ସାମାଜିକ ଗଣମାଧ୍ୟମର ଅପବ୍ୟବହାର
ବିଭିନ୍ନ ପାରମ୍ପିରକ ଗଣମାଧ୍ୟମ ତଥା ବୈଦୁ୍ୟତିକ ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରେସ୍ ରେଜିଷ୍ଟ୍ରାର୍, ପିଆଇବି ଭଳି ସଂସ୍ଥା, ଡ଼ିଏଭିପି ନିୟନ୍ତ୍ରକ ସଂସ୍ଥା ଭାବରେ କାର୍ଯ୍ୟ କରୁଛି । ଏହି ତିନିଗୋଟି ସଂସ୍ଥା ବିଭିନ୍ନ ଉପାୟରେ ସମ୍ବାଦପତ୍ର ତଥା ଗଣମାଧ୍ୟମ ଗୁଡ଼ିକର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖୁଛନ୍ତି ଏବଂ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଭଳି ଆଉ ଏକ ସଂସ୍ଥା ସମ୍ବାଦପତ୍ର ଗୁଡ଼ିକର ବିରୁଦ୍ଧରେ ଆସୁଥିବା ମାଲି ମୋକଦ୍ଦମାର ବିଚାର ମଧ୍ୟ କରୁଛନ୍ତି । ତେଣୁ ପାରମ୍ପରିକ ଗଣମାଧ୍ୟମ, ମୁଦ୍ରିତ ଗଣମାଧ୍ୟମ, ଟେଲିଭିଜନ୍ ଚ୍ୟାନେଲ୍ ଆଦି ସାମ୍ବାଦିକତାର ମର୍ଯ୍ୟାଦାକୁ ରକ୍ଷା କରି ସମାଜର ହିତ ଦୃଷ୍ଟିରୁ ସମ୍ବାଦ ପରିବେଷଣ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି ।
ଅନ୍ୟପକ୍ଷରେ ମୋବାଇଲ୍ ନେଟ୍ୱାର୍କର ସମ୍ପ୍ରସାରଣ ଫଳରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡିକ ଅନ୍ୟ ଗଣମାଧ୍ୟମ ଠାରୁ ଆଗେଇ ଯାଇଛନ୍ତି । ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସମଗ୍ର ବିଶ୍ୱରେ କୌଣସି ଏକ ତଥ୍ୟ ପହଞ୍ଚିପାରୁଛି । ବର୍ତ୍ତମାନ ଟେକ୍ନୋଲୋଜିର ବିକାଶ ଫଳରେ ଏବଂ ବ୍ୟକ୍ତିଗତ ଭାବରେ ଆଣ୍ଡ୍ରଏଡ୍ ମୋବାଇଲ୍ର ମାଲିକାନା ପରେ ସୋସିଆଲ୍ ମିଡ଼ିଆ ବା ସାମାଜିକ ଗଣମାଧ୍ୟମର ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ଫେସ୍ବୁକ୍, ଇନଷ୍ଟାଗ୍ରାମ୍, ଏକ୍ସ, ଟ୍ୱିଟର, ୟୁଟୁ୍ୟବ୍ ଭଳି ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ଯିଏ ଯାହା ପାରିଲା ଫଟୋ, ଭିଡ଼ିଓ ଆଦି ଅପ୍ଲୋଡ଼ କରିପାରୁଛନ୍ତି । ମୁହୂର୍ତ୍ତକ ମଧ୍ୟରେ ଏହିସବୁ ତଥ୍ୟ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିଯାଉଛି ଏବଂ କୌଣସି ଭୋଗୋଳିକ ସୀମା ଏହି ତଥ୍ୟକୁ ଆବଦ୍ଧ କରିପାରୁନାହିଁ । ଏପରି ସ୍ଥଳେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରାଯାଉଥିବା ତଥ୍ୟ ଗୁଡ଼ିକର ଯାଞ୍ଚ୍ କରାଯିବା ମଧ୍ୟ ସମ୍ଭବ ହେଉ ନାହିଁ । ପ୍ରତି ମିନିଟ୍ରେ ଶହ ଶହ ବିଭ୍ରାନ୍ତିକର ଏବଂ ଭୁଲ୍ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚୁଛି । ସେସବୁକୁ ଯାଞ୍ଚ୍ କରିବା ପାଇଁ ଲୋକଙ୍କର ମାନସିକତା ନାହିଁ, ସମୟ ମଧ୍ୟ ନାହିଁ । ତଥ୍ୟଟି ପହଞ୍ଚିବା ମାତ୍ରକେ ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ଲୋକମାନେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ପ୍ରଦର୍ଶନ କରୁଛନ୍ତି । ଏସବୁ ଦ୍ୱାରା ତଥ୍ୟ ଅପେକ୍ଷା ଗୁଜବ ଅଧିକ ସଂଖ୍ୟାରେ ଓ ତୀବ୍ର ଗତିରେ ପ୍ରସାରିତ ହେଉଛି । ସୋସିଆଲ୍ ମିଡ଼ିଆରେ ଅଶ୍ଳୀଳ କଣ୍ଟେଣ୍ଟ୍ ପକାଇବା, ଅଭଦ୍ର ଭାଷାରେ ଗାଳିଗୁଲଜ କରିବା, ଅଶ୍ଳୀଳ ମନ୍ତବ୍ୟ ଦେବା ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏସବୁ ଉପରେ ଅଙ୍କୁଶ ଲଗାଇବା ମଧ୍ୟ ସମ୍ଭବ ନୁହେଁ । କିଏ କାହାକୁ ଗାଳି ଦେଲେ ସେଥିପାଇଁ ଆଇନ୍ଗତ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ପ୍ରତିଦିନ ଏହିଭଳି ଘଟଣା ଲକ୍ଷ ଲକ୍ଷ ସଂଖ୍ୟାରେ ଘଟୁଛି । ସେଭଳି କିଛି ଜରୁରୀ ଉପଲବ୍ଧି ନ ହେଲେ ପୋଷ୍ଟ କରିଥିବା ବ୍ୟକ୍ତିକୁ ଖୋଜିବା ପାଇଁ କୌଣସି କର୍ତ୍ତୃପକ୍ଷ ଆଗ୍ରହ ଦେଖାଉ ନାହାନ୍ତି । କୌଣସି ପୋଷ୍ଟ୍କୁ ନେଇ ଯଦି ସମାଜର ସାମାଜିକ ସଦ୍ଭାବ ପ୍ରଭାବିତ ହେଉଛି କେବଳ ସେହି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅନ୍ୟଥା ଅନ୍ୟ ସବୁ ସୋସିଆଲ୍ ମିଡ଼ିଆର ଅପବ୍ୟବହାର କ୍ଷେତ୍ରରେ କାହାରି ବିରୁଦ୍ଧରେ କିଛି ଉପଦେଶ ନିଆଯାଉନାହିଁ । ଏହା ଫଳରେ ଲୋକମାନେ ସାମାଜିକ ଗଣମାଧ୍ୟମକୁ ମନଇଚ୍ଛା ବ୍ୟବହାର କରିବା ପାଇଁ ଲାଗି ପଡ଼ିଛନ୍ତି । ସମାଜ ଉପରେ ଏ ସବୁର କୁପ୍ରଭାବ ପଡୁଥିଲେ ମଧ୍ୟ ଏ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆଇନ୍ ଥିଲେ ମଧ୍ୟ ଅଭିଯୋଗକାରୀ କେହି ନାହାନ୍ତି । ତେଣୁ ଏଭଳି ପରିସ୍ଥିତିର ଫାଇଦା ନେବା ପାଇଁ ଅସାମାଜିକ ମନୋବୃତ୍ତିର ଲୋକମାନେ ଚେଷ୍ଟା କରୁଛନ୍ତି । କିଏ କାହାକୁ ଦୁଇ ପଦ ଅଶ୍ଳୀଳ ଭାଷାରେ ଗାଳି ଦେଲା ତାକୁ ନେଇ ଥାନାକୁ ଯାଇ ଏଫ୍ଆଇଆର୍ ଦେବା ପର୍ଯ୍ୟନ୍ତ କଥା ଯିବା କ୍ୱଚିତ୍ ଘଟଣାରେ ଦେଖିବାକୁ ମିଳୁଛି । ଏହି ଆଳରେ ଶିଶୁଙ୍କର ଅଶ୍ଳୀଳ ଭିଡ଼ିଓ, ୟୁଟୁ୍ୟବ୍ ଚ୍ୟାନେଲ୍ର ଅଶ୍ଳୀଳ କଣ୍ଟେଣ୍ଟ୍, ଫେସ୍ବୁକ୍ର ଅଶ୍ଳୀଳ କଣ୍ଟେଣ୍ଟ ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ଏକ ସ୍ୱୟଂକ୍ରୀୟ ଘଟଣାରେ ଏହିସବୁ ଘଟଣା ଗୁଡ଼ିକୁ ବନ୍ଦ କରିବା ପାଇଁ କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ ହେବା ଆବଶ୍ୟକ ।