ସୁକିନ୍ଦାଗଡ଼ରେ ନିଆରା ବାସି ରଥଯାତ୍ରା : ବଡ଼ ଦାଣ୍ଡରେ ଅଟକିଲା ରଥ

ସୁକିନ୍ଦା : ସୁକିନ୍ଦାଗଡରେ ଚାଲି ଆସିଥିବା ବାସି ରଥଯାତ୍ରାରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନପାରି ବଡ଼ଦାଣ୍ଡରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ସମ୍ପୂର୍ଣ ନୂତନ ରଥ ନିର୍ମାଣ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ରଥ ଟାଣିବା ପାଇଁ ଉଦବେଗ ପ୍ରକାଶ ପାଇଛି । 
ସେଥିପାଇଁ ହଜାର୍ ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ରଥ ଟଣା ସମୟରେ ଗ୍ରାମ ଦେବତୀ ମା’ଖଣ୍ଡୁରାଇଙ୍କ ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନରେ ରଥ ଲାଗିଯିବାରୁ ସେହି ସ୍ଥାନ ଖାଲି କରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା । ସେଥିପାଇଁ ରଥକୁ ସେହି ସ୍ଥାନରେ ରଖାଯାଇ ଆସନ୍ତା କାଲି ରଥ ଟାଣିବା ପାଇଁ ସ୍ଥିର ହୋଇଛି । ସମସ୍ତ ସ୍ଥାନରେ ହେଉଥିବା ରଥଯାତ୍ରା ଠାରୁ ଏହା ନିଆରା । ଶ୍ରୀଗୁଣ୍ଡିଚା ଓ ବାହୁଡାÿ ଯାତ୍ରାରେ ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରିବା ପରେ ରଥକୁ ମାତ୍ର ଥରେ ଟଣାଯାଏ । ପରଦିନ ସମ୍ପୂର୍ଣ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ । ବାହୁଡ଼ାରେ ମଧ୍ୟ ସମାନ ପରମ୍ପରା । ଚଳିତ ବର୍ଷ ଦ୍ୱିତୀୟ ଦିନରେ ମଧ୍ୟ ରଥ ଗୁଣ୍ଡିଚା ମନ୍ଦିରରେ ପହଁଚି ପାରିନାହିଁ । ସମସ୍ତ ପ୍ରକାରର ଚେଷ୍ଟା ପରେବି ରଥକୁ ନିଆଯାଇ ପାରିଲାନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଭୁଙ୍କ ବିନା ଇଚ୍ଛାରେ କିଛି ସମ୍ଭବ ନୁହେଁ । ଦେବୋତର ବିଭାଗ ମୁଖ୍ୟ ତଥା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁପ୍ରସନ୍ନ ମଲ୍ଲିକ ପ୍ରମୁଖ ନିଜେ ଉପସ୍ଥିତ ରହି ରଥ ପରିସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ଓ ଟମକା ଥାନା ଅଧିକାରୀଣି ପ୍ରମୋଦିନି ସାହୁ ଓ ୭ଜଣ ଏସ୍ଆଇଙ୍କ ସମେତ ଶତାଧିକ ପୁଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।