ଡ଼କାୟତି ଯୋଜନା ଫେଲ; ୨ ଗିରଫ

 ଯାଜପୁର ଟାଉନ:  ଯାଜପୁର ଥାନା ଅନ୍ତର୍ଗତ ପଣସା ପଞ୍ଚାୟତ କୁଞ୍ଜବିହାରୀପୁର ଗ୍ରାମରେ ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପାଟ୍ରୋଲିଂ ଟିମ୍ ୨ଜଣ ଡକାୟତକୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ୨୭ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଯାଜପୁର ଥାନା ଏସ୍ଆଇ ତୃପ୍ତୀମୟୀ ରାଉତ ସଦଳବଳେ ପାଟ୍ରୋଲିଂ କରୁଥିବା ସମୟରେ ବେଲେଶ୍ୱର ଛକ ଠାରେ ଜଣେ ବ୍ୟକ୍ତି ପୁଲିସକୁ ସୂଚନା ଦେଇଥିଲା । କୁଞ୍ଜବିହାରୀପୁରରେ ୨ଜଣ ଯୁବକ ଡକାୟତ କରିବା ପାଇଁ ଉଦ୍ୟମ କରୁଥିବା କହିବାରୁ ପୁଲିସ ପାଟ୍ରୋଲିଂ ଟିମ୍ ସଙ୍ଗେ ସଙ୍ଗେ କୁଞ୍ଜବିହାରୀପୁର ପହଞ୍ଚି ଥିଲେ । ପୁଲିସକୁ ଦେଖି ଡକାୟତ ଉଦ୍ୟମ କରୁଥିବା ୨ଜଣ ଯୁବକ ସେଠାରୁ ଦୌଡ଼ି ବୈତରଣୀ ନଦୀ ଆଡ଼େ ପଳାଇଥିଲେ । ପୁଲିସ ଟିମ୍ ସେମାନଙ୍କୁ କୌଣସି ପ୍ରକାର କାବୁ କରିବା ସହ ସେମାନଙ୍କ ଠାରୁ ପଲସର, ଭୂଜାଲୀ, ଲୁହା ରଡ଼ ଜବତ କରିଥିଲେ । ଯୁବକ ୨ଜଣ ଯାଜପୁର ଥାନା ରାଉତରାପୁର ଗ୍ରାମର ଗୌରାଙ୍ଗ ସେନାପତିଙ୍କ ପୁଅ ପ୍ରକାଶ ସେନାପତି ଓରଫ ମଦନ (୩୦) ଓ ନୂଆଗାଁ ଅଞ୍ଚଳର ଅମର ସାହୁଙ୍କ ପୁଅ ବିଜୟ ସାହୁ(୨୮) । ପୁଲିସ ଉଭୟଙ୍କୁ କୋର୍ଟ ଚଲାଣ କରିଥିବା ବେଳେ ତାଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି ।