ଶିଳ୍ପ ଆଶା ଏବେ ସ୍ୱପ୍ନ : ଦାଦନ ଯନ୍ତ୍ରଣାରେ ଲାଗୁନି ରୋକ
ଅବିଭକ୍ତ କଟକ ଜିଲ୍ଲାରୁ ବିଭକ୍ତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ଭାବେ ନୂତନ ଜିଲ୍ଲାର ମାନ୍ୟତା ମିଳିବାକୁ ବିତିଗଲାଣି ୩୨ ବର୍ଷ । କିନ୍ତୁ ଅଦ୍ୟାବଧି ଜିଲ୍ଲାବାସୀଙ୍କ ଶିଳ୍ପ ପ୍ରତିଷ୍ଠା ଆଶା ଏବେବି ରହିଯାଇଛି ସ୍ୱପରେ । ନିର୍ବାଚନ ଆସିଲେ ମଞ୍ଚ ଉପରୁ ନେତା ମନ୍ତ୍ରୀଙ୍କ ମୁଖରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଗଢିଉଠେ ଅନେକ ଶିଳ୍ପ । କିନ୍ତୁ ନିର୍ବାଚନ ଶେଷ ହୋଇଯିବାପରେ ଆଉ କାହାରି ମୁହଁରେ ଶୁଣିବାକୁ ମିଳେନାହିଁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାର ବାସ୍ତବ ରୂପରେଖ । ତକ୍ରାଳୀନ ରାଜ୍ୟ ସରକାରଙ୍କ ସମୟରେ ଏକାଧିକ କମ୍ପାନୀଙ୍କ ସହ ବିଭିନ୍ନ ସମୟରେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲେ ମଧ୍ୟ ଇଟା ଖଣ୍ଡିଏ ମଧ୍ୟ ନପଡ଼ିବା ଜିଲ୍ଲାବାସୀଙ୍କୁ ମର୍ମାହତ କରୁଛି । ମହାକାଳପଡା ଅଞ୍ଚଳରେ ବରୁଣେଇ ବନ୍ଦର ପ୍ରତିଷ୍ଠା, ମାର୍ଶାଘାଇ ଅଞ୍ଚଳରେ ଗ୍ୟାସ୍ ବେସଡ୍ ପାୱାର ପ୍ଲାଣ୍ଟ ଭଳି ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ତକ୍ରାଳୀନ ରାଜ୍ୟସରକାରଙ୍କ ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ବର୍ତ୍ତମାନ ଅନିଶିନ୍ତିତା ମଧ୍ୟକୁ ଠେଲି ହୋଇଯାଇଛି । ସେହିପରି ପାଟକୁରାରେ ଅଏଲ୍ ଇଣ୍ଡିଆ କମ୍ପାନୀକୁ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋପାରିନାହିଁ । ଏଥିସହ ଗ୍ରୋ ମାକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ,କୈବଲ୍ୟ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ ପରି କମ୍ପାନୀ ମାନଙ୍କୁ ତକôାଳୀନ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ କୌଣସି ଠାରେ ଇଟା ଖଣ୍ଡିଏ ମଧ୍ୟ ନପଡିବା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଆଶା ଧୀରେ ଧୀରେ ଧୂଳିସାତ ହୋଇଯାଉଛି । ରାଜନଗର ଅଞ୍ଚଳରୁ ତିନି ତିନୋଟି ବସ୍ ଯୋଗେ ବେନିୟମ ଭାବେ କେରଳ ରାଜ୍ୟକୁ ଶତାଧିକ ଶ୍ରମିକ ଯିବା ଆସିବା କରୁଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏ ଦିଗରେ ନୀରବ ଦ୍ରଷ୍ଟା ସାଜିଛି ।
ମହାକାଳପଡ଼ା ଅଞ୍ଚଳର ଦାଦନ ଶ୍ରମିକ ସତ୍ୟବାନ୍ ସାମଲ, ବାବୁଲାଲ ସେଠୀ, ଜଙ୍ଗଲୀ ସାମଲ କୁହନ୍ତି ଆମ ଜିଲ୍ଲା କୃଷି ଭିତ୍ତିକ ଜିଲ୍ଲା ହୋଇଥିଲେ ମଧ୍ୟ କ୍ଷେତରେ ଜଳସେଚନ ସମସ୍ୟା ଲାଗିରହିଥିବାରୁ ବର୍ଷକ ବାର ମାସ ଗାଁ ରେ ରହି କୃଷି କାର୍ଯ୍ୟ ସମ୍ପାଦନ କରି ପରିବାର ପୋଷଣ କରିବା ସମ୍ଭବ ହେଉ ନଥିବାରୁ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରିବା ପାଇଁ ପଡୁଛି କିନ୍ତୁ ବିଡ଼ମ୍ବନାର ବିଷୟ ଆମ୍ଭ ଜିଲ୍ଲାରେ କୌଣସି ଶିଳ୍ପ କାରଖାନା ନଥିବାରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ରୂପେ ଯିବା ପାଇଁ ପଡୁଛି । ନଦୀ ସଂଯୋଗୀକରଣ ଯୋଜନା ମାଧ୍ୟମରେ ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀକୁ ଯୋଡ଼ି ସମୁଦ୍ର ମୁହାଣ ପୂର୍ବରୁ ଏକ ଚେକ୍ ଡ୍ୟାମ୍ ନିର୍ମାଣ କରାଗଲେ ସମୁଦ୍ରକୁ ଚାଲିଯାଉଥିବା ଜଳ ସଂରକ୍ଷଣ ହୋଇପାରିବ ଓ ସେହି ଜଳକୁ ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାଇ ଜିଲ୍ଲାର ବିଭିନ୍ନ କେନାଲ ଓ କ୍ଷୁଦ୍ର କେନାଲକୁ ଛଡା ଯାଇପାରନ୍ତା । ଏହାଦ୍ୱାରା କୃଷି କାର୍ଯ୍ୟରେ ଏହା ବ୍ୟବହାର ହୋଇପାରିବ ସହିତ ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ଦେଖାଯାଉଥିବା ପାନୀୟ ଜଳ ସଙ୍କଟ ଦୂର ହୋଇପାରନ୍ତା । ସେହିପରି ନଦୀ ସଂଯୋଗୀ କରଣ ପ୍ରକଳ୍ପ ତିଆରି ହେଲେ ଯେଉଁ ଭିତ୍ତିଭୂମି ଗଢି ଉଠିବ ତାହାକୁ ନେଇ ଏକ ନୌ-ବିହାର ପର୍ଯ୍ୟଟନ କ୍ଷେତ୍ରର ପରିକଳ୍ପନା ମଧ୍ୟ କରାଯାଇପାରିବ । ଫଳରେ ଜିଲ୍ଲାରେ ନୂତନ ନିଯୁକ୍ତି ସୃଷ୍ଟି ହେବା ସହିତ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହୋଇପାରନ୍ତା । ରାଜନୈତିକ ଅଭିସନ୍ଧିର ମାୟାଜାଲରେ ଛନ୍ଦି ହୋଇ ଦଶନ୍ଧି ଦଶନ୍ଧି ଧରି କେନ୍ଦ୍ରାପଡ଼ା ଜିଲ୍ଲା ଅବହେଳିତ ହୋଇରହିଛି ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ।