ସେତୁ ନିର୍ମାଣ ନେଇ ଜମି ଅଧିଗ୍ରହଣ ଶେଷ 

 କାକଟପୁର : ଦୀର୍ଘ ଦିନର ଦାବି, ବହୁ ଧାରଣା, ଧର୍ମଘଟ ପରେ ବହୁ ପ୍ରତିକ୍ଷୀତ ଦେବୀ ନଦୀ ଉପରେ ପଥରପକା-ଭଣ୍ଡିସାହି ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶାନ୍ତି ଶୃଖଳା ସହିତ ଶେଷ ହୋଇଛି । କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ  ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମୟରେ ଏଠାରେ ଏହି ସେତୁ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା । କିନ୍ତୁ ବିଭିନ୍ନ ପାରିପାର୍ଶ୍ୱିକ ଅବସ୍ଥା କାରଣରୁ ଏହି ପରିକଳ୍ପନା ବାସ୍ତବରୂପ ନେଇପାରିନଥିଲା । ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଲେ ପୁରୀ ଜିଲ୍ଲା ସହିତ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ପାରାଦୀପ ଅଞ୍ଚଳକୁ ଯାନ ବାହନ ଚଳାଚଳରେ ଦୂରତ୍ୱ କମିବା ସହିତ ଗମନା ଗମନ ପାଇଁ ଏହି ପଥ ଅଧିକ ସୁଗମ ହୋଇପାରିବବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି ।  ଭଣ୍ଡିସାହି ଗ୍ରାମଟି କାକଟପୁର ବ୍ଳକ ଅଧିନସ୍ଥ ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ଦେବୀ ନଦୀର ବାମ ପାର୍ଶ୍ୱରେ ଅବସ୍ଥିତ । ଏଠାକାର ଲୋକ ପ୍ରତିଦିନ ସେମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଡ଼ଙ୍ଗାରେ ବସି ନଦୀ ପାର ହୋଇ କାକଟପୁର ବ୍ଳକ, ତହସିଲ, ଥାନା ଓ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ପ୍ରତ୍ୟହ ଡଙ୍ଗାରେ ବସି ଏହି ନଦୀରେ ବିପଦ ପୂର୍ଣ୍ଣ ଜଳଯାତ୍ରା କରିଥାନ୍ତି । ଜମି ଅଧିଗ୍ରହଣ ସମୟରେପଥରପକା ଓ ଭଣ୍ଡିସାହି ଉଭୟ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହିଜମି ଅଧିଗ୍ରହଣ କାର୍ଯ୍ୟରେ   ପୂର୍ଣ୍ଣ ସହଯୋଗ କରିଥିଲେ । ସେତୁ ନିର୍ମାଣ ପାଇଁ ଖୁବ ଶୀଘ୍ର ଟେଣ୍ଡର ଡକାଯିବ ବୋଲି କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡ଼ିଭିଜନ  ପ୍ରକାଶ କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡ଼ଃ ବିଭୁପ୍ରସାଦ ତରାଇଙ୍କୁ ପଥରପକା ଓ  ଭଣ୍ଡିସାହି ଗ୍ରାମର ଜନସାଧାରଣ ଓ ବୁଦ୍ଧିଜୀବୀ କୃତଜ୍ଞତା ଜଣାଇଛନ୍ତି ।