ସୁଦୃଢ଼ ହେବ ନୌସେନା ସାମିଲ ହେବ ୩ ଜାହାଜ

 ମୁମ୍ବାଇ: ଆହୁରି ବଳୁଆ ହେବ ନୌସେନା । ଆସନ୍ତା ୧୫ ତାରିଖରେ ଆଉ ଏକ ଐତିହାସିକ ମାଇଲ୍ଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ଭାରତୀୟ ନୌସେନା । ନିଜ ବାହୁବଳକୁ ଆହୁରି ପ୍ରସାର କରିବା ପାଇଁ ଏହିଦିନ ମୁମ୍ବାଇ ନାଭାଲ୍ ଡକ୍ୟାର୍ଡ ଠାରେ ସାମିଲ ହେବ ୨ ଯୁଦ୍ଧପୋତ ଓ ଗୋଟିଏ ବୁଡ଼ାଜାହାଜ । ନୀଳଗିରି (ଯୁଦ୍ଧ ଜାହାଜ), ସୁରତ (ଯୁଦ୍ଧ ଜାହାଜ) ଓ ଭାଗ୍ୟଶ୍ରୀ (ବୁଡ଼ା ଜାହାଜ) ନାଁରେ ନାମିତ ହୋଇଥିବା ଏହି ତିନି ଜାହାଜକୁ ଦେଶୀୟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଥିବା ବେଳେ ମୁମ୍ବାଇର ମାଜାଗନ୍ ଡକ୍ ଶିପ୍ ବିଲ୍ଡଡର୍ ଲିମିଟେଡ୍ (ଏମ୍ଡିଏଲ୍) କମ୍ପାନୀ ଏହାର ଡିଜାଇନ୍ ଓ ନିର୍ମାଣ କରିଛି । 
ପ୍ରୋଜେକ୍ଟ ୧୭ (ଏ) ଶ୍ରେଣୀ ଅନ୍ତର୍ଭୁକ୍ତ ଯୁଦ୍ଧ ଜାହାଜ ଗୁଡ଼ିକ ମଧ୍ୟରେ ‘ନୀଳଗିରି’ ସବୁଠାରୁ ଅତ୍ୟାଧୁନିକ ଓ ମୁହାଁମୁହିଁ ଯୁଦ୍ଧ କରିବାର ବୈଷୟିକ କୌଶଳ ଏଥିରେ ସଂଯୋଗ କରାଯାଇଛି । ଏହାସହ ଏଥିରେ ଷ୍ଟିଲ୍ଥ ଟେକ୍ନୋଲୋଜି (ଶତ୍ରୁପକ୍ଷ ରାଡାର୍ରୁ ବଞ୍ଚôବାର କୌଶଳ) ମଧ୍ୟ ଯୋଡ଼ା ଯାଇଛି । ସେହିପରି ୧୫ (ବି) ଶ୍ରେଣୀର ଚତୁର୍ଥ ତଥା ଶେଷ ପ୍ରୋଜେକ୍ଟ ରୂପେ ବିଧ୍ୱଂସକାରୀ ଜାହାଜ ‘ସୁରତ’ର ନିର୍ମାଣ ମଧ୍ୟ ଶେଷ ହୋଇଛି । ଶତ୍ରୁପକ୍ଷକୁ ତତ୍କ୍ଷଣାତ୍ ଚକମା ଦେବା ପାଇଁ ଏହି ଦୁଇଟି ଯୁଦ୍ଧ ଜାହାଜରୁ ଦେଶୀୟ ଜ୍ଞାନ କୌଶଳରେ ତକ୍ରାଳୀନ ଟର୍ପିଡୋ ଫାୟାର୍ ଟେକ୍ନୋଲୋଜି ସଂଯୋଗ କରାଯାଇଛି । ଏହି ଦୁଇଟି ଜାହାଜକୁ ଏପରି ଡିଜାଇନ୍ କରାଯାଇଛି ଯେ, ଏଥିରେ ଏମ୍ଏଚ୍-୬୦ଆର୍, ସି କିଙ୍ଗ୍, ଏଏଲ୍ଏଚ୍ ଏବଂ ଚେତକ ଭଳି ହେଲିକପ୍ଟର୍ ମଧ୍ୟ ଅବତରଣ କରିପାରିବ । ସେହିପରି ପ୍ରୋଜେକ୍ଟ-୭୫ ଅନ୍ତର୍ଭୁକ୍ତ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ସ୍କର୍ପିନ୍ ଶ୍ରେଣୀୟ ବୁଡ଼ାଜାହାଜ ‘ଭାଗ୍ୟଶ୍ରୀ’ ଶତ୍ରୁପକ୍ଷକୁ ମାତ ଦେବା ପାଇଁ ପ୍ରସ୍ତୁତ । ଏଥିରେ ଆଣ୍ଟି-ସର୍ଫେସ୍, ଆଣ୍ଟି-ସବ୍ମ୍ୟାରିନ୍ ଓ ଏଆଇପି ଭଳି ଜ୍ଞାନକୌଶଳ ସଂଯୋଗ କରାଯାଇଛି । ବର୍ତ୍ତମାନ ନୌସେନାରେ ସାମିଲ ହେବାକୁ ଥିବା ଏହି ତିନୋଟି ଜାହାଜକୁ ପରୀକ୍ଷାମୂଳକ ଭାବେ ସମୁଦ୍ରରେ ଅବତରଣ କରାଯାଇ ସମସ୍ତ ପରୀକ୍ଷାନିରୀକ୍ଷା କରାଯାଉଛି । ଆସନ୍ତା ୧୫ରେ ଏହାକୁ ନୌସେନାରେ ସାମିଲ କରାଯିବ ।