୁର୍ଘଟଣାରେ କିଛି ଲୋକଙ୍କର ଜୀବନ ମଧ୍ୟ ଗଲାଣି । ବର୍ତ୍ତମାନ ଏହି କ୍ରୁଟ୍ ପରିଚାଳିତ ପରିବହନ ବ୍ୟବସ୍ଥା ଦିନକୁ ଦିନ ଦୁର୍ଘଟଣାକୁ ନେଇ ବଦନାମ୍ ହେବାରେ ଲାଗିଛି । ଏତେ ଗୁଡ଼ାଏ ସହରରେ ଏହି ପରିବହନ ବ୍ୟବସ୍ଥାରେ ବସ୍ ଚାଲୁଥିବା ବେଳେ ଭୁବନେଶ୍ୱର ଅଞ୍ଚଳରେ ବହୁ ଦୁର୍ଘଟଣା ଘଟୁଥିବାରୁ ଏହାର ଏକ ବିଶ୍ଳେଷଣ ଆବଶ୍ୟକ । 
ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ କ୍ରୁଟ୍ ଏକ କମ୍ପାନୀ ଭାବରେ ପଞ୍ଜୀକୃତ ହୋଇଛି । ଏହି ବ୍ୟବସ୍ଥାରେ ଗାଡ଼ି ଚଲାଇବାର ମୁଖ୍ୟ ଉଦେ୍ଦଶ୍ୟ ହେଲା ସୁଲଭ ମୂଲ୍ୟରେ ଆରାମଦାୟକ ଯାତ୍ରା ସହିତ ପ୍ରଦୂଷଣକୁ କମାଇବା । ସହରାଞ୍ଚଳରେ ଯାନବାହନର ସଂଖ୍ୟା ବଢୁଥିବା ବେଳେ ଏବଂ ଟ୍ରାଫିକ୍ ସମସ୍ୟା ଉପୁଜୁଥିବାରୁ ଲୋକେ ଏହି ବ୍ୟବସ୍ଥାରେ ଯାତାୟତ କରି ନିଜର ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ କରିପାରୁଛନ୍ତି । ୨୦୧୮ ମସିହାରେ ଏହାକୁ "ମୋ ବସ୍' ଭାବେ ନାମିତ କରାଯାଇଥିଲା । ୨୦୨୪ ମସିହାରେ ସରକାର ବଦଳିବା ପରେ ଏହା "ଆମ ବସ୍' ନାମରେ ଚଳାଚଳ କରୁଛି । ତେବେ "ଆମ ବସ୍'ର ଦୁର୍ଘଟଣାକୁ ନେଇ ଏହି ବସ୍ର ଚଳାଚଳ ଉପରେ ଅନେକ ଲୋକ ଆପତ୍ତି ଉଠାଉଛନ୍ତି । ହେଲେ ଏହାରି ପଛର ପ୍ରକୃତ କଥାଟି ହେଲା ଏହି ବସ୍ ଚଳାଚଳ କରିବା ପୂର୍ବରୁ କିଛି ଘରୋଇ ବସ୍ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ସଂପୃକ୍ତ ଥିଲେ । ଲୋକମାନଙ୍କର ଚାହିଦାକୁ ନେଇ ଏହି ସେବା ପର୍ଯ୍ୟାପ୍ତ ନଥିଲା ଏବଂ ଏଥିରେ ଯାତ୍ରା ଭଡ଼ା ମଧ୍ୟ ଅଧିକ ଥିଲା । ଏ ଦୃଷ୍ଟିରୁ ପୂର୍ବରୁ ସହରାଞ୍ଚଳ ପରିବହନରେ ବସ୍ ନିୟୋଜିତ କରିଥିବା ମାଲିକ ମାନେ "ମୋ ବସ୍' ସେବା ପ୍ରତି ଅସୂୟା ମନୋଭାବ ରଖିଥିଲେ । ଏପରିକି ଅଟୋରିକ୍ସାଗୁଡ଼ିକର ଚଳାଚଳ କ୍ଷେତ୍ରରେ ମଧ୍ୟ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା । ତେଣୁ ମୋଟ ଉପରେ ଦେଖିବାକୁ ଗଲେ "ମୋ ବସ୍' ଉପରେ ନିର୍ଦ୍ଦିଷ୍ଟ କେତୋଟି ଗୋଷ୍ଠୀ ସଂପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ । 
ଆଉ ଗୋଟିଏ କଥା ହେଲା ଏହି ବସ୍ ଗୁଡ଼ିକ ସହର ଭିତରେ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ରାସ୍ତାରେ ଚଳାଚଳ କରୁଛି । ଆମ ଲୋକମାନେ ଟ୍ରାଫିକ୍ ନିୟମ ଉଲଙ୍ଘନ କରି ରାସ୍ତା ଉପରେ ମନଇଚ୍ଛା ଦୁଇଚକିଆ, ଚାରିଚକିଆ ଯାନ ପାର୍କିଂ କରିବା, ଟ୍ରାଫିକ୍ ଛକରେ ନାଲିବତୀ ପଡ଼ିଲେ ସମୁଦାୟ ଛକଟିକୁ ଜାମ୍ କରି ଦେଉଛନ୍ତି । ସବୁଜବତୀ ଜଳିଲେ କିଏ ଆଗେ ଯିବର ପ୍ରତିଯୋଗିତା ଆରମ୍ଭ ହୋଇଯାଉଛି । ରାସ୍ତାରେ ଯାଉଥିବା ବଡ଼ ଯାନବାହନ ପ୍ରତି ଦୁଇଚକିଆ ଏବଂ ସାଇକେଲ୍ ଆରୋହୀମାନେ ସଂପୂର୍ଣ୍ଣ ବେଖାତିର୍ ମନୋଭାବ ରଖୁଛନ୍ତି । ତେଣୁ ଦେଖିବାକୁ ଗଲେ ଭୀଷଣ ଗହଳି ଭିତରେ ବଡ଼ ବଡ଼ ବସ୍ ଚଳାଚଳ କରିଲେ ଦୁର୍ଘଟଣା ଘଟୁଛି । ଏହିସବୁ ଦୁର୍ଘଟଣାରେ ଲୋକମାନଙ୍କର ଭୁଲ୍ ଥିଲେ ବି ଯେହେତୁ ବଡ଼ ଗାଡ଼ି, ଧକ୍କା ହେଲେ ସବୁତକ ଭୁଲ୍ ବଡ଼ ଗାଡ଼ିର ବୋଲି କହୁଛନ୍ତି । "ମୋ ବସ୍'ରେ ଗାଡ଼ି ଚାଳକ ଭାବରେ ନିଯୁକ୍ତି ପାଉଥିବା ଡ୍ରାଇଭର୍ ମାନଙ୍କର ଦକ୍ଷତା, ନିଶାସେବନ ଭଳି ଅଭ୍ୟାସ ଅଛି କି ନାହିଁ ଆଦି ଅନେକ ପ୍ରକାରର ଯାଞ୍ଚ୍ ଦେଇ ନିଯୁକ୍ତି ମିଳିଥାଏ । ଅନ୍ୟ ଭାରିଯାନର ଚାଳକଙ୍କ ଭଳି ଏମାନେ ସେତେ ବେଖାତିର୍ ଭାବରେ ଗାଡ଼ି ଚଳାନ୍ତି ନାହିଁ । କାରଣ ହାଟ, ବଜାର ଭଳି ଗହଳି ଭିତରେ ଏହି ଗାଡ଼ି ଚଳାଚଳ କରୁଥିବାରୁ ଚାଳକମାନେ ବେଶ୍ ସତର୍କ । କେତୋଟି ଦୁର୍ଘଟଣାକୁ ପରେ ଗାଡ଼ିର ଗତିସୀମାକୁ ସର୍ବାଧିକ ୪୦ରେ ସୀମିତ କରାଯାଇଛି । ଏସବୁ ସତ୍ତ୍ୱେ ଦୁର୍ଘଟଣା ଘଟିଲେ ତକ୍ରାଳିକ ଭାବରେ "ମୋ ବସ୍' ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ଦାୟୀ କରାଯିବା ଅନୁଚିତ୍ । ଲୋକମାନଙ୍କର ଟ୍ରାଫିକ୍ ବ୍ୟବସ୍ଥା ଏବଂ ରାସ୍ତାରେ ଚଛାଚଳ କରୁଥିବା ଅନ୍ୟ ଗାଡ଼ି ଏବଂ ଲୋକଙ୍କ ପ୍ରତି ସୁବିଧା ନଦେଇ ଏକ ପ୍ରତିଯୋଗିତାମୂଳକ ମନୋବୃତ୍ତିରେ ଲୋକେ ଚଳାଚଳ କରୁଥିବାରୁ ଦୁର୍ଘଟଣା ଘଟୁଛି ।