ସ୍ପଷ୍ଟ କଲା ସିବିଏସଇ  : ଏଣିକି ଦଶମରେ ୨ ଥର ବୋର୍ଡ ପରୀକ୍ଷା

 ନୂଆଦିଲ୍ଲୀ: ଏଣିକି ଦଶମରେ ଦେବାକୁ ପଡ଼ିବ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।     ଶିକ୍ଷା ପଦ୍ଧତିକୁ ଆହୁରି ସୁଗମ ତଥା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଆହୁରି ଉତ୍ତମ ସାବ୍ୟସ୍ତ କରିବାକୁ ଏହି ନିୟମ ଲାଗୁ କରାଯିବ । ଆସନ୍ତା ଶିକ୍ଷାବର୍ଷ ୨୦୨୬ରେ ଏହି ନିୟମ ଲାଗୁ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ବର୍ଷକୁ ଥରେ ଦିଆଯାଉଥିବା ପରୀକ୍ଷା ଚାପରୁ ମଧ୍ୟ ପିଲାଙ୍କୁ ମୁକ୍ତି ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ବାର୍ଷିକ ଦୁଇଟି ପରୀକ୍ଷା ମଧ୍ୟରୁ ପ୍ରଥମ ପରୀକ୍ଷାଟି ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଦ୍ୱିତୀୟ ପରୀକ୍ଷାକୁ ବିକଳ୍ପ/ଇଚ୍ଛାଧୀନ (ଅପ୍ସନାଲ) ଭାବେ ନିଆଯାଇଛି । ଛାତ୍ରଛାତ୍ରୀ ଯଦି ଚାହିଁବେ ତାହେଲେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ । ତେବେ ଉଭୟ ପରୀକ୍ଷାରେ ରହିଥିବା ସର୍ବାଧିକ ଫଳାଫଳକୁ ସର୍ବୋତ୍ତମ ବାର୍ଷିକ ଫଳାଫଳ ଧରି ନିଆଯିବ ବୋଲି କୁହାଯାଇଛି । ପର୍ଯ୍ୟାୟକ୍ରମେ ଫେବ୍ରୁଆରୀରେ ପ୍ରଥମ ପରୀକ୍ଷା ହେବାକୁ ଥିବା ବେଳେ ଏହାର ଫଳାଫଳ ଏପ୍ରିଲ୍ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ମାସରେ ହେବାକୁ ଥିବା ବେଳେ ଏହାର ଫଳାଫଳ ଜୁନ୍ରେ ପ୍ରକାଶିତ ହେବ । ପ୍ରଥମ ପରୀକ୍ଷା ଠାରୁ ଦ୍ୱିତୀୟ ପରୀକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ପାଇଁ ଢେର୍ ସମୟ ମିଳିବ ବୋଲି ଅନୁମାନ କରାଯାଇଛି ।ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ଏହି ନିୟମକୁ ଲାଗୁ କରାଯିବାକୁ ଥିବା ବେଳେ ଏହା ଭାରତୀୟ ଶିକ୍ଷା ପଦ୍ଧତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆହୁରି ସୁଦୃଢ଼ କରିବା ସହିତ ପରୀକ୍ଷା ସମ୍ବନ୍ଧିତ ଅନାୟାସ ଚାପରୁ ମୁକ୍ତ ଦେବ ବୋଲି ବୋର୍ଡ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ।