ସୁଧୁରୁନି ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା

 ସିଂହପୁର:  ବିଞ୍ଝାରପୁର ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଖରା ଦିନେ ଚାଷୀ ଜମିକୁ ପାଣି ପାଉନଥିବା ବେଳେ ବର୍ଷାଦିନେ ଚାଷ ଜମିରୁ ଜଳ ନିଷ୍କାସିତ ହୋଇ ନପାରିବାରୁ ଫସଲ ହାନି ହେଉଛି । ବିଞ୍ଝାରପୁର ଅଂଚଳର ଚିକଣା, ବରପଦା, ତଳବନ୍ଧ, କପିଳା, ଟିଣା, ଫତେପୁର, ଅଳକୁଣ୍ଡ, ଆଉଁରୀ, ହଳଦୀଢି ଆଦି ପଞ୍ଚାୟତର ଚାଷ ଜମି ଖାଲୁଆ ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ବର୍ଷା ଜଳ ନିଷ୍କାସନ ହୋଇନପାରି ସାରଦ ଧାନ ଫସଲ ଶତ ପ୍ରତିଶତ ନଷ୍ଟ ହୋଇଥାଏ । ଚାଷୀକୂଳ ବର୍ଷକୁ ବର୍ଷ କ୍ଷତି ସହି ଚାଷ ଛାଡିଦେବା ଫଳରେ ଏବେ ଅନେକ ସ୍ଥାନରେ ଏକର ଏକର ଚାଷ ଜମି ବେଣା ଭର୍ତି ହୋଇଗଲାଣି । ବାରମ୍ବାର ପ୍ରଶାସନ ଦ୍ୱାରସ୍ତ ହୋଇ ମଧ୍ୟ ସମସ୍ୟା ସମାଧାନ ହୋଇନପାରିବାରୁ ୨୦୨୨ମସିହାରେ ଓଡିଶା ଉଚ୍ଚ ନ୍ୟାୟଳୟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେବା ଓ ଜିଲାପାଳଙ୍କ ସୁପାରିସ ଆଧାରରେ ଚଳିତ ବର୍ଷ ଦୀର୍ଘ ୩୫ କିମି ଜୋକେଇ ନାଳ ଗଭୀର ଓ ଚଉଡା ହେବା ପାଇଁ ଓଡିଶାର ଓସିସିକୁ କାର୍ଯ୍ୟାଦେଶ ପ୍ରଦାନ ପରେ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଗତକାଲି ଏହି ଅଞ୍ଚଳର ଚାଷୀ  ଏକାଠୀ ହୋଇ ସହକାରୀ ନିର୍ବାହିଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାହାସ ଗୁହାଳି ଗ୍ରାମରେ ଜଳ ନିଷ୍କାସନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ନାଳକୁ ପ୍ରସସ୍ତ ଓ ଗଭୀର କରିବାକୁ ଲୋକ ମାନଙ୍କର ସହଯୋଗ ଲୋଡିଥିଲେ । ଅଣ୍ଢାଳୋ ଠାରୁ ନୂଆମାହାରା ପର୍ଯ୍ୟନ୍ତ ସଂଯୋଗ କରିବାକୁ ପ୍ରସ୍ତାବିତ କାମଦେବ ମାହାରାର ପୂର୍ଣ୍ଣାଙ୍ଗ ହେବା ସମ୍ପର୍କରେ ପଚାରିବାରୁ ସହକାରି ନିର୍ବାହୀ ଯନ୍ତ୍ରୀ ଏହି ସ୍ଥିତି ସମ୍ପର୍କରେ ଚାଷୀ ମାନଙ୍କୁ ସୂଚନା ଦେଇଥିଲେ । ଆଉ ପାଂଚଜଣ ଚାଷୀଙ୍କ ଜମି ଅଧିଗ୍ରହଣ ବାକି ଥିବାରୁ ଏହା ଟେଣ୍ଡର ହୋଇପାରି ନଥିବା ଜଣାପଡିଛି । ଆଗାମି ଦିନରେ ଏହାକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ । କପିଳା ଓ ଗୁହାଳି ମଧ୍ୟରେ ପ୍ରସ୍ତାବିତ ତିନୋଟି ବକ୍ସରେ ପୋଲ ଏଯାବତ ଆରମ୍ଭ ହୋଇନଥିବାରୁ ଜଳନିଷ୍କାସନରେ ବାଧାସୃଷ୍ଠି ହେଉଛି । ଏହାବ୍ୟତିତ ନାଳ ମଧ୍ୟରେ ବେଆଇନ ଆଡିବନ୍ଧ କରି ଜଳ ପ୍ରବାହରେ ଘୋର ବାଧା ସୃଷ୍ଠି କରାଯାଉଛି ବୋଲି ଚାଷୀ ମାନେ ସହକାରୀ ନିର୍ବାହିଯନ୍ତ୍ରୀ ଅବଗତ କରି ଉଚ୍ଛେଦ ପାଇଁ ଦାବି କାରିଥିଲେ । ଆଲୋଚନାରେ ରବିନାରାୟଣ ସାମଲ, ରବିନ୍ଦ୍ର ଦାସ, ପୁରୋସ୍ତମ ଦାଶ, ବ୍ରଜ ସୁନ୍ଦର ସାମଲ, ପ୍ରମୋଦ ସାମଲ, କୈଳାସ ସାମଲ, ବିନୋଦ ମଲ୍ଲିକ, କୈଳାସ ଯେନା, ବାଙ୍କ ବିହାରୀ ମଲ୍ଲିକ, ଉଦକର ପଲାଇ, ସରୋଜ ମଲ୍ଲିକ, ସୁରେନ୍ଦ୍ର କୁମାର ପତି ଆଦି ବହୁ ଚାଷୀ ସାମିଲ ହୋଇଥିଲେ ।