ସୂର୍ଯ୍ୟପ୍ରଭାର ପ୍ରଭାବ : ନିମ୍ନମାନର କାର୍ଯ୍ୟ ଯୋଗୁଁ ଫାଟ ସୃଷ୍ଟି

ନିମାପଡ଼ା : ସୂର୍ଯ୍ୟପ୍ରଭାର ପ୍ରଭାବରେ ନବ ନିର୍ମିତ ଢଳେଇ ରାସ୍ତାରେ ସୃଷ୍ଟି ହୋଇଥିବା ଫାଟ ବନ୍ଦ କରାଯାଇଛି । ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ନିଦେ୍ର୍ଦଶରେ ଉକ୍ତ ଢଳେଇ ରାସ୍ତାକୁ ମରାମତି କରାଯାଇଛି । ମାତ୍ର ଉକ୍ତ ମରାମତି କାର୍ଯ୍ୟ ଦେଖିଲେ ସେଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏଠାରେ ସୂଚନାଯୋଗ୍ୟ ବାମନାଳ ଠାରୁ କାଶିଆ ୧୦କିମି ରାସ୍ତା ମାତ୍ର ୮ ଦିନ ତଳେ ନିର୍ମାଣ କରାଯାଇଥିଲା । ଉକ୍ତ ଢଳେଇ ରାସ୍ତା ଫାଟି ଆଁ ମେଲା କରିଥିବା ସମ୍ପର୍କରେ ସୂର୍ଯ୍ୟପ୍ରଭାରେ ଗତ ୧୭ ଓ ୨୪ ତାରିଖରେ ସବିଶେଷ ଖବର ପ୍ରକାଶ ପାଇଥିଲା । ନିର୍ମାଣଧୀନ ରାସ୍ତା କାର୍ଯ୍ୟ ଏତେ ନିମ୍ନମାନର ଯେ ଗତକାଲି ପୁଣି ଏକ ନମୁନା ଦେଖିବାକୁ ମିଳିଛି । ସେହି ରାସ୍ତାରୁ ତିହୁଳା ମେଳନ ପଡିଆକୁ ଦୁଇଦିନ ତଳେ ନିର୍ମାଣ କରାଯାଇଥିବା ରାସ୍ତା ଏକାଧିକ ସ୍ଥାନରେ ଗଡ଼ ଗଡ଼ ହୋଇ ଫାଟି ଆଁ ମେଲା କରିଥିବାର ଦେଖିବାକୁ ମିଳିଛି । କୌଣସି ସୂତ୍ରରୁ ଖବର ପାଇ ସଂପୃକ୍ତ ଠିକା ସଂସ୍ଥା ଆଜି ସେହି ଫାଟି ଥିବା ସ୍ଥାନମାନଙ୍କରେ ସିମେଣ୍ଟ ମସଲା ଦେଇ ଫାଟ ଲୁଚାଇଛି । ଯଦି ସଂପୃକ୍ତ ହିନ୍ଦୁସ୍ତାନ କନଷ୍ଟ୍ରକନ ଅବଶିଷ୍ଟ ରାସ୍ତାକୁ ଏପରି ଭାବେ ନିର୍ମାଣ କରେ ତେବେ ସେ ରାସ୍ତା ଏକମାସ ମଧ୍ୟରେ ଫାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଢଳେଇରେ ବ୍ୟବହୃତ ବାଲି ଠାରୁ ଆରମ୍ଭ କରି ଗୋଡ଼ି ଓ ସିମେଣ୍ଟ ପର୍ଯ୍ୟନ୍ତ ସବୁ ନିମ୍ନମାନର । ଏଣୁ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କରାଯାଉଥିବା ନେଇ ଅନେକ ଅଭିଯୋଗ ହୋଇଛି । କିନ୍ତୁ ଫଳ କିଛି ନାହିଁ । ଏଠାରେ ସୂଚନାଯୋଗ୍ୟ ବାମନାଳ ଠାରୁ କାଶିଆ ୧୦ କିମି ରାସ୍ତା ସମ୍ପୂର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ । ଏଣୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୨କୋଟି ଟଙ୍କା ବ୍ୟୟ ବରାଦରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି । ସଂପୃକ୍ତ ଠିକା ସଂସ୍ଥା ଯଦି ଏପରି ଭାବେ ରାସ୍ତା ନିର୍ମାଣ କରେ ତେବେ ରାଜ୍ୟ ସରକାରଙ୍କ ଏଭଳି ଏକ ମହତ ଉଦେ୍ଦଶ୍ୟ କିପରି ସାକାର ହେବ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ବିଭିନ୍ନ ଖବର କାଗଜରେ ମଧ୍ୟ ଖବର ପ୍ରକାଶ ପାଇଛି । ସବୁ ଦେଖି ସବୁ ଜାଣି ବିଭାଗୀୟ ଯନ୍ତ୍ରୀ କାହିଁକି ଏପର୍ଯ୍ୟନ୍ତ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ସଂପୃକ୍ତ ଠିକା ସଂସ୍ଥା ଯଦି ଏଭଳି ଭାବେ ନିର୍ମାଣ କାର୍ଯ୍ୟ କରେ ତେବେ ସାଧାରଣ ଜନତା କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ବୋଲି ପରଷ୍ପର ମଧ୍ୟରେ ଆଲୋଚନା କରୁଥିବାର ଶୁଣିବାକୁ ମିଳିଛି ।